ଶିଶୁ ସୁରକ୍ଷା ଓ ବାଲ୍ୟବିବାହକୁ ରୋକିବା ନିମନ୍ତେ ପ୍ରଶିକ୍ଷଣ

ପାପଡାହାଣ୍ଡି : ସ୍ଥାନୀୟ ଆଇସିଡିଏସ ସଭା ଗୃହରେ ଶିଶୁ ସୁରକ୍ଷା ଓ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏସ ଗିତା ଶିବିରର ଉଦେଶ୍ୟ ଜ୍ଞାପନ କରିବା ସହିତ ସରକାରୀ ବିଧି ବ୍ୟବସ୍ଥାରେ କିଶୋରୀମାନଙ୍କ ନିମନ୍ତେ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଏଥି ସହିତ ଜାତି ସମାଜର ମୁଖ୍ୟମାନେ ବାଲ୍ୟବିବାହକୁ ରୋକିବା ପାଇଁ ନିଜ ସମାଜରେ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଶିବିରରେ ସାଧନ ବ୍ୟକ୍ତି ଭାବରେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷାର ୟୁନିଟର ଅନୁଷ୍ଠାନ ଯତ୍ନ ଓ ସୁରକ୍ଷା ଅଧିକାରୀ କୁନିମଣୀ ସ୍ଵାଇଁ ମିଳିତ ଜାତିସଂଘର ଶିଶୁ ଅଧିକାର ଘୋଷଣା ପତ୍ର ଅନୁଯାୟୀ ଶିଶୁର ଅଧିକାର ଓ ସୁରକ୍ଷା, ବାଲ୍ୟ ବିବାହର କାରଣ, ବାଲ୍ୟ ବିବାହରେ କିଶୋରୀମାନଙ୍କ ଉପରେ ପଡୁଥିବା ପ୍ରଭାବ, ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟିର ଭୂମିକା, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସର ଦାୟିତ୍ଵ ଉପରେ ମତବ୍ୟକ୍ତ କରିଥିଲେ ।

ପରେ ପରେ ଚାଇଲ୍ଡ ଲାଇନ ସଂଯୋଜକ ସୁଜନ ସୁନା ଜିଲ୍ଲାରେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଚାଇଲ୍ଡ ଲାଇନ ଦିବାରାତ୍ର କାମ କରୁଥିବାର ଆଲୋକପାତ କରିବା ସହିତ ଜିଲ୍ଲାରେ କୌଣସି ଶିଶୁ ବିପଦରେ ପଡିଲେ ୧୦୯୮କୁ ଫୋନ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ । ଆଲୋଚନାରେ ଭାଗନେଇ ଭତ୍ରା ସମାଜର ସଂପାଦକ ଦୈତାରୀ ପୁଝାରୀ, ଯାଦବ ସମାଜର ସଂପାଦକ ଯୋଗେନ୍ଦ୍ର ମାଝି ପ୍ରମୁଖ ନିଜ ନିଜ ସମାଜର ନାରୀ ଶିକ୍ଷାର ବହୁଳ ପଚାର ପ୍ରସାର ସହିତ କିଶୋରୀ ମାନେ ସରକାରୀ ଯୋଜନାର ଫାଇଦା ନେଇ ଆର୍ଥିକ ସ୍ଵାବଲମ୍ବନ ଶିଳ ହୋଇପାରିଲେ ଜିଲ୍ଲାରେ ବାଲ୍ୟ ବିବାହ କମିବ ବୋଲି ମତବ୍ୟକ୍ତ କରିଥିଲେ । ପରେ ପରେ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ଶିଶୁମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ କିଶୋରୀ ମାନଙ୍କ ନିମନ୍ତେ ଥିବା ସରକାରୀ ଯୋଜନା ଉପରେ ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ସଞ୍ଜୁଲତା ନାୟକ, ଭକ୍ତି ପୁଷ୍ପା ସାହୁ, ପରବୀନ ବେଗମ, ରମା ପଟ୍ଟନାୟକ, ଖ୍ରୀଷ୍ଟେଲତା କ୍ଷେତ୍ରୀୟ, ସୁକାମିନୀ ମାଝି, ଜଗନ କୁମାର ପାତ୍ର, ମନୋରଞ୍ଜନ ବିଶୋଇ ପ୍ରମୁଖ ଆଲୋଚନାରେ ଭାଗନେଇ କିଶୋରୀମାନଙ୍କ ନିମନ୍ତେ ଥିବା ସରକାରୀ ଯୋଜନା ଉପରେ ଆଲୋକ ପାତ କରିବା ସହିତ ଜାତିସମାଜର ମୁଖ୍ୟମାନେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ସେମାନଙ୍କର ଏକ ଗୁରୁ ଦାୟିତ୍ଵ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ବ୍ଲକ ସଂଯୋଜକ ଉତ୍ତମ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.