୨ୟ ପର୍ଯ୍ୟାୟ ‘ଗୋଲ’ କାର୍ଯ୍ୟକ୍ରମ : ଜନଜାତି ଯୁବତୀମାନଙ୍କୁ ଦିଆଯିବ ଡିଜିଟାଲ ଦକ୍ଷତା ତାଲିମ

ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ମାଧ୍ୟମରେ ୨ ଲକ୍ଷ ଘଣ୍ଟା ପ୍ରଶିକ୍ଷଣ

-ନୀତି ଆୟୋଗ ଓ ଫେସବୁକ ସହ ଜନଜାତି ମନ୍ତ୍ରଣାଳୟର ଭାଗିଦାରୀ

ନୂଆଦିଲ୍ଲୀ : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ  ଅର୍ଜୁନ ମୁଣ୍ଡା ‘ଗୋଲ’ (ଗୋଇଙ୍ଗ ଅନଲାଇନ ଆଜ ଲିଡର୍ସ)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଫେସବୁକର ଏକ କାର୍ଯ୍ୟକ୍ରମ ଯାହାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ଜନଜାତିର ମହିଳାମାନଙ୍କୁ ସେମାନଙ୍କ ସମୁଦାୟ ପାଇଁ ଗ୍ରାମ୍ୟ ସ୍ତରରେ ଡିଜିଟାଲ ନେତୃତ୍ୱ ନେବା ଲାଗି ସକ୍ଷମ କରିବା ଉଦ୍ଦେଶ୍ୟରେ ପ୍ରୋତ୍ସାହନ, ପ୍ରେରଣା ଓ ମାର୍ଗଦଶନ ଯୋଗାଇଦେବା। ଗତ ମାର୍ଚ୍ଚ ମାସରେ ଏହି ‘ଗୋଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଛୁଆ ଜନଜାତି ବର୍ଗର ଯୁବତୀମାନଙ୍କୁ ବରିଷ୍ଠ ବିଶେଷଜ୍ଞଙ୍କ ଦ୍ୱାରା ଫ୍ୟାସନ, କଳା କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଇଥାଏ, ଯାହାଦ୍ୱାରା ସେମାନେ ଡିଜିଟାଲ ଏବଂ ଜୀବନ କୌଶଳ ଶିକ୍ଷାଲାଭ କରିପାରିବେ।

କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଜନଜାତି ମନ୍ତ୍ରଣାଳୟ ଓ ଫେସବୁକ ମିଳିତ ଭାବେ ଦେଶର ଜନଜାତି ଅଧ୍ୟୁଷିତ ଜିଲ୍ଲାର ୫୦୦ ଯୁବତୀଙ୍କୁ ଡିଜିଟାଲ ପ୍ରଶିକ୍ଷଣ ପ୍ରଦାନ କରିବେ। ଆଜି ନୂଆଦିଲ୍ଲୀଠାରେ କାର୍ଯ୍ୟକ୍ରମର ସମ୍ପ୍ରସାରିତ ପର୍ଯ୍ୟାୟର ଶୁଭାରମ୍ଭ ଅବସରରେ ଅର୍ଜୁନ ମୁଣ୍ଡା କହିଛନ୍ତି, ଏହି ଭାଗିଦାରୀ ମାଧ୍ୟମରେ ‘ଗୋଲ’ କାର୍ଯ୍ୟକ୍ରମ ଅର୍ଥନୈତିକ ଓ ସାମାଜିକ ଭାବେ ଅନଗ୍ରସର ଜନଜାତି ଯୁବତୀଙ୍କୁ ସଫଳ ହେବା ପାଇଁ ବୈଷୟିକ କ୍ଷେତ୍ରରେ ଆବଶ୍ୟକ ପ୍ରଶିକ୍ଷଣ ଓ ଦକ୍ଷତା ତାଲିମ ପ୍ରଦାନ କରିବ। ଶ୍ରୀ ମୁଣ୍ଡାଙ୍କ ସହ ନୀତି ଆୟୋଗର ମହିଳା ଉଦ୍ୟମିତା ମଂଚର ଅଧ୍ୟକ୍ଷା ଏବଂ ତଥ୍ୟ ପରିଚାଳନା ଓ ବିଶ୍ଳେଷଣ ବିଭାଗର ଉପଦେଷ୍ଟା ଶ୍ରୀମତୀ ଆନ୍ନା ରୟ, ଭାରତରେ ଫେସବୁକର ଉପ-ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଓ ସାଧାରଣ ନୀତି ନିର୍ଦ୍ଦେଶକ ଶ୍ରୀ ଆଁଖୀ ଦାସଙ୍କ ସମେତ ନେତୃତ୍ୱ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ସପ୍ତାହବ୍ୟାପୀ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ଏଥିରେ ଡିଜିଟାଲ ସାକ୍ଷରତା, ଉଦ୍ୟମିତା ଓ ଅନଲାଇନ ସୁରକ୍ଷା ବାବଦରେ ତାଲିମ ଦିଆଯିବ। ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ଆଦି ଆପ୍‍ ମାଧ୍ୟମରେ ସର୍ବମୋଟ ୨୦୦,୦୦୦ ଘଣ୍ଟାରୁ ଅଧିକ ସମୟ ପ୍ରଶିକ୍ଷଣ ଦିଆଯିବ। କାର୍ଯ୍ୟକ୍ରମ ଶେଷ ହେବା ପରେ ଅଂଶଗ୍ରହଣକାରୀମାନେ ‘ଗୋଲ’ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିବା ସହିତ ଜନଜାତି ମନ୍ତ୍ରଣାଳୟ ଓ ଫେସବୁକଠାରୁ ନିୟମିତ ଭାବେ ସହାୟତା ପାଇବେ। ଏହି ପ୍ରଶିକ୍ଷଣ ଶେଷ କରିଥିବା ଜନଜାତି ମହିଳାଙ୍କୁ ସେମାନଙ୍କ ନୂତନ ଦକ୍ଷତା ଉପଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ମିଶି ଜନଜାତି ମନ୍ତ୍ରଣାଳୟ ଓ
ଅନ୍ୟାନ୍ୟ ସରକାରୀ ଏଜେନ୍ସି ଫେଲୋସିପ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ୧୨୫ରୁ ଅଧିକ ଯୁବତୀ ପଞ୍ଜିକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଟରନେଟ ମାଧ୍ୟମରେ ଏବେ ସେମାନଙ୍କ ସମୁଦାୟ ସମ୍ମୁଖୀନ ହେଉଥିବା ସମସ୍ୟା ଉପସ୍ଥାପନ କରିପାରୁଛନ୍ତି। ନିଜର ବ୍ୟବସାୟ ପ୍ରତିଷ୍ଠା କରିବା ନେଇ ସେମାନଙ୍କର ଇଚ୍ଛା ରହିଛି।

Comments are closed.