କରୋନା ଟୀକାକରଣ ପାଇଁ ପ୍ରଶିକ୍ଷଣ ଆରମ୍ଭ

ଦେଶରେ କରୋନା ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଏବଂ ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଭଳି କାର୍ଯ୍ୟକ୍ରମକୁ ଜୋର୍‍ଦାର୍‍ କରାଯାଇଛି। ବିଶେଷ ଭାବରେ ସମ୍ପୂର୍ଣ୍ଣ ଟୀକାକରଣ ପ୍ରକ୍ରିୟାରେ କୋ-ୱିନ୍‍ ପ୍ଲାଟଫର୍ମର ବ୍ୟବହାର, ଶୀତଳଭଣ୍ଡାର ପ୍ରସ୍ତୁତିକରଣ ଏବଂ ପ୍ରତିକୂଳ ପରିସ୍ଥିତିରେ ପରିଚାଳନାଗତ ପାରଙ୍ଗମତା ହାସଲ ଦିଗରେ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଜାତୀୟ ସ୍ତରୀୟ ପ୍ରଶିକ୍ଷଣରେ ୨ ହଜାର ୩୬୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ଜଣାପଡିଛି। ସେହିପରି ଦେଶର ୬୮୧ ଟି ଜିଲ୍ଲାର ୪୯ ହଜାର ୬୦୪ଜଣ ପ୍ରଶିକ୍ଷାର୍ଥୀଙ୍କୁ ମେଡିକାଲ ଅଫିସର ପ୍ରଶିକ୍ଷଣ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଏହି ଟୀକାକରଣରେ ୧ କୋଟି ସ୍ୱାସ୍ଥ୍ୟକର୍ମୀ ୨ କୋଟି ଆଗଧାଡ଼ିର ଯୋଦ୍ଧା ଏବଂ ୨୭ କୋଟି ସ୍ୱତନ୍ତ୍ର ବୟସ ବର୍ଗର ଲୋକଙ୍କୁ ଟୀକାକରଣ କରାଯିବ। ଦେଶର ୨୮ ହଜାର ୯୪୭ଟି ସ୍ଥାନରେ ୮୫ ହଜାର ୬୩୪ଟି ଶୀତଳଭଣ୍ଡାରରେ କୋଭିଡ୍‍ ଟିକା ରଖାଯିବ ବୋଲି ଜଣାପଡିଛି।

Comments are closed.