ମହଙ୍ଗା ହେବ ରେଳଯାତ୍ରା : ପ୍ରମୁଖ ଷ୍ଟେସନରେ ଯାତ୍ରୀ ଦେବେ ୟୁଜର ଡେଭଲପମେଣ୍ଟ ଫି

ନୂଆଦିଲ୍ଲୀ :ମହଙ୍ଗା ହେବ ରେଳଯାତ୍ରା । ଆଗକୁ ବଡ ଷ୍ଟେସନରୁ ରେଳଯାତ୍ରା କରିବାକୁ ଯୋଜନା କରୁଛନ୍ତି କି । ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ । କାରଣ ଏଣିକି ଦେଶର ପ୍ରମୁଖ ତଥା ବଡ ବଡ ​ଷ୍ଟେସନରୁ ରେଳ ଯାତ୍ରା କରୁଥିଲେ ଯାତ୍ରୀଙ୍କୁ ଦେବାକୁ ହେବ ୟୁଜର ଡେଭଲପମେଣ୍ଟ ଫି । ଏ ନେଇ ରେଳ ମନ୍ତ୍ରାଳୟ ଯୋଜନା କରୁଛି ।

ଆସନ୍ତା ଡିସେମ୍ବର ସୁଦ୍ଧା ମନ୍ତ୍ରାଳୟ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଥିବା ଜଣାଯାଇଛି । ଘରୋଇ କମ୍ପାନୀଙ୍କ ସହଯୋଗରେ ସରକାର ବଡ ଷ୍ଟେସନଗୁଡିକରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍‌ଧ କରାଇବାକୁ ଯୋଜନା କରିଛନ୍ତି । ବର୍ତ୍ତମାନ ବିକାଶ କରାଯିବାକୁ ଥିବା ବଡ ​ଷ୍ଟେସନ ମଧ୍ୟରେ ମୁମ୍ବଇ, ଆନନ୍ଦବିହାର, ଜୟପୁର, ହବିବଗଞ୍ଜ, ଚଣ୍ଡିଗଡ, ନାଗପୁର ଏବଂ ବିଜୱାସନ୍‌ ରହିଛି । ସରକାରୀ-ଘରୋଇ ସହଭାଗିତା ଭିତ୍ତିରେ କେନ୍ଦ୍ର ସରକାର ​‌ଦେଶର ପ୍ରମୁଖ ଷ୍ଟେସନଗୁଡିକର ​‌​‌ବିକାଶ ଘଟାଇବାକୁ ଯାଉଛନ୍ତି । ଏହି ବିକାଶ ପ୍ରକଳ୍ପ ଅଧୀନରେ ସରକାର ବିଡିଂ ପ୍ରକ୍ରିୟା ଜରିଆରେ ଘରୋଇ କମ୍ପାନୀଙ୍କୁ ଭାଗ ନେବାକୁ ଆମନ୍ତ୍ରଣ କରିବେ । ଇତି ମଧ୍ୟରେ ସରକାର ମୁମ୍ବଇ ସିଏସ୍‌ଟି ​ଷ୍ଟେସନ‌ର ବିକାଶ କାର୍ଯ୍ୟ ଲାଗି ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରସିପ୍‌ ଆପ୍ରେଜାଲ କମିଟି (ପିପିପିଏସି)ରେ ବିଡିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ।

Comments are closed.