ଚଳନ୍ତା ଟ୍ରେନରୁ ଖସିଲେ ଯାତ୍ରୀ ; ଉଦ୍ଧାର କଲେ ଆରପିଏଫ ଯବାନ

ମୁମ୍ବଇ : କଥାରେ ଅଛି ରଖେ ହରି ମାରେ କିଏ ? ଏହି କଥା ଏବେ ଉକ୍ତ ଘଟଣାକୁ ଦେଖି ସଭିଏଁ ଭାବିଛନ୍ତି। ମୁମ୍ବଇର ବେରିବଲୀ ରେଳ ଷ୍ଟେସନର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଏକ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ଅବସ୍ଥାରେ ଜଣେ ବ୍ୟକ୍ତି ଖସି ପଡ଼ିଲେ। ସେହି ସମୟରେ ଟ୍ରେନଟି ଗତିଶୀଳ ଅବସ୍ଥାରେ ଥିଲା। ବ୍ୟକ୍ତି ଜଣଙ୍କ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ପ୍ଲାଟଫର୍ମ ଓ ଟ୍ରେନ ମଧ୍ୟରେ ବ୍ୟବଧାନ ହେବା ଫଳରେ ସେ ଖସିପଡିଥିଲେ। ସେହି ସମୟରେ ରେଲୱେ ପୁଲିସ (ଆପିଏଫ)ର ଜଣେ ଯବାନ ଏହା ନଜରକୁ ଆସିବା ମାତ୍ରେ ସେ ଦୌଡି ଯାଇ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାଟି ୨୯ ଜୁନର ବୋଲି ଜଣାପଡିଛି। ଉକ୍ତ ଯବାନଙ୍କୁ ଆଉ ଜଣେ ବ୍ୟକ୍ତି ମଧ୍ୟ ସାହାଯ୍ୟ କରୁଥିବା ଦେଖାଯାଉଛି। ମାତ୍ର ଚଳନ୍ତା ଟ୍ରେନରୁ ଏଭଳି ଭାବେ ଓହ୍ଲାଇବା ଓ ଚଢିବା ଜୀବନପ୍ରତି ସମ୍ପୂର୍ଣ୍ଣ ବିପଦ। ତେଣୁ ଏଭଳି ନକରିବାକୁ ବାରମ୍ବାର କୁହାଯାଉଛି।

 

Comments are closed.