ଶାସ୍ତ୍ରୀ-କୋହଲି ଯୋଡ଼ିର ନୈରାଶ୍ୟଜନକ ଅନ୍ତଃ

ଦୁବାଇ : ଭାରତୀୟ କ୍ରିକେଟ୍‌ ଦଳର ବିଦାୟୀ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଦଳର ଟ୍ବେଣ୍ଟି୨୦ ନେତୃତ୍ବରୁ ଓହରି ଯାଇଥିବା ବିରାଟ କୋହଲି ସେମାନଙ୍କ ଅନ୍ତିମ ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି। ତେବେ ଏହି ବିଜୟ ଶାସ୍ତ୍ରୀ-କୋହଲି ଯୋଡ଼ିଙ୍କୁ ସୁଖଦ ଅନୁଭୂତି ଦେବା ଅପେକ୍ଷା ତିକ୍ତ ସ୍ବାଦ ପରି ହୋଇଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସେମିଫାଇନାଲରୁ ବିଦାୟ ନେବା ପରେ ଔପଚାରିକ ଭାବେ ଭାରତ ନାମିବ୍ୟା ସହ ଖେଳି ଆଶା ଅନୁସାରେ ବିଜୟୀ ହୋଇଥିଲା। ତେବେ ୧୨ ବର୍ଷ ପରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସେମିଫାଇନାଲରେ ଭାରତ ପହଞ୍ଚି ନ ପାରିବାର ଦୁଃସ୍ପପ୍ନ କୋହଲି ଓ ଶାସ୍ତ୍ରୀଙ୍କ ପିଛା ଛାଡ଼ିବ ନାହିଁ। ଉଲ୍ଲେଖଯୋଗ୍ୟ; ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ କୋହଲି ଆଉ ଟ୍ବେଣ୍ଟି୨୦ ଦଳର ନେତୃତ୍ବ ନେବେନାହିଁ ବୋଲି ଘୋଷଣା କରିଛନ୍ତି।
ଶାସ୍ତ୍ରୀ-କୋହଲି ଯୋଡ଼ି ଆନ୍ତର୍ଜାତିକ କ୍ରିକେଟ୍‌ରେ ବହୁତ ସଫଳତା ହାସଲ କରିଥିଲେ ହେଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ଏକ ଶକ୍ତିଶାଳୀ ପେସ୍ ବୋଲିଂ ଆକ୍ରମଣ ଗଠନ କରିବା ସହ ଭାରତକୁ ଏକ ଶକ୍ତିଶାଳୀ ଟେଷ୍ଟ ଦଳରେ ପରିଣତ କରିବାର ଶ୍ରେୟ ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କର। ଟ୍ବେଣ୍ଟି୨୦ରେ ମଧ୍ୟ ଶାସ୍ତ୍ରୀ-କୋହଲି ଯୋଡ଼ିଙ୍କ ରେକର୍ଡ ବହୁତ ଭଲ। ପୁଣି ବିଶ୍ବର ସବୁଠାରୁ ପ୍ରତିଦ୍ବନ୍ଦ୍ବିତାମୂଳକ ଲିଗ୍‌ ଆଇପିଏଲ୍‌ରେ ସଫଳ ପ୍ରଦର୍ଶନ କରିଥିବା ଖେଳାଳି ଏହି ବିଶ୍ବକପ୍‌ରେ ଭାରତୀୟ ଦଳରେ ଥିଲେ। ହେଲେ ଭାରତ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ କିଛି ମଧ୍ୟ ଠିକ୍ ହୋଇନଥିଲା। ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଟସ୍ ହାରିଥିଲା। ୨ୟ ଇନିଂସରେ ବାତାବରଣ ବ୍ୟାଟିଂ ପାଇଁ ସହାୟକ ହୋଇଥିବା ବେଳେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ଟୁର୍ଣ୍ଣାମେଣ୍ଟରେ ଟସ୍‌ର ବହୁତ ବଡ଼ ଭୂମିକା ଥିଲା। ଭାରତୀୟ ବ୍ୟାଟ୍‌ସମ୍ୟାନ୍ ସେମାନଙ୍କ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ପାରିନଥିଲେ। ଭୁବନେଶ୍ବର କୁମାର ଏବଂ ପ୍ରଥମ ୨ଟି ମ୍ୟାଚ୍‌ରେ ମହମ୍ମଦ ସାମି ଭଲ ବୋଲିଂ କରି ପାରିନଥିଲେ। ଭାରତୀୟ ଟ୍ବେଣ୍ଟି୨୦ ଦଳ ଏବଂ ଆଇପିଏଲ୍‌ରେ ନେତୃତ୍ବରୁ ଓହରି ଯାଇଥିବା ବିରାଟ କୋହଲି ଆଗକୁ ଭାରତୀୟ ଦିନିକିଆ ଦଳର ନେତୃତ୍ବ ମଧ୍ୟ ହରାଇ ପାରନ୍ତି।
ଆଇସିସି ଟୁର୍ଣ୍ଣାମେଣ୍ଟରେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଭାରତର ବିଫଳତା ନିଶ୍ଚୟ ଚିନ୍ତାଜନକ। ତେବେ ୨୦୧୩ ଚମ୍ପିଆନ୍‌ସ ଟ୍ରଫିଠାରୁ ଭାରତ କଦାପି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇନଥିଲା। ଚଳିତ ବିଶ୍ବକପ୍‌ର ସବୁଠାରୁ ବଡ଼ ଦାବିଦାର ଭାବେ ୟୁଏଇ ଯାଇଥିବା ଭାରତ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେବା ଶାସ୍ତ୍ରୀ ଓ କୋହଲିଙ୍କ ମୁରବିପଣିଆ ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏହା ସତ ଯେ ବିରାଟ କୋହଲିଙ୍କ ଦୁର୍ବଳ ନେତୃତ୍ବ ଏବଂ ଶାସ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ ରଣନୀତି ଭାରତର ବିଫଳତା ପାଇଁ କେତେକାଂଶରେ ଦାୟୀ। ହାର୍ଦିକ ପାଣ୍ଡ୍ୟା ବୋଲିଂ କରିବାକୁ ଫିଟ୍‌ ନଥିବା ବେଳେ ତାଙ୍କୁ ସମସ୍ତ ମ୍ୟାଚ୍‌ରେ ଖେଳାଇବା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ହାର୍ଦିକ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍ ଭାବେ ଖେଳିଥିଲେ ହେଁ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌କୁ ଛାଡ଼ି ଅନ୍ୟ କୌଣସି ମ୍ୟାଚ୍‌ରେ ସେ ରନ୍‌ କରି ପାରିନଥିଲେ। ପୁଣି ରୋହିତ ଶର୍ମାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ନଂ ସ୍ଥାନରେ ଖେଳାଇବା ଆଦୌ ଯୁକ୍ତିସଂଗତ ନୁହେଁ। ପୁଣି ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତ ମାତ୍ର ୨ଟି ୱିକେଟ ହାସଲ କରିବା ଭାରତର ବୋଲିଂ ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲା। ଆନ୍ତର୍ଜାତିକ କ୍ରିକେଟ୍‌ରେ ଶାସ୍ତ୍ରୀ-କୋହଲି ଯୋଡ଼ିଙ୍କର ପ୍ରଦର୍ଶନ ଭଲ ଥିଲେ ମଧ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ସେମାନଙ୍କଠାରୁ ଦଳ ଅଧିକ ଭଲ ପ୍ରଦର୍ଶନ ଆଶା ରଖିଥିଲା। ୧୧ ମାସ ପରେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବ। ଏଥିପାଇଁ ଭାରତକୁ ଏବେଠାରୁ ପ୍ରସ୍ତୁତ ହେବା ପଡ଼ିବ। ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକଙ୍କ ଅଧୀନରେ ୨୦୨୨ ଟି୨୦ ବିଶ୍ବକପ୍‌ରେ ଭାରତ କିପରି ପ୍ରଦର୍ଶନ କରୁଛି; ତାହା ଦେଖିବାର କଥା।

Comments are closed.