ଭୟଙ୍କର ଟ୍ରାଫିକ୍‌ ଜାମ୍‌, ପାର୍ବଣ ଆରମ୍ଭରୁ ଟ୍ରାଫିକ ଅବ୍ୟବସ୍ଥା – ଅଣନିଶ୍ୱାସୀ ଜନତା

ସମ୍ବଲପୁର : ପବିତ୍ର ଗଣେଶ ପୂଜା ସହିତ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ବିଗତ ଦୁଇ ବର୍ଷ ହେବ କରୋନାର କରାଳ ସଙ୍କଟ ଯୋଗୁଁ ସମସ୍ତ ପ୍ରକାରର ଧାର୍ମିକ ଉତ୍ସବ ଓ ଜନସମାଗମ ଉପରେ ବ୍ୟାପକ କଟକଣା ଲାଗିଥିବା ବେଳେ ଚଳିତ ବର୍ଷ ସେଭଳି କୌଣସି କଟକଣା ନାହିଁ । ଏଣୁ ସମସ୍ତ ପର୍ବପର୍ବାଣିକୁ ଲୋକେ ଅତ୍ୟନ୍ତ ଉତ୍ସାହିତ ଓ ଧୁମଧାମରେ ପାଳନ କରୁଥିବାର ପରିଲକ୍ଷିତ ହେଉଛି । ସଂସ୍କୁତି ଓ ଐତିହ୍ୟ ସମ୍ପନ୍ନ ସମ୍ବଲପୁର ସମୟର ତାଳ ଦେଇ ବଢ଼ି ଚାଲିଥିବା ବେଳେ ସେହି ତାଳ ଦେଇ ସହର ମଧ୍ୟରେ ଯାନବାହନ ବୃଦ୍ଧି ପାଇବାରେ ଲାଗିଛି । ଏବେକାର ଜନସଂଖ୍ୟା ଓ ଯାନବାହନକୁ ଦେଖିଲେ ଏହି ପୁରାତନ ସହର ମଧ୍ୟରେ ସ୍ଥାନାଭାବ ଦେଖାଦେଉଛି । ଏହା ସହିତ ସହର ମଧ୍ୟରେ ବହୁ ସ୍ଥାନ ଜବରଦଖଲକାରୀଙ୍କ କବଜାରେ ରହିଥିବାରୁ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦିନ କୁ ଦିନ ଭୟଙ୍କର ରୁପ ନେବାରେ ଲାଗିଛି । ସହରରେ ଶୈବ ଓ ଶକ୍ତି ପୂଜାର ପରମ୍ପରା ସହିତ ବୈଷ୍ଣବ ପୂଜାର ପରମ୍ପରା ରହିଛି । ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଏବେ ଲୋକେ ଆଗକୁ ଥିବା ବିଭିନ୍ନ ପର୍ବପର୍ବାଣ ଗୁଡିକୁ ପାଳନ ନିମନ୍ତେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ତେବେ ଖୁସି ମନରେ ଘରୁ ବାହାରୁଥିବା ଜନତା ସହରର ଟ୍ରାଫିକ ବ୍ୟବସ୍ଥା ଓ ଜାମରେ ଫଶି ରହି ବେହାଲ ହୋଇ ଯାଉଥିବାର ଦେଖାଯାଉଛି ।

ଏବେ ଗଣେଶ ପୂଜା କମିଟି ଗୁଡିକ ଦ୍ୱାରା ଭସାଣୀ ଯାତ୍ରା କରାଯାଉଥିବା ବେଳେ ସହରର ପ୍ରାୟ ସମସ୍ତ ପ୍ରମୁଖ ରାସ୍ତା ଗୁଡିକରେ ଭୟଙ୍କର ଟ୍ରାଫିକ ଜାମ ହେଉଛି । ସ୍ଥାନୀୟ ଫାଟକ ଠାରେ ଥିବା ରେଳବାଇ ଓଭରବ୍ରିଜ ଠାରେ ନିୟମିତ ଟ୍ରାଫିକ ଜାମ ହେଉଥିବା ବେଳେ ଗୁରୁବାର ଅପରାହ୍ନରୁ ରାତ୍ରି ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ବ୍ୟାପକ ଟ୍ରାଫିକ ଜାମ ହୋଇଥିଲା । ଫଳରେ ହଜାର ହଜାର ଯାନବାହନ ଓଭରବ୍ରିଜ ଏବଂ ଏହାର ସଂଲଗ୍ନ ରାସ୍ତା ଗୁଡିକରେ ଫସି ରହିଥିଲେ । ଉକ୍ତ ରାସ୍ତାରେ ଅପରାହ୍ନରେ ପ୍ରାୟ ସାଢ଼େ ୫ଟା ସମୟରେ ଏକ ଭସାଣୀ ଯାତ୍ରା ଚାଲୁଥିବା ବେଳେ ପରବର୍ତ୍ତୀ ସମୟରେ ଟ୍ରାଫିକ ପୁଲିସର ଅବ୍ୟବସ୍ଥିତ ପରିଚାଳନା ପାଇଁ ଟ୍ରାଫିକ ଜାମ ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ଫଳରେ ବୁଢ଼ାରଜା ରୁ ନେଇ ଜିଏମ କଲେଜ ଛକ, ହସ୍ପିଟାଲ ରାସ୍ତା – ମୋଦିପଡା ଛକ, ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ଗଳି, ଫାଟକ – କ୍ଷେତରାଜପୁର ରାସ୍ତା ପର୍ଯ୍ୟନ୍ତ ରାସ୍ତା ଗୁଡିକ ଜାମ ହୋଇ ଯାଇଥିଲା । ଏଣୁ ଲୋକେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମରେ ଫଶି ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ହୁଗୁଳା ପୁଲିସ ଓ ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଡାକ୍ତରଖାନା ରାସ୍ତା ଭଳି ପ୍ରମୁଖ ରାସ୍ତା ଜାମ ହୋଇ ଯିବାରୁ ଅନେକ ରୋଗୀ ଓ ସର୍ମ୍ପକୀୟ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପୁଲିସ ଖାମଖିଆଲୀ ଓ ଢ଼ିଲା ମନୋବୃତ୍ତି ଯୋଗୁଁ ଲୋକେ ଟ୍ରାଫିକ ଜାମରେ ଫସି ହନ୍ତସନ୍ତ ହେଉଥିବା ବେଳେ ପାର୍ବଣ ଋତୁର ଆରମ୍ଭରୁ ଯଦି ଏଭଳି ଅବସ୍ଥା ରହିଛି, ତାହା ହେଲେ ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହୋଇ ପଡିବ ବୋଲି ଜନତା ଚିନ୍ତାରେ ରହିଛନ୍ତି । ଏଣୁ ଜନତାଙ୍କ ସୁବିଧା ପାଇଁ ପାର୍ବଣ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସବୁ ମହଲରେ ଦାବି ହେଉଛି । – ପୁରାତନ ସହର ହେବା ସହିତ ସମ୍ବଲପୁରରେ ଜବରଦଖଲ ଦଖଲକାରୀଙ୍କ ବର୍ଚ୍ଚସ୍ୱ ରହିଥିବାରୁ ରାସ୍ତା ଗୁଡିକର ଚୌଡିକରଣ ହୋଇ ପାରୁ ନାହିଁ ।

Comments are closed.