ଗାଡ଼ି ଚାଳକଙ୍କୁ ଦେବାକୁ ପଡ଼େ ଦରମା ଅନୁସାରେ ଜୋରିମାନା!

କ୍ଷିପ୍ର ବେଗରେ ଗାଡ଼ି ଚଳାଇବାର ସଉକ୍‌ ଯୁବପିଢ଼ିଙ୍କଠାରେ ଅଧିକ। ଏହା କାରଣରୁ ଦୁର୍ଘଟଣା ହୋଇପାରେ, ଏପରିକି ପ୍ରାଣହାନି ହେବାର ଆଶଙ୍କା ମଧ୍ୟ କିଛି କମ୍ ନୁହେଁ। ଏସବୁ ଭଲରେ ଜାଣିବା ସତ୍ତ୍ବେ କେତେଜଣ ଅମାନିଆ ଘୁଁ ଘାଁ କରି ଦ୍ରୁତ ଭାବେ ଗାଡ଼ି ଚଳାଇବାର ମୁର୍ଖାମି କରନ୍ତି। ୨୦୧୮ର ବିଶ୍ବସ୍ତରୀୟ ସର୍ବେକ୍ଷଣ ଅନୁସାରେ, ଆନୁମାନିକ ୩,୪୦୦ଲୋକ ପ୍ରତିଦିନ ଟ୍ରାଫିକ୍‌ ନିୟମ ଅମାନ୍ୟ କରି ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ, ଏମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶ ଦ୍ରୁତ ବେଗରେ ଗାଡ଼ି ଚଲାଉଥିବା କାରଣରୁ ଦୁର୍ଘଟଣା ଘଟିଥାଏ। ଆମ ଦେଶ ତୁଳନାରେ ବିଦେଶୀ ରାଇଜର ଲୋକ ଅଧିକ ବେଗରେ ଗାଡ଼ି ଚଳାଇବାର ସଉକିନ୍। ଆମେରିକା, ଇଉରୋପ ପରି ମହାଦେଶର ରାସ୍ତାଗୁଡ଼ିକ ଉଚ୍ଚମାନର ଓ ବେଶ୍ ଚଉଡ଼ା ହୋଇଥିବା କାରଣରୁ ଲୋକେ କାର୍, ମଟରସାଇକଲ୍୍‌କୁ ସ୍ପିଡ୍‌ରେ ଚଳାନ୍ତି। ଦିନକୁଦିନ ରାସ୍ତା ଦୁର୍ଘଟଣା ବଢ଼ିବା କାରଣରୁ ପ୍ରମୁଖ ରାଷ୍ଟ୍ରମାନେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରିଲେ। ଇଉରୋପର ଏକ ରାଷ୍ଟ୍ର ଫିନ୍‌ଲ୍ୟାଣ୍ଡରେ ୨୦୦୧ ପରଠାରୁ ଗାଡ଼ି ଚଳାଚଳ ନିୟମରେ ପରିବର୍ତ୍ତନ କରାଗଲା। ପ୍ରଶାସନ ନେଇଥିବା ଏଇ ନିଷ୍ପତ୍ତି କାରଣରୁ ସେଠାରେ ରାସ୍ତା ଦୁର୍ଘଟଣା ହ୍ରାସ ପାଇଛି। ସେଠା ନିୟମ ଅନୁସାରେ, ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଗାଡ଼ି ଚାଳକଙ୍କ ଦରମା ଅନୁସାରେ ଜୋରିମାନା ଦେବାକୁ ପଡ଼େ। ଫିନ୍‌ଲ୍ୟାଣ୍ଡର ସମ୍ଭ୍ରାନ୍ତ ଓ ଧନିକ ବର୍ଗର ଲୋକ ଡ୍ରାଇଭର୍‌ ସହାୟତାରେ ଯା’ଆସ କରନ୍ତି। ଡ୍ରାଇଭର୍‌ମାନେ କେବେହେଲେ ଦ୍ରୁତ ଗତିରେ ସେଠାରେ ଗାଡ଼ି ଚଳାନ୍ତିନାହିଁ। କାରଣ ଗାଡ଼ିର ସ୍ପିଡ୍ ବଢ଼ାଇଲେ ଜୋରିମାନାର ଟଙ୍କା ଯେ ସେମାନଙ୍କ ପାଉଣାରୁ ଯିବ। ହେଲେ ଯେଉଁ କେତେକ ସମୟରେ ମାଲିକମାନେ ଗାଡ଼ି ଚଳାନ୍ତି, ସେମାନେ ହିତାହିତ ଜ୍ଞାନ ବୋଧହୁଏ ଭୁଲିଯାନ୍ତି। ଗାଡ଼ିର ସ୍ପିଡ୍ ବଢ଼ାଇବା ପରେ ଏହା ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୁଏ। ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡ଼େ। ୨୦୦୨ର ଘଟଣା। ତତ୍କାଳୀନ ନୋକିଆର ନିର୍ଦେଶକ ଭାବେ କାମ କରୁଥିବା ଅନ୍‌ସି ଭାନ୍‌ଜୋକି ଫିନ୍‌ଲ୍ୟାଣ୍ଡରେ ଘଣ୍ଟାପ୍ରତି ୭୫ କିମି ବେଗରେ ମୋଟରସାଇକଲ ଚଳାଇ ୭୬ଲକ୍ଷ ଟଙ୍କା ଜୋରିମାନା ଗଣିଥିଲେ। ତାଙ୍କ ଦରମା ଅନୁସାରେ ପ୍ରଶାସନ ଜୋରିମାନାର ପରିମାଣ ସ୍ଥିର କରିଥିଲା। ୨୦୧୫ରେ ଫିନ୍‌ଲ୍ୟାଣ୍ଡର ନାମୀ ଶିଳ୍ପପତି ରେଇମା କୁଇସ୍ଲା ଦ୍ରୁତ ଗତିରେ କାର୍ ଚଳାଇ ଜୋରିମାନା ବାବଦକୁ ୪୫ଲକ୍ଷ ଟଙ୍କା ଦେଇଥିଲେ। କେବଳ ଫିନ୍‌ଲ୍ୟାଣ୍ଡ ନୁହେଁ, ସୁଇଜରଲ୍ୟାଣ୍ଡରେ ମଧ୍ୟ ଗାଡ଼ି ଚାଳକ ନିୟମ ଅମାନ୍ୟ କଲେ ଜୋରିମାନା ଦଣ୍ଡ ରହିଛି। ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଏହା ଏକ ଉଚିତ୍ ମାଧ୍ୟମ ବୋଲି ଫିନ୍‌ଲ୍ୟାଣ୍ଡ ପ୍ରଶାସନଙ୍କ ମତ।

Comments are closed.