ବଡ଼ମ୍ବାରେ ଟ୍ରାକ୍ଟର ମାଲିକ ମହାସଂଘର ବିକ୍ଷୋଭ : ବିଳମ୍ବିତ ନିଲାମ ପକ୍ରିୟାରୁ ନଦୀରୁ ବାଲି ଉଠିପାରୁନି

ବଡ଼ମ୍ବା  : ବଡ଼ମ୍ବା ରାଜସ୍ୱ ବିଭାଗ ତରଫରୁ ବାଲିଘାଟ ନିଲାମ ସରିଥିଲେ ସୁଦ୍ଧା କାହିଁକି ନଦୀପଠାରୁ ବାଲି ଉଠାଣ ଲାଗି ଅନୁମତି ମିଳୁନି ଏବଂ ଏଦିଗରେ ମାସମାସ ଧରି ଅଚଳାବସ୍ଥା ଲାଗି ରହିଛିି ଏହାକୁ ନେଇ ଟ୍ରାକ୍ଟର ମାଲିକ ମହାସଂଘ ପ୍ରତିବାଦ ଜଣାଇଛି। ପୂର୍ବଚେତାବନି ମୁତାବକ ମା ଭଟ୍ଟାରିକା ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ ସୋମବାର ବଡ଼ମ୍ବାରେ ଏକ ବିଶାଳ ଟ୍ରାକ୍ଟର ଶୋଭାଯାତ୍ରାସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେପରେ ଏକ ସାଧାରଣ ସଭା କରାଯାଇ ଉପୁଜିଥିବା ସମସ୍ୟାର ଶିଘ୍ର ସମାଧାନ ନେଇ ଜିଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ତହସିଲଦାର ଦେବଦତ୍ତ ମହାନ୍ତ ଉକ୍ତ ସ୍ମାରକପତ୍ର ଗ୍ରହଣ କରିବାସହିତ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଘଟଣା ସମ୍ପର୍କରେ ତହସିଲଦାର ଶ୍ରୀ ମହାନ୍ତଙ୍କୁ ପଚାରିବାରେ କେତକ ଆଇନଗତ ପକ୍ରିୟା ପୁରଣ ହେବାରେ ବିଳମ୍ବ ହେଉଥିବାରୁ ଏଭଳି ସମସ୍ୟା ଉପୁଜିଥିବା କହିଥିଲେ। ବିଶେଷକରି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରଣାଳୟ,ରାଜ୍ୟ ପ୍ରଦୁଷଣ ବିଭାଗ ଏବଂ ଗ୍ରାମସଭା ମଞ୍ଜୁରିପ୍ରାପ୍ତ ନେଇ ଥିବା ବାଧ୍ୟବାଧକତା ପକ୍ରିୟା ସମ୍ପୂର୍ଣ୍ଣ ହେବାରେ ଯାଇ ଆଇନତଃ ବାଲିଘାଟ ଚାଲିବବୋଲି ନିର୍ଦେଶଥିବା ବେଳେ ତାହା ପୁରଣନେଇ ବିଳମ୍ବ ହେଉଥିବାରୁ ଏଭଳି ସମସ୍ୟା ଦେଖାଯାଇଥିବା ଜଣାଯାଇଛି। ତେବେ ଜନସାଧାରଣଙ୍କ ସମୁହସ୍ୱାର୍ଥ ଜଡ଼ିତ ଏହି ସମସ୍ୟାକୁ ଦୂରକରିବା ଏବଂ ଆବଶ୍ୟକ ଆଇନଗତ ପକ୍ରିୟାକୁ ତ୍ୱରାନିତ କରିବାପାଇଁ ତହସିଲଦାର ଶ୍ରୀ ମହାନ୍ତଙ୍କୁ ମହାସଂଘର ସଭାପତି ସରୋଜ ନାୟକ,ସମ୍ପାଦକ ଗିରିଜାଶଙ୍କର ରାୟଗୁରୁଙ୍କ ସମେତ ନାଗରିକମଞ୍ଚ ସଭାପତି ଦାମୋଦର ରଣା,ବ୍ଲକ ବିଜେଡି ସଭାପତି ରବିନ୍ଦ୍ରକୁମାର ସାହୁ,ସାମାଜିକକର୍ମୀ ସରୋଜକୁମାର ପଟ୍ଟନାୟକ,ଚିନ୍ମୟ ପଟ୍ଟନାୟକ,ଜୟ ଶତପଥୀ,ସଂଘର ଉପଦେଷ୍ଟା ଶିବନାରାୟଣ ମିଶ୍ର,ସନ୍ତୋଷକୁମାର ଦେବତା ପ୍ରମୁଖ ଏକ ପ୍ରତିନିଧିମଣ୍ଡଳି ସାକ୍ଷାତ କରି ଅନୁରୋଧ କରିଛନ୍ତି। ଅନ୍ୟଥା ଆସନ୍ତା ମାସରେ ମହାସଂଘ ରାସ୍ତାରୋକ ଆନ୍ଦୋଳନ କରିବ ବୋଲି ଚେତାବନି ଦିଆଯାଇଥିବା ସଂଘ ସୂତ୍ରରୁ ପ୍ରକାଶ। ପ୍ରକାଶଥାଉକି ଦୀର୍ଘପ୍ରାୟ ୮ମାସ ଧରି ବଡ଼ମ୍ବା ଜନସାଧାରଣ ମହାନଦୀ କୂଳରେ ଥାଇ ସୁଦ୍ଧା ନଦୀରୁ ବାଲି ଗାଣ୍ଡୁଏ ପାଇବାକୁ ସକ୍ଷମ ହେଉନାହାନ୍ତି। ବାଲି କାହିଁକି ଉପଯୁକ୍ତ ଭିତ୍ତିଭୂମି ଅଭାବରୁ ନିର୍ମାଣ କାର୍ଯ୍ୟଲାଗି ମାଟି,ମୋରମ,ପଥର ଆଦି ଖଣିଜ ପଦାର୍ଥ ଲୋକଙ୍କୁ ସୁବିଧାରେ ମିଳୁନଥିବା ଅଭିଯୋଗ ହେଉଛି। ବିଶେଷଭାବେ ଏହି କାରଣରୁ ଋଣ କରି ପଇସା ଖଟାଇ ଟ୍ରାକ୍ଟର କରିଥିବା ମାଲିକମାନେ ନିଜର ଜୀବନଜିବିକା ଚଳାଇବା ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଡ଼ମ୍ବନାର ବିଷୟ ଏଭଳି ପରିସ୍ଥିତି କାରଣରୁ ପଡ଼ୋଶୀ ନରସିଂହପୁର ବାଲିଘାଟରୁ ଏବେ ବଡ଼ମ୍ବାକୁ ବାଲି ଆସୁଛି। ଲୋକଙ୍କୁ ଏଥିଲାଗି ଗୋଟିଏ ଟ୍ରାକ୍ଟର ଭର୍ତ୍ତି ବାଲିଗାଡ଼ି ପିଛା ୧୮ଶହ ଟଙ୍କାରୁ ଦୁଇ ହଜାର ଟଙ୍କା ଦେବାକୁ ପଡ଼ୁଛି।

Comments are closed.