ପ୍ରଦୀପ୍ତ ଯାଇଥିଲେ ତିନି ହସ୍ପିଟାଲ

ଭୁବନେଶ୍ବର : ସୂର୍ଯ୍ୟନଗରରେ ପଞ୍ଚମ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ଚିନ୍ତା ବଢ଼ି ଯାଇଛି। କରୋନା ସଂକ୍ରମିତ ପ୍ରଦୀପ୍ତ ଦଳବେହେରା କେବେ କେଉଁ ହସ୍ପିଟାଲକୁ ଯାଇଥିଲେ ସେନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏକ ଟ୍ରାକ୍ ରେକର୍ଡ ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟବିଭାଗର ସୂଚନା ଅନୁଯାୟୀ ଶ୍ରୀ ଦଳବେହେରା ମାର୍ଚ୍ଚ ୫ରେ ପ୍ରଥମେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ଲାଗି ନିକଟସ୍ଥ ମହାଶକ୍ତି କ୍ଲିନିକ ଯାଇଥିଲେ। ତାଙ୍କର ସ୍ବାସ୍ଥ୍ୟବସ୍ଥାର ଉନ୍ନତି ନହେବାରୁ ପୁନର୍ବାର ପରୀକ୍ଷା ପାଇଁ ୧୨ରେ ଯାଇଥିଲେ। ହେଲେ ଦୁଇସପ୍ତାହ ପରେ ପୁଣିଥରେ ଦେହ ଖରାପ ହେବାରୁ ୨୭ତାରିଖ ଅପରାହ୍ନରେ ଘରୋଇ ହସ୍ପିଟାଲ ସମର ଓପିଡ଼ିରେ ଦେହ ଦେଖାଇଥିଲେ। ଏହାପରେ ୨୮ରେ ଏମ୍ସର ଓପିଡିରେ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଇଥିଲେ। ମାତ୍ର ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ସେ ୩୧ରେ ଏମ୍ସରେ ଆଡମିଟ୍ ହୋଇଥିଲେ। ଚଳିତମାସ ପହିଲାରେ ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ସେ ସଂକ୍ରମିତ ବୋଲି ନମୁନାରୁ ସ୍ପଷ୍ଟ ହୋଇଛି। ତେବେ ଦୀର୍ଘ ୨୬ଦିନ ମଧ୍ୟରେ ପ୍ରଦୀପ୍ତ ଏତେସବୁ ହସ୍ପିଟାଲ ବୁଲିବା ମଧ୍ୟରେ କାହିଁକି ଏଥିପୂର୍ବରୁ ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇ ନଥିଲା ଏବଂ ଏହି ସମୟ ମଧ୍ୟରେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ସେନେଇ ଏବେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଯେଉଁମାନେ ଏହିସବୁ ହସ୍ପିଟାଲକୁ ଉକ୍ତଦିନ ଯାଇଛନ୍ତି ଏବେ ସେମାନଙ୍କ ଅବସ୍ଥା କ’ଣ ହେବ ସେନେଇ ଚିନ୍ତାରେ ଅଛନ୍ତି। ସଂପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ଉକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ଦିଗରେ ପଦକ୍ଷେପ ନେଲେ ନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃ​‌ଷ୍ଟି ହୋଇଛି। ସରକାର ଏତେ ସଚେତନତା ସୃଷ୍ଟି କରୁଥିବାବେଳେ ଏହି ବୃହତ ହସ୍ପିଟାଲଗୁଡିକ କିଭଳି ଏଦିଗକୁ ଧ୍ୟାନ ଦେଲେ ନାହିଁ ତାହା ତଦନ୍ତ ସାପେକ୍ଷ।

Comments are closed.