ସେସୁ ପରେ ସାଉଥକୋ, ୱେସ୍କୋକୁ ନେଲା ଟାଟା

ଭୁବନେଶ୍ବର: ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀ ‘ସେସୁ’କୁ ଅଧିଗ୍ରହଣ କରିବା ପରେ ଟାଟା ପାୱାର ବିଧିବଦ୍ଧ ଭାବେ ୱେସ୍କୋ ଓ ସାଉଥ୍‌କୋ କମ୍ପାନୀକୁ ଅଧିଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଛି। ଗୁରୁବାର ଫାଇନାନ୍ସିଆଲ ବିଡ୍ ଖୋଲାଯିବା ପରେ ଟାଟା ପାୱାର କମ୍ପାନୀ ଲିମିଟେଡ(ଟିପିସିଏଲ୍‌) ଏହି ଦୁଇଟି ବିଦ୍ୟୁତ ଆବଣ୍ଟନକାରୀ କମ୍ପାନୀକୁ ଅଧିଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପକ୍ଷରୁ ଏନେଇ ଟାଟା ପାୱାରକୁ ଲେଟର ଅଫ ଇଣ୍ଟେଣ୍ଟ(ଏଲଓଆଇ) ସଦ୍ଦିଚ୍ଛା ପତ୍ର ପ୍ରଦାନ କରାଯାଇଛି। ୱେସ୍କୋ ଓ ସାଉଥକୋକୁ ଅଧିଗ୍ରହଣ କରିବା ପରେ ଏହି ଦୁଇ କମ୍ପାନୀରେ ଟିପିସିଏଲ୍‌ ଅଧୀନରେ ୫୧ ପ୍ରତିଶତ ଅଂଶଧନ ରହିବ। ବାକି ୪୯ ପ୍ରତିଶତ ଗ୍ରିଡ୍‌କୋ ଅଧିନରେ ରହିବ ବୋଲି ଜଣାପଡିଛି। ଆସନ୍ତା ୨୫ ବର୍ଷ ପାଇଁ ଏହି ଦୁଇ କମ୍ପାନୀର ପରିଚାଳନା ଦାୟିତ୍ବ ଟିପିସିଏଲ୍‌ ଅଧିନରେ ରହିବ ବୋଲି ଓଇଆର୍‌ସି ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ସାଉଥକୋର ରହିଥିବା ୧୦୦ କୋଟି ଟଙ୍କା ବକେୟାକୁ ଟିପିସିଏଲ୍‌ ଆଦାୟ କରିବ। ବର୍ତ୍ତମାନ ସାଉଥ୍‌କୋର ବିଦ୍ୟୁତ ସରବରାହ ଜନିତ କ୍ଷତି ୩୫.୨୯ ପ୍ରତିଶତ ରହିଛି। ଆସନ୍ତା ୧୦ ବର୍ଷରେ ଏହାକୁ ୧୪.୮୦ ପ୍ରତିଶତକୁ ହ୍ରାସ କରିବା ଲାଗି ଟିପିସିଏଲ୍‌ ଚୁକ୍ତି କରିଛି। ସେହିପରି ଆସନ୍ତା ୫ ବର୍ଷ ପାଇଁ ଯେଉଁ ପୁଞ୍ଜିନିବେଶ କରିବ ସେନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛି।
ଅନ୍ୟପକ୍ଷରେ ୱେସ୍କୋର ବର୍ତ୍ତମାନର ବିଦ୍ୟୁତ୍‌ ସରବରାହ ଜନିତ କ୍ଷତି ୨୭.୫୬ ପ୍ରତିଶତକୁ ଆସନ୍ତା ୧୦ ବର୍ଷ ପରେ ୯.୦୮ ପ୍ରତିଶତକୁ ହ୍ରାସ କରିବା ଲାଗି ଟିପିସିଏଲ୍‌ ପ୍ରତିଶ୍ରୁତି ଦେଇଛି। ସେହିପରି ଆସନ୍ତା ୫ ବର୍ଷ ଲାଗି ଧାର୍ୟ୍ୟ ପୁଞ୍ଜିନିବେଶ କରିବା ଲାଗି ମଧ୍ୟ ଟିପିସିଏଲ୍‌ ଚୁକ୍ତି କରିଥିବା ଓଇଆର୍‌ସି ପକ୍ଷରୁ ପ୍ରକାଶିତ ପ୍ରେସ୍‌ ବିବୃତିରେ ଉଲ୍ଲେଖ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୩ଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ୱେସ୍କୋ, ନେସ୍କୋ ଓ ସାଉଥକୋର ଘରୋଇକରଣ ଦୌଡ଼ରେ ଓଇଆଇସିଙ୍କ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ନେସ୍କୋ ପାଇଁ ଟାଟା ପାୱାର ଏକମାତ୍ର କମ୍ପାନୀ ଭାବେ ଟେଣ୍ଡର ଦାଖଲ କରିଥିବାରୁ ଏନେଇ ଆଇନଗତ ତର୍ଜମା ଜାରି ରହିଥିବା ବେଳେ ୱେସ୍କୋ ଓ ସାଉଥକୋକୁ ଅଧିଗ୍ରହଣ ନିମନ୍ତେ ଟେଣ୍ଡର ଦୌଡରେ ଟାଟା ପାୱାର ଯୋଗ୍ୟ ବିବେଚିତ ହୋଇଛି। ଏହି ଦୁଇ କମ୍ପାନୀ ନିମନ୍ତେ ଇଣ୍ଡିଆ ପାୱାର କର୍ପୋରେସନ୍ ଓ ଫ୍ରାନ୍ସ ସରକାରଙ୍କ କମ୍ପାନୀ ଇଲେକ୍ଟ୍ରିସାଇଟ୍‌ ଡି ଫ୍ରାନ୍ସସା(ଇଡିଏସ) କମ୍ପାନୀ ଅଂଶଗ୍ରହଣ କରିଥିଲେ।

Comments are closed.