ସ୍ଥଳ ପଥରେ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ମନା

ନୂଆଦିଲ୍ଲୀ: ସ୍ଥଳ ପଥରେ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସିପାରିବେ ନାହିଁ । କେବଳ ବିମାନ ଅଥବା ଜଳ ଜାହାଜରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ପ୍ରବେଶ କରିବାକୁ ଅନୁମତି ଦିଆଯିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସାନି ଭିସା ନିୟମାବଳୀରେ ଏହା ସ୍ପଷ୍ଟ କରାଯାଇଛି । ଚଳିତ ଅକ୍ଟୋବର ମାସ ୧୫ ତାରିଖୀରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି ।

 

ସୂଚନାଯୋଗ୍ୟ ଯେ ୨୦୨୦ ମାର୍ଚ୍ଚରୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଉପରେ କଟକଣା ଲାଗୁ କରାଯାଇଥିବାବେଳେ ଅକ୍ଟୋବର ୧୫ରୁ ତାହା କୋହଳ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଭାରତ ସରକାର ଗତବର୍ଷ ମାର୍ଚ୍ଚରେ ଘରୋଇ ଓ ଆନ୍ତର୍ଜାତିକ ଉଡାଣ ବନ୍ଦ ସହିତ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା ଜାରି କରିଥିଲେ । କୋଭିଡର ପ୍ରଥମ ଲହର ପରେ ୨୦୨୦ ମଇ ମାସରେ ସରକାର ଘରୋଇ ବିମାନ ଉଡାଣକୁ ଅନୁମତି ଦେଇଥିଲେ । ଇତିମଧ୍ୟରେ ଅଟ୍ଟାରି, ଅଗରତାଲା, ପେଟ୍ରାପୋଲ, ରକ୍ସଲ, ଯୋଗବାଣି, ମୋରେ, ସୁତରକାଣ୍ଡି, ଶ୍ରୀମନ୍ତପୁର ଏବଂ କର୍ତ୍ତାରପୁର ଆଦି ସ୍ଥାନରେ ଭାରତ ପକ୍ଷରୁ ସମନ୍ୱିତ ତନଖି ଫାଟକ ସ୍ଥାପନ କରାଯାଇଛି । ସେଗୁଡିକ ବିଦେଶୀ ପର୍ଯ୍ୟଟକଙ୍କୁ ଭିସା ପ୍ରଦାନ ନିମନ୍ତେ ସଂପ୍ରତି ଖୋଲାଯିବ ନାହିଁ । ଅନ୍ୟ ଏକ ଘଟଣା କ୍ରମରେ ଭାରତ ସରକାର ମାଳଦ୍ୱୀପ ସହିତ ଭିସାମୁକ୍ତ ଭ୍ରମଣ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକାରୀ କରିଛନ୍ତି । ଏହା ୨୦୧୮ରେ ବନ୍ଦ ରଖାଯାଇଥିଲା ।

Comments are closed.