ଭାରତରେ ଘଟିଥିବା ୫ ପ୍ରମୁଖ ବିମାନ ଦୁର୍ଘଟଣା : ୧୯୯୬ ମସିହା​‌ରେ ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଘଟିଥିଲା ଧକ୍କା

କେରଳରେ ଶୁକ୍ରବାର ରାତିରେ ଘଟିଥିବା ବିମାନ ଦୁର୍ଘଟଣାରେ ୧୬ ଜଣଙ୍କ ଜୀବନ ଯାଇଛି । ରନୱେରେ ଅବତରଣ କରିବା ପରେ ବିମାନଟି ପ୍ରବଳ ବର୍ଷା ଯୋଗୁଁ ଖସି ଯାଇ ସାମ୍ନାରେ ଥିବା ଖାତ ମଧ୍ୟରେ ୩୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ବିମାନଟି ଦୁଇଖଣ୍ଡ ହୋଇ ଯାଇଥିଲା । 

ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ବୋଇଂ ବିମାନ ଆଇଏକ୍ସ ୧୩୪୪ରେ ୧୯୧ ଜଣ ଯାତ୍ରୀ, ପାଇଲଟ୍ ଓ ସହାୟକ ଥିଲେ । ଏହି ବିମାନ ଦୁର୍ଘଟଣା ପ୍ରାୟ ୧ ଦଶକ ପୂର୍ବରୁ ମାଙ୍ଗାଲୋରରେ ଘଟିଥିବା ଆଉ ଏକ ବିମାନ ଦୁର୍ଘଟଣାର ସ୍ମୃତିକୁ ମନେ ପକାଇ ଦେଇଛି ।

ଭାରତରେ ଘଟିଥିବା ୫ ପ୍ରମୁଖ ବିମାନ ଦୁର୍ଘଟଣା 

୨୦୧୮ ମୁମ୍ବାଇ: ଗତ ୨୦୧୮ ଜୁନ୍ ମାସରେ ମୁମ୍ବାଇରେ ଘଟିଥିଲା ଏକ ବିମାନ ଦୁର୍ଘଟଣା । ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକ ୧୨ ଆସନ ବିଶିଷ୍ଟ କ୍ଷୁଦ୍ର ବିମାନ ଖସି ପଡ଼ିଥିଲା । ଏଥିରେ ଦୁଇଜଣ ପାଇଲଟ୍, ୨ ଇଞ୍ଜିନିଅରଙ୍କ ସହ ଜଣେ ପଦଯାତ୍ରୀ ମୃତ୍ୟୁବରଣ କରିଥିଲେ । ବିମାନର ପରୀକ୍ଷାମୂଳକ ଉଡ଼ାଣ ସମୟରେ ଘାଟକୋପର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

୨୦୧୦ ମାଙ୍ଗାଲୁରୁ: ଭାରତର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ୨୦୧୦ରେ ମାଙ୍ଗାଲୁରୁରେ ଘଟିଥିଲା । ଏୟାର ଇଣ୍ଡିଆର ଏକ ବିମାନ ମାଙ୍ଗାଲୋର ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୫୮ ଜଣଙ୍କର ମୃତ୍ୟୁ ଘଟିଥିଲା । 

୨୦୦୦ ବିହାର: ବିହାରର ପାଟଣା ନିକଟରେ ୨୦୧୦ ଜୁଲାଇ ମାସରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସହରଠାରୁ ୨ କିଲୋମିଟର ଦୂରରେ ଘଟିଥିବା ଏହି ଦୁର୍ଘଟଣାରେ ୫୫ ଜଣଙ୍କର ମୃତ୍ୟୁ ଘଟିଥିଲା ।

୧୯୯୬ ହରିଆଣା : ୧୯୯୬ ମସିହା ନଭେମ୍ବର ମାସରେ ହରିଆଣାର ଚରଖି ଦାଦରୀଠାରେ ଦୁଇ ବିମାନ ମଝି ଆକାଶରେ ଧକ୍କା ଯୋଗୁଁ ୩୪୯ ଜଣ ମୃତ୍ୟୁବରଣ କରିଥିଲେ । ସାଉଦୀର ଏକ ବିମାନ ସହ କାଜାକିସ୍ତାନର ଗୋଟିଏ ବିମାନ ଆକାଶରେ ମୁହାଁମୁହିଁ ହେବାର ଏପରି ଘଟଣା ଘଟିଥିଲା ।

୧୯୮୫ ଆୟରଲ୍ୟାଣ୍ଡ: ଏୟାର ଇଣ୍ଡିଆର ଏକ ବିମାନ ୧୯୮୫ ମସିହା ଜୁନ ୨୩ ତାରିଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଟରେଣ୍ଟୋରୁ ଭାରତ ଆସୁଥିବାବେଳେ ଆତଙ୍କବାଦୀଙ୍କ ଶିକାର ହୋଇଥିଲା ।ବିମାନଟି ଆୟରଲ୍ୟାଣ୍ଡ ଉପକୂଳ ଉପରେ ଉଡ଼ୁଥିବା ସମୟରେ ଏଥିରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ୩୨୯ ଜଣଙ୍କର ମୃତ୍ୟୁ ଘଟିଥିଲା ।

Comments are closed.