ବୀରାପ୍ପାନରୁ ବିକାଶ ଦୁବେ: ୧୭ ବର୍ଷରେ ଦେଶର ୧୦ ବିବାଦୀୟ ଏନକାଉଣ୍ଟର

କାନପୁରରେ ଆଠ ଜଣ ପୋଲିସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶୁକ୍ରବାର ପୁଲିସ ଗୁଳିରେ ପ୍ରାଣ ହରାଇଛି । ଉତ୍ତରପ୍ରଦେଶ ପୁଲିସ ସୂଚନା ଅନୁସାରେ ବିକାଶ ଦୁବେଙ୍କୁ ନେଇ ଯାଉଥିବା ସ୍ବତନ୍ତ୍ର ଟାସ୍କ ଫୋର୍ସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ବିକାଶ ଫେରାର ହେବାକୁ ଉଦ୍ୟମ କରୁଥିଲା । ତାକୁ ରୋକିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ପୁଲିସ ଗୁଳି ଚଳାଇଥିଲା ଏବଂ ସେଥିରେ ସେ ମୃତ୍ୟୁବରଣ କରିଛି । ୮ ଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ପୁଲିସ ବିକାଶର ୮ ସହଯୋଗୀଙ୍କୁ ଏନକାଉଣ୍ଟର କରିଛି ଏବଂ ବିକାଶ ମଧ୍ୟ ପୁଲିସ ଗୁଳିର ଶିକାର ହୋଇଛି । ତେବେ ଏହାକୁ ନେଇ ଉଠିଛି ବିବାଦ । ଏନକାଉଣ୍ଟରର ପଦ୍ଧତିକୁ ନେଇ ସ୍ବାଭାବିକ ଭାବରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜନୈତିକ ପ୍ରତିପକ୍ଷମାନେ ଯୋଗୀ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ମାତ୍ର ଏହି ଗୋଟିଏ ଘଟଣା ନୁହେଁ । ଗତ ୧୭  ବର୍ଷ ମଧ୍ୟରେ ଦେଶରେ ଏମିତି ବହୁ ଏନକାଉଣ୍ଟର ହୋଇଛି; ତାକୁ ନେଇ ମଧ୍ୟ ପ୍ରଶ୍ନ ବି ଉଠିଛି । ୨୦୦୩ମସିହାରୁ ଦେଶର ସବୁଠୁ ବିବାଦୀୟ ଏନକାଉଣ୍ଟରର କାହାଣୀ ।

୨୦୧୯: ହାଇଦ୍ରାବାଦରେ ୪ ବଳାତ୍କାରୀଙ୍କ ଏନକାଉଣ୍ଟର 

ଗତ ଡିସେମ୍ବର ୨୦୧୯ ରେ ତେଲଙ୍ଗାନା ପୁଲିସ ହାଇଦ୍ରାବାଦର ଜଣେ ପ୍ରାଣୀ ଚିକିତ୍ସକଙ୍କ ଗଣ ବଳାତ୍କାର ଓ ନିଆଁରେ ପୋଡି ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥଇଲା । କୁହାଯାଇଥିଲା ଯେ ଏହି ବ୍ୟକ୍ତିମାନଙ୍କୁ ଘଟଣାସ୍ଥଳ ଅଣ୍ଡରପାସ୍ ନିକଟକକୁ ନେଇ ଅନୁସନ୍ଧାନ କରାଯାଉଥିବାବେଳେ ସେମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ତେଣୁ ପୁଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ଏଥିରେ ସେମାନେ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ମୃତ୍ୟୁକୁ ନେଇ ସେତେବେଳେ ବିବାଦ ସୃଷ୍ଟି ହୋଇଥିଲେ ହେଁ ହାଇଦ୍ରାବାଦ ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ଅନେକ ପ୍ରଶଂସା କରିଥିଲେ । ଏହି ଘଟଣାର ତଦନ୍ତ ଏବେ ମଧ୍ୟ ଅବ୍ୟାହତ ରହିଛି ।

୨୦୧୬: ଭୋପାଳ ଜେଲ ଏନକାଉଣ୍ଟର

ଅକ୍ଟୋବର ୨୦୧୬ ରେ ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ (ସିମ୍ଆଇ) ସହିତ ଜଡିତ ଆଠ ଜଣ ବ୍ୟକ୍ତି ଭୋପାଳ ସେଣ୍ଟ୍ରାଲ ଜେଲରୁ ପଳାଇ ଯାଇଥିଲେ ଏବଂ ପରେ ସେମାନେ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ । ଫେରାର ହୋଇ ଯାଇଥିବା ବ୍ୟକ୍ତିମାନଙ୍କୁ ପୁଲିସ ଠାବ କରିଥିଲା ଓ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । ମାତ୍ର ସେମାନେ ପୁଲିସ ଓ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ପୁଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା। ଏଥିରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ତେବେ ପଳାୟନକାରୀମାନେ କିପରି  ଜେଲରୁ କିପରି ପଳାଇଲେ, ଅସ୍ତ୍ରଶସ୍ତ୍ର କେଉଁଠୁ ପାଇଲେ, ସେମାନଙ୍କୁ ଯିବାବେଳେ ପୋଷାକ ଓ ଖାଦ୍ୟ କିଏ ଦେଲା ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଏହି ମାମଲାର ବିଚାର ପାଇଁ ଗଠିତ ନ୍ୟାୟିକ ଆୟୋଗ ପୁଲିସକୁ କ୍ଲିନଚିଟ୍ ଦେଇଛି ।

୨୦୧୦: ମଣିପୁର ବିଚାରାଧୀନ ହତ୍ୟା
ଫେବୃଆରୀ ୨୦୨୦ ରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଚାରିଜଣ  ପୁଲିସ ଇମ୍ଫାଲ ପଶ୍ଚିମ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହି କର୍ମଚାରୀମାନେ ୧ ସେପ୍ଟେମ୍ବର ୨୦୧୦ରେ ହୋଇଥିବା ନକଲି ଏନକାଉଣ୍ଟର ଇରେଙ୍ଗବାମ ରତନକୁମାରଙ୍କୁ ହତ୍ୟା କରିଥିଲେ ।  ଏହି ଘଟଣାର ତଦନ୍ତ କରୁଥିବା ସିବିଆଇର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ମେ ୨୦୧୯ ରେ ପୋଲିସ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲେ ।

 ୨୦୦୮: ବାଟଲା ହାଉସ୍

୨୦୦୮ରେ ଦିଲ୍ଲରେ ବାଟଲା ହାଉସର ଏନକାଉଣ୍ଟର ସାରା ଦେଶରେ ବିବାଦୀୟ ହୋଇଥିଲା । ଏହା ଉପରେ ବଲିଉଡ଼ରେ ମଧ୍ୟ ଏକ ଫିଲ୍ମ ନିର୍ମିତ ହୋଇଛି । ୧୯ ସେପ୍ଟେମ୍ବର ୨୦୦୮ ରେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଜାମିଆ ନାଗରର ବାଟଲା ହାଉସରେ ଏକ ଏନକାଉଣ୍ଟର କରିଥିଲେ। ଏଥିରେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ସହ ଦୁଇଜଣ ଭାରତୀୟ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଥିଲେ। ମୋହନ ଚାନ୍ଦ ଶର୍ମା ଏହି ଅପରେସନର ନେତୃତ୍ବ ନେଇଥିଲେ । ମାତ୍ର ଅନେକ ଏହି ଏନକାଉଣ୍ଟରର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଓ ଯୋଜନାବଦ୍ଧ ହତ୍ୟାକୁ ନାଟକୀୟ ଏନକାଉଣ୍ଟର ରୂପ ଦିଆଯାଇଥିବା ଅଭିଯୋଗ କରିଥିଳେ । ଜାତୀୟ ମାନବାଧିକାର ଆୟୋଗ ଏହାର ତଦନ୍ତ କରି ଦିଲ୍ଲୀ ପୁଲିସକୁ କ୍ଲିନଚିଟ୍ ପ୍ରଦାନ କରିଥିଲେ ହେଁ ଦିଲ୍ଲୀ ହାଇକୋର୍ଟ ପୁଲିସକୁ ଟ୍ରଏଲ କୋର୍ଟରେ ଅଧିକ ପ୍ରମାଣ ଦାଖଲ କରିବାକୁ କହିଥିଲେ ।

୨୦୦୬: ରାମ ନାରାୟଣ ଗୁପ୍ତା ଏନକାଉଣ୍ଟର 

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କ ସହାୟକ ରାମ ନାରାୟଣ ଗୁପ୍ତା ପୁଲିସ ଏନକାଉଣ୍ଟରରେ ୨୦୦୬ରେ ପ୍ରାଣ ହରାଇଥିଲା । କୁହାଯାଏ ଯେ ମୁମ୍ବାଇ ପୁଲିସ ରାମନାରାୟଣକୁ ଭାସିରୁ ଉଠାଇ ନେଇଥିଲା ଓ ଭର୍ସୋଭାଠାରେ ଏକ ଏନକାଉଣ୍ଟରରେ ହତ୍ୟା କରିଥିଲା । ଏହି ଘଟଣା ଅଦାଲତକୁ ଯାଇଥିଲା ଏବଂ  ୨୦୧୩ ରେ ଅଦାଲତ ଗୁପ୍ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୧୩ ଜଣ ପୁଲିସ କର୍ମଚାରୀଙ୍କ ସମେତ ୨୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଷଡଯନ୍ତ୍ର ଏବଂ ଅପହରଣରେ ଏହା ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟର ବିଶେଷଜ୍ଞ ପ୍ରଦୀପ ଶର୍ମା ଏହି ମାମଲାରେ ନିର୍ଦୋଷରେ ଖଲାସ ହୋଇଥିଲେ ।

୨୦୦୬: ସୋହରାବୁଦ୍ଦିନ ଶେଖ 

ସୋହରାବୁଦ୍ଦିନ ଶେଖ ଏନକାଉଣ୍ଟର ୨୦୦୬ ମସିହାର ଥିଲା ସବୁଠୁ ଚର୍ଚିତ ଏନକାଉଣ୍ଟର । ତାକୁ ପୁଲିସ ଲସ୍କର ଆତଙ୍କବାଦୀଙ୍କ ସହଯୋଗୀ ବୋଲି ଉଲ୍ଲେଖ କରି ପୁଲିସ ଏନକାଉଣ୍ଟର କରିଥିଲା । ଶେଖ ଓ ତାଙ୍କୁ ହାଇଦ୍ରାବାଦରୁ ମହାରାଷ୍ଟ୍ରର ସାଙ୍ଗଭି ଯାଉଥିବାବେଳେ ଗୁଜୁରାଟ ପୁଲିସର ଆଣ୍ଟି ଟେରର ସ୍କ୍ବାର୍ଡ଼ ସେମାନଙ୍କୁ ଉଠାଇ ନେଇଥିଲେ । ଏହାପରେ ତାଙ୍କର ମୃତଦେହ ମିଳିଥିଲା । ସୋହରାବୁଦ୍ଦିନ ବିରୋଧରେ ନରେନ୍ଦ୍ର ମୋଦୀଙ୍କ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆସିଥିଲା । ସେହିପରି ଗୁଜରାଟ ଓ ରାଜସ୍ଥାନର ମାର୍ବଲ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟିବା ନେଇ ତା ବିରୋଧରେ ଅଭିଯୋଗ ହୋଇଥିଲା।

୨୦୦୬:ତୁଲସୀରାମ ପ୍ରଜାପତି 

ସୋହରାବୁଦ୍ଦିନ ଶେଖଙ୍କ ସହଯୋଗୀ ଭାବରେ ଜଣାଶୁଣା ତୁଲସିରାମ ପ୍ରଜାପତିଙ୍କୁ ଏକ ନକଲି ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ୨୦୦୬ ମସିହାରେ ଅଭିଯୋଗ ହୋଇଥିଲା। ସିବିଆଇ ଅନୁଯାୟୀ, ଗୁଜୁରାଟ ପୁଲିସ ସେମାନଙ୍କୁ ଧରିବାବେଳେପ୍ରଜାପତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେଣୁ ତାଙ୍କୁ ଗିରଫ କରାଯାଇଥିଲା ଏବଂ ରାଜସ୍ଥାନରେ ପ୍ରଜାପତିଙ୍କୁ ଗିରଫ କରାଯାଇ ପରେ ହତ୍ୟା କରାଯାଇଥିବା ଦେଖାଯାଇଥିଲା। ୨୦୧୧ ମସିହାରେ ସୁପ୍ରିମକୋର୍ଟ ସିବିଆଇକୁ ଏହି ମାମଲାର ବିଚାର କରିବାକୁ କହିଥିଲେ ଏବଂ ତତ୍କାଳୀନ ଗୁଜରାଟର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଜାପତିଙ୍କୁ ହଟାଇବାରେ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରିଥିଲେ। ତେବେ  ୨୦୧୮ ଡ଼ିସେମ୍ବର ମାସରେ ପ୍ରଜାପତି ଏନକାଉଣ୍ଟର ମାମଲାର ସମସ୍ତ ୨୨ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଥିଲେ ।

୨୦୦୪: ଇଶ୍ରତ୍ ଜହାଁ

୨୦୦୪ ଜୁନ ୧୫ ତାରିଖରେ  ରେ ଗୁଜୁରାଟ ପୁଲିସ ୧୯ ବର୍ଷିୟ ଇଶ୍ରତ ଜହାଁ  ଓ ଅନ୍ୟ ତିନିଜଣଙ୍କୁ ଅହମ୍ମଦାବାଦ ଉପକଣ୍ଠରେ ଏକ ଏନକାଉଣ୍ଟର କରିଥିଲା ।  , ଏହି ଚାରିଜଣ ଲଶ୍କର-ଏ-ତୋଏବାର କାର୍ଯ୍ୟକର୍ତା ଥିଲେ ସେତେବେଳେ ପୁଲିସ ସୂଚୂନା ଦେଇଥିଲା ଓ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା କୁହାଯାଉଥିଲା । ଏହି ମାମଲାର ନ୍ୟାୟିକ ତଦନ୍ତ ହୋଇଥିଲା । ତେବେ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ୱାରା ହୋଇଥିବା ଏକ ଅନୁସନ୍ଧାନରେ କୁହାଯାଇଛି ଯେ ଏହି ଏନକାଉଣ୍ଟର ହୋଇଛି। ଏହା ପରେ ମାମଲା ସୁପ୍ରିମକୋର୍ଟକୁ ହସ୍ତାନ୍ତର କରାଯାଇଥିଲା ଏବଂ ଏହାକୁ ସିବିଆଇକୁ ହସ୍ତାନ୍ତର କରିଥିଲା ​​ଏବଂ ଏହି ଘଟଣାରେ ଗୁଜରାଟର ବହୁ ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା। ଜାହାନ ସାତ ଭାଇଭଉଣୀଙ୍କ ମଧ୍ୟରୁ ଦ୍ୱିତୀୟ ଏବଂ ମୁମ୍ବାଇର ଗୁରୁ ନାନକ ଖାଲସା କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ।

୨୦୦୪: ବୀରାପ୍ପାନ

୨୦୦୪ ମସିହା ଅକ୍ଟୋବର ମାସରେ  ତାମିଲନାଡୁର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ହୋଇଥିବା ଏକ ଏନକାଉଣ୍ଟରରେ ଅପହରଣ, ହାତୀ ଦାନ୍ତ ତସ୍କରୀ ଓ ଚନ୍ଦନ ଚୋରା ଚାଲାଣ ନିମନ୍ତେ କୁଖ୍ୟାତ ବୀରାପ୍ପାନକୁ ଏନକାଉଣ୍ଟର କରାଯାଇଥିଲା ।  ଆଖି ଦେଖାଇବାକୁ ସେ ଡ଼ାକ୍ତରଖାନା ଯାଉଥିବାବେଳେ ତା ଉପରେ ଗୁଳିମାଡ଼ କରିବାକୁ ପଡ଼ିଥିଲା । ବୀରାପ୍ପାନ ଯାଉଥିବା ଗାଡ଼ି ଉପରକୁ ୩୩୮ ଗୁଳି ଚଳାଇଥିଲା ଓ ସେଥିରୁ ମାତ୍ର ୩ଟି ବୀରାପ୍ପାନ ଦେହରେ ବାଜିଥିଲା । କିନ୍ତୁ ତାଙ୍କ ଦେହରେ ସେପରି କିଛି ବଡ଼ କ୍ଷତ ହୋଇ ନ ଥିଲା ।

 ୨୦୦୩: ସାଦିକ ଜମାଲ
୨୦୦୩ ରେ ଗୁଜୁରାଟ ପୁଲିସ  ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ବିଜେପି ନେତାଙ୍କ ଉପରେ ଆକ୍ରମଣ ଯୋଜନା କରୁଥିବା ସୂଚନା ପାଇବାକୁ ବିଚାର କରି ସାଦିକ ଜମାଲଙ୍କୁ ହତ୍ୟା କରିଥିଲା। ତେବେ ହତ୍ୟାକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ତଦନ୍ତ ନିର୍ଦେଶ ଦିଆଯାଇଥିଲା ।    ସିବିଆଇର ଅନୁସନ୍ଧାନ ଅନୁଯାୟୀ, ଜାମଲଙ୍କୁ କେବଳ ନକଲି ଏନକାଉଣ୍ଟରରେ ହତ୍ୟା କରାଯାଇ ନାହିଁ ବରଂ ଇଣ୍ଟେଲିଜେନ୍ସ ବ୍ୟୁରୋ ମଧ୍ୟ ଏଥିରେ ଭୂମିକା ଗ୍ରହଣ କରିଛି।

ସିବିଆଇ ଅନୁଯାୟୀ, ମୋଦୀ ଏବଂ ଅନ୍ୟମାନଙ୍କୁ ହତ୍ୟା କରିବାର ଯୋଜନାର ରିପୋର୍ଟର ପ୍ରୋଫାଇଲ ସହିତ ଜମାଲ ମେଳ ଖାଉ ନାହାଁନ୍ତି ଏବଂ ତାଙ୍କର ଅତୀତର ଅପରାଧିକ ରେକର୍ଡରେ କେବଳ ୧୯୯୬ ମସିହାରେ ବିବାଦ ଲାଗି ରହିଥିଲା ​​ଏବଂ ୨୦୦୨ ରେ ଜୁଆ ଖେଳ ପାଇଁ ଗିରଫ କରାଯାଇଥିଲା। ଅନେକ ପୋଲିସ ଇନ୍ସପେକ୍ଟର ଏବଂ ଆଇବି ଅଧିକାରୀଙ୍କୁ ପଚରାଉଚରା କରାଯାଇଥିଲା ଏବଂ ପରେ ତାଙ୍କ ’ଏନକାଉଣ୍ଟର’ ମାମଲାରେ ଅଭିଯୁକ୍ତ ହୋଇଥିଲେ।। ପରେ ୨୦୧୭ ରେ ଜମାଲଙ୍କ ପିତା ଗୁଜୁରାଟ ହାଇକୋର୍ଟରେ ରାଜ୍ୟ ସରକାରଙ୍କଠାରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ମାଗିଥିଲେ।

Comments are closed.