ନ୍ୟୁଜିଲାଣ୍ଡ ୨୪୭ ରନ୍‌ରେ ପରାସ୍ତ; ଅଷ୍ଟ୍ରେଲିଆର ସିରିଜ ବିଜୟ

ମେଲବୋର୍ଣ୍ଣ : ଆଶା ଅନୁସାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ୟ ଟେଷ୍ଟମ୍ୟାଚ୍‌କୁ ଘରୋଇ ଅଷ୍ଟ୍ରେଲିଆ ଜିତିବାରେ ସଫଳ ହୋଇଛି। ୨୪୭ ରନ୍‌ରେ ଏହି ବିଜୟ ସହ ପ୍ରଥମ ୨ଟିଯାକ ଟେଷ୍ଟମ୍ୟାଚ୍‌ରେ ଜିତି ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ହୋଇପାରିଛି। ଏହାସହ ୩ ମ୍ୟାଚ୍‌ର ଟେଷ୍ଟ ସିରିଜକୁ କଙ୍ଗାରୁ ଦଳ ହାତେଇ ନେଇଛି। ୨ୟ ଇନିଂସରେ ୪୮୮ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ନ୍ୟୁଜିଲାଣ୍ଡ ରବିବାର ୪ର୍ଥ ଦିନର ଶେଷଆଡ଼କୁ ୨୪୦ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ଓପ୍‌ନର ଟମ୍ ବ୍ଲଣ୍ଡେଲ ଶତକ ହାସଲ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ନାଥାନ୍ ଲାୟନ୍ ଓ ଜେମ୍‌ସ ପ୍ୟାଟିନ୍‌ସନଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଏହି ବିଜୟ ହାସଲ କରିଛି। ଜାନୁୟାରୀ ୩ରୁ ଉଭୟ ଦଳଙ୍କ ମଧ୍ୟରେ ୩ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଆରମ୍ଭହେବ।
ଏହି ବକ୍ସିଂ ଡେ ଟେଷ୍ଟମ୍ୟାଚ୍‌ରେ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୧୯ ରନ୍ ଆଗରେ ରହିବା ପରେ ନ୍ୟୁଜିଲାଣ୍ଡ ପାଇଁ ମ୍ୟାଚ୍‌କୁ ଫେରିବା କଷ୍ଟକର ହୋଇ ଯାଇଥିଲା। ରବିବାର ୪ର୍ଥ ଦିନରେ ଅଷ୍ଟ୍ରେଲିଆ ୫ ୱିକେଟରେ ୧୬୮ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ଡେଭିଡ୍‌ ୱାର୍ଣ୍ଣର ଓ ଜୋ ବର୍ଣ୍ଣସ୍‌ ପ୍ରଥମ ୱିକେଟ୍‌ ପାଇଁ ୬୨ ରନ୍ ଯୋଡ଼ିବା ପରେ ୱାର୍ଣ୍ଣର ୩୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ମାର୍ନସ ଲାବୁସାନ୍‌ ୧୯ ରନ୍‌ କରି ରନଆଉଟ୍ ହୋଇଥିଲେ। ଜୋ ବର୍ଣ୍ଣସ୍‌ ୨ଟି ଚୌକା ଓ ୧ଟି ଛକା ସହ ୩୫ ରନ୍‌ କରିଥିଲେ। ଷ୍ଟିଭେନ୍‌ ସ୍ମିଥ୍‌ ୭ ରନ୍‌ କରିଥିଲେ। ୪ର୍ଥ ଦିନରେ ମ୍ୟାଥୁ ୱେଡ୍‌ ଓ ଟ୍ରାଭିସ୍‌ ହେଡ୍ ୫୮ ରନ୍ ଯୋଡ଼ିଥିଲେ। ପ୍ରଥମ ଇନିଂସରେ ଶତକ ମାରିଥିବା ହେଡ୍‌ ୨ଟି ଚୌକା ସହ ୨୮ ରନ୍‌କରି ଆଉଟ ହେବା ପରେ ଅଷ୍ଟ୍ରେଲିଆ ୨ୟ ଇନିଂସ ଘୋଷଣା କରିଥିଲା। ମ୍ୟାଥୁ ୱେଡ୍‌ ୩୦ ରନ୍‌କରି ଅପରାଜିତ ଥିଲେ। ନିଲ୍‌ ୱାଗ୍‌ନର ୩ଟି ଓ ମିଚେଲ ସାଣ୍ଟ୍‌ନର ଗୋଟିଏ ୱିକେଟ ​‌ନେଇଥିଲେ। ୪୮୮ ରନ୍‌ର ବିଜୟଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ଇନିଂସ ଆରମ୍ଭ କରିବା ପରେ ବିପର୍ଯ୍ୟୟ ଭୋଗିଥିଲା। ୩୫ ରନ୍‌ରେ ନ୍ୟୁଜିଲାଣ୍ଡ ୩ଟି ୱିକେଟ ହରାଇଥିଲା। ୩ ରନ୍ ମଧ୍ୟରେ ଟମ୍ ଲାଥାମ୍ (୮), ଅଧିନାୟକ କେନ୍ ୱିଲିୟମ୍‌ସନ (୦) ଓ ରସ୍ ଟେଲର (୨) ଆଉଟ ହୋଇ ଯାଇଥିଲେ। ଟମ୍ ବ୍ଲଣ୍ଡେଲଙ୍କ ସହ ୫୪ ରନ୍‌ର ଭାଗିଦାରୀ ପରେ ହେନ୍‌ରି ନିକୋଲ୍‌ସ ୩୩ ରନ୍‌କରି ବିଦାୟ ନେଇଥିଲେ। ବି.ଜେ. ୱାଟ୍‌ଲିଙ୍ଗ୍ ଓ ବ୍ଲଣ୍ଡେଲ୍‌ ୫ମ ୱିକେଟ ପାଇଁ ୭୨ ରନ୍ ଯୋଡ଼ିଥିଲେ। ୱାଟ୍‌ଲିଙ୍ଗ୍ ୨୨ ଏବଂ ପରେ କଲିନ୍ ଡି ଗ୍ରାଣ୍ଡହୋମ୍ ୯ ରନ୍‌କରି ବିଦାୟ ନେଇଥିଲେ। ମିଚେଲ ସାଣ୍ଟ୍‌ନର ୫ଟି ଚୌକା ସହ ୨୭ ରନ୍ କରିଥିଲେ। ଏହାସହ ୨୮ ରନ୍‌ରେ ଶେଷ ୪ଟି ୱିକେଟ ହରାଇ ନ୍ୟୁଜିଲାଣ୍ଡ ୨୪୦ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ଜୀବନର ୩ୟ ଟେଷ୍ଟମ୍ୟାଚ୍ ଖେଳି ୨ୟ ଶତକ ହାସଲ କରିଥିବା ଟମ୍ ବ୍ଲଣ୍ଡେଲ ୨୧୦ ବଲ୍‌ ଖେଳି ୧୫ଟି ଚୌକା ସହ ୧୨୧ ରନ୍‌କରି ଶେଷ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ ହୋଇଥିଲେ। ନାଥାନ୍ ଲାୟନ୍ ୩ଟି ଓ ଜେମ୍‌ସ ପ୍ୟାଟିନ୍‌ସନ ୩ଟି ୱିକେଟ ପାଇଥିଲେ। ଟ୍ରାଭିସ୍ ହେଡ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Comments are closed.