ଟୋକିଓ ପାରା ଅଲିମ୍ପିକ୍ସ : ବ୍ୟାଡ୍‍ମିଣ୍ଟନ୍‍ ସେମିଫାଇନାଲରେ ପ୍ରମୋଦ ଭଗତ

ବିଶ୍ବର ଏକ ନମ୍ବର ପାରା ବ୍ୟାଡ୍‍ମିଣ୍ଟନ୍‍ ତାରକା ଭାରତର ପ୍ରମୋଦ ଭଗତ ଟୋକିଓ ପାରା ଅଲିମ୍ପିକ୍ସର ନବମ ଦିନରେ ବ୍ୟାଡ୍‍ମିଣ୍ଟନ୍‍ ପ୍ରତିଯୋଗୀତାର ଗ୍ରୁପ୍‍-ଏରେ ୟୁକ୍ରେନ୍‍ର ଚେର୍‌କୋଭା ଓଲେକ୍ସଜାଣ୍ଡାରଙ୍କୁ ହରାଇ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ବିଶ୍ବ ଚମ୍ପିୟାନ ମ୍ୟାଚର ୨୬ ମିନିଟରେ ଓଲେକ୍ସଜାଣ୍ଡାରଙ୍କୁ  ୨୧-୧୨ ଓ ୨୧-୯ରେ ପରାସ୍ତ କରିଛନ୍ତି । ରାଜ୍ୟବାସୀ ଏହି ଓଡ଼ିଆ ପୁଅଙ୍କ ସଫଳତାକୁ ଚାହିଁ ବସିଛନ୍ତି।

ପ୍ରମୋଦ ବୁଧବାର ଖେଳାଯାଇଥିବା ଏସ୍‌ଏଲ-୩ ପୁରୁଷ ଏକକ ଗ୍ରୁପ-ଏ ପ୍ରଥମ ମ୍ୟାଚରେ  ନିଜର ଅନ୍ୟତମ ଭାରତୀୟ ଯୁଗଳ ଯୋଡ଼ିଦାର ମନୋଜ ସରକାରଙ୍କୁ ୨-୧ ସେଟ୍‌ରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌କୁ ପ୍ରମୋଦ ୨୧-୧୦ରେ ଅତି ସହଜରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ ମନୋଜ ପ୍ରତ୍ୟାବର୍ତ୍ତନ କରିଥିଲେ। ଉକ୍ତ ସେଟ୍‌କୁ ୨୩-୨୧ ସେଟ୍‌ରେ ମନୋଜ ଜିତି ୧-୧ ବରାବର କରିଥିଲେ। ନିର୍ଣ୍ଣାୟକ ସେଟ୍‌ରେ ପ୍ରମୋଦ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ସହିତ ୨୧-୯ ସହଜରେ ଜିତି ନେଇଥିଲେ।

ସେହିପରି ଗ୍ରୁପ୍‍-ଡିର ମହିଳା ସିଙ୍ଗଲ୍ସ ଗ୍ରୁପ୍‍ ପ୍ଲେ ଷ୍ଟେଝରେ ଜର୍ମାନୀର କାଟ୍ରିନ୍‍ ସିବଟ୍‍ର୍ ଭାରତର ପରୁଲ୍‍ ପାରମରଙ୍କୁ ୨୩-୨୧, ୧୯-୨୧ ଓ ୨୧-୧୫ରେ ପରାସ୍ତ କରିଛନ୍ତି।

Comments are closed.