ଟୋକିଓ ଅଲିମ୍ପିକ୍‌ସ ବିଳମ୍ବିତ ହେବା ଆଶଙ୍କା

ଟୋକିଓ: ଜାପାନର ଟୋକିଓ ସହରରେ ଆସନ୍ତା ଜୁଲାଇ ୨୪ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍‌ସ ପ୍ରତିଯୋଗିତା ବିଳମ୍ବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ବବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବାରୁ ଟୋକିଓ ଅଲିମ୍ପିକ୍‌ସକୁ କିଛିଦିନ ସ୍ଥଗିତ ରଖିବାକୁ ଦାବି ଜୋର୍‌ ଧରିଲାଣି।

ଟୋକିଓ ଅଲିମ୍ପିକ୍‌ସକୁ ନିର୍ଦ୍ଧାରିତ ସମୟରେ ଆୟୋଜନ ପାଇଁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ମୁଖ୍ୟ ଥୋମାସ୍‌ ବାଚ୍‌ ଜୋର୍‌ ଦେଇ ଆସୁଥିବା ବେଳେ ଅଲିମ୍ପିକ୍‌ସ ମଶାଲ ମଧ୍ୟ ପ୍ରଜ୍ବଳିତ ହୋଇ ସାରିଛି। ତେବେ ବର୍ତ୍ତମାନ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦୃଷ୍ଟିରେ ରଖି ଖେଳାଳି, ଦର୍ଶକ ଓ ଅଫିସିଆଲ୍‌ଙ୍କୁ ମରଣ ମୁହଁକୁ ଠେଲି ଦେବା ଆଦୌ ଉଚିତ୍‌ ନୁହେଁ ବୋଲି ଜାପାନର କେତେକ ମହଲରୁ ମତପ୍ରକାଶ ପାଇଛି। ଜାପାନରେ ବର୍ତ୍ତମାନ ସୁଦ୍ଧା ୮୦୦ରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ବେଳେ ୨୪ଜଣ ବ୍ୟକ୍ତି ପ୍ରାଣ ହରାଇ ସାରିଲେଣି। ଜାପାନରେ କେତେକ ଘରୋଇ ପ୍ରତିଯୋଗିତାକୁ ମଧ୍ୟ ବାତିଲ କରି ଦିଆଯାଇଛି। କିଛିଦିନ ତଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଟୋକିଓ ଅଲିମ୍ପିକ୍‌ସକୁ ସ୍ଥଗିତ ରଖିବାକୁ ମତ ଦେଇଥିଲେ। ଇତିମଧ୍ୟରେ ଜାପାନର କେତେକ ବ୍ୟକ୍ତି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍‌ସ ସ୍ଥଗିତ ରଖିବାକୁ ଦାବି କଲେଣି। ଗୋଟିଏ ଅଲିମ୍ପିକ୍‌ସ ନିମନ୍ତେ ଲୋକଙ୍କ ଜୀବନକୁ ବାଜି ଲଗାଯାଇ ପାରିବ ନାହିଁ ବୋଲି ସେମାନେ ମତ ଦେଇଛନ୍ତି। ଏକ ଜନମତ ସର୍ଭେରୁ ଅଧିକ ବ୍ୟକ୍ତି ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍‌ସ ଆୟୋଜନ ବିପକ୍ଷରେ ରହିଥିବା ଜଣାପଡ଼ିଛି। ସର୍ଭେ ଅନୁଯାୟୀ ୪୫% ବ୍ୟକ୍ତି ଅଲିମ୍ପିକ୍‌ସକୁ ସ୍ଥଗିତ ରଖିବାକୁ ମତ ଦେଇଥିବା ବେଳେ ୪୦% ଲୋକ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ଆୟୋଜନ ସପକ୍ଷରେ ମତ ଦେଇଛନ୍ତି। ୧୫% ଲୋକ କୌଣସି ମତ ଦେବାକୁ ମନା କରି ଦେଇଛନ୍ତି।

ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍‌ସକୁ ସ୍ଥଗିତ ରଖିବା ବିଷୟ ଆୟୋଜକ କମିଟି ଚିନ୍ତା କରୁ ନାହିଁ ବୋଲି ମତ ଦେଇଛନ୍ତି ଟୋକିଓ ଗଭର୍ଣ୍ଣର ୟିରିକୋ କୋଇକେ। ତେବେ ମଙ୍ଗଳବାର ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟିର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ବିଭିନ୍ନ କ୍ରୀଡ଼ା ମହାସଂଘର ପ୍ରତିନିଧି ଉପସ୍ଥିତ ରହିବାର ଆଶା ରହିଛି। ବୈଠକ ପରେ ଟୋକିଓ ଅଲିମ୍ପିକ୍‌ସ ଆୟୋଜନ ନେଇ ସ୍ପଷ୍ଟ ଚିତ୍ର ମିିଳିବ ବୋଲି ଆଶା କରାଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନି​‌େ​‌ର୍ଦ୍ଦଶାନାମାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ମାନିବ ବୋଲି ବାଚ୍‌ କହିଥିବା ବେଳେ ଟୋକିଓ ଅଲିମ୍ପିକ୍‌ସ ବିଳମ୍ବିତ ହେବା ଆଶଙ୍କା ଦେଖା ଦେଇଛି।

ଟୋକିଓ ଅଲିମ୍ପିକ୍‌ସ ଆୟୋଜନ ସଂପର୍କରେ ୯୦ ବର୍ଷୀୟ ଜାପାନ ବାସିନ୍ଦା ମାସାଓ ସୁଗାୱାରା କହିଛନ୍ତି ବର୍ତ୍ତମାନର ପରିସ୍ଥିିତିକୁ ଦୃଷ୍ଟିରେ ରଖି ଅଲିମ୍ପିକ୍‌ସକୁ କିଛିମାସ ପାଇଁ ସ୍ଥଗିତ ରଖାଯିବାରେ କୌଣସି ଅସୁବିଧା ନାହିଁ। ଲୋକଙ୍କ ଜୀବନଠାରୁ କୌଣସି କ୍ରୀଡ଼ା ପ୍ରତିଯୋଗିତା ଆଦୌ ଗୁରୁତ୍ବପୂର୍ଣ୍ଣ ନୁହେଁ। ସେହିପରି ୪୫ ବର୍ଷୀୟ ମାନ୍‌ଫ୍ରେଡ୍‌ କହିଛନ୍ତି ଟୋକିଓ ଅଲିମ୍ପିକ୍‌ସ ଆୟୋଜନ ନେଇ ସେ ଚିନ୍ତିତ ଅଛନ୍ତି। ଜୁନ୍‌-ଜୁଲାଇ ବେଳକୁ ଯଦି କରୋନା ଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସେ ତାହେଲେ ଟୋକିଓ ଅଲିମ୍ପିକ୍‌ସକୁ ସ୍ଥଗିତ ରଖାଯିବାରେ କୌଣସି ଅସୁବିଧା ନାହିଁ।

ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ମଶାଲ ଶୋଭାଯାତ୍ରା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ଅଲିମ୍ପିକ୍‌ସ ମଶାଲକୁ ସ୍ବାଗତ କରିବାକୁ ଛୋଟ ପିଲାମାନଙ୍କୁ ନେଇ କେତେକ କାର୍ୟ୍ୟକ୍ରମ ଆୟୋଜନ ପାଇଁ ଆୟୋଜକମାନେ ମୂଳରୁ ଯୋଜନା କରିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଏହି କାର୍ୟ୍ୟକ୍ରମକୁ ବାତିଲ କରି ଦିଆଯାଇଥିବା ଜଣାପଡ଼ିଛି। ଏଥିସହ ମଶାଲ ଶୋଭାଯାତ୍ରା ବେଳେ ବିଭିନ୍ନ ସହରରେ ଜନସମାଗମ ହେବାର ସମ୍ଭାବନା ରହିଥିବାରୁ ଏହାକୁ କିପରି ଭାବେ ଆୟୋଜକ କମିଟି ନିୟନ୍ତ୍ରଣ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.