ଟୋକିଓ ଅଲିମ୍ପିକ୍ସ : ଲୋଭଲିନା-ସିନ୍ଧୁ ସେମିଫାଇନାଲରେ,ପୁରୁଷ ହକିରେ ଭାରତର କ୍ରମାଗତ ତୃତୀୟ ବିଜୟ

ଟୋକିଓ : ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ ମଧ୍ୟ ଭାରତ ପାଇଁ ଏକ ଉନ୍ନତ ପ୍ରଦର୍ଶନର ଦିନ ସାବ୍ୟସ୍ତ ହୋଇଛି । ଲଭଲିନା ବୋର୍ଗେହେନ୍ ମୁଷ୍ଟିଯୁଦ୍ଧରେ ତାଙ୍କର ପ୍ରଥମ ପଦକ ନିଶ୍ଚିତ କରିଛନ୍ତି । ସେ ମହିଳା ମୁଷ୍ଟିଯୁଦ୍ଧ ୬୯ କେ.ଜି ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ହକିରେ ଭାରତ ଆୟର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଛି। ତେବେ ତୀରନ୍ଦାଜରେ ଦୀପିକା କୁମାରୀଙ୍କୁ କ୍ୱାର୍ଟର ଫାଇନାଲରେ କୋରିଆ ଖେଳାଳିଙ୍କଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ପୁଲ – ‘ଏଫ’ର ଶେଷ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୫-୩ ରେ ପରାସ୍ତ କରିଛି। ଏହା ହେଉଛି ଟିମ୍ ଇଣ୍ଡିଆର କ୍ରମାଗତ ତୃତୀୟ ବିଜୟ।

ହକିରେ ଭାରତର ଦମଦାର ବିଜୟ : ୫-୩ରେ  ଜାପାନ ପରାସ୍ତ

ପୁଲ – ‘ଏଫ’ର ଶେଷ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୫-୩ରେ ପରାସ୍ତ କରିଛି। ଏହା ହେଉଛି ଟିମ୍ ଇଣ୍ଡିଆର କ୍ରମାଗତ ତୃତୀୟ ବିଜୟ। ଭାରତୀୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ମଧ୍ୟଭାଗ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା। କିଛି ସମୟ ପରେ ଜାପାନ ୩୧ ମିନିଟରେ ଗୋଲ କରି ସ୍କୋରକୁ ୨-୨ରେ ପହଞ୍ଚାଇଥିଲା। ତେବେ ପରେ ଭାରତ ୩୪ତମ ମିନିଟରେ ଆଉ ଏକ ଗୋଲ ସ୍କୋର କରି ଜାପାନଠାରୁ 3-2 ଅଗ୍ରଣୀ ହାସଲ କରିଥିଲା। ୫୧ତମ ମିନିଟରେ ନୀଲକାନ୍ତ ଭାରତ ପାଇଁ ଗୋଲ ଦେଇଥିଲେ। ଏହା ସହିତ ଟିମ୍ ଇଣ୍ଡିଆ ଜାପାନଠାରୁ ୪-୨ ଅଗ୍ରଣୀ ହାସଲ କରିଥିଲା। ପରେ ଗୁରୁଜନ୍ତ ୫୬ ମିନିଟରେ ଗୋଟିଏ ଗୋଲ ସ୍କୋର କରି ଟିମ ଇଣ୍ଡିଆକୁ ୫-୨ ଅଗ୍ରଣୀ କରାଇଥିଲେ । ପରେ ମ୍ୟାଚର ୫୯ ମିନିଟରେ ଜାପାନ ଗୋଲ ସ୍କୋର କରିଥିଲା। ଫଳରେ ଭାରତ ଏହି ମ୍ୟାଚକୁ ୫-୩ରେ ଜିତିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପୁଲ୍ ଏରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଆସନ୍ତା ରବିବାର ଅଗଷ୍ଟ ୧ରେ କ୍ୱାର୍ଟର ଫାଇନାଲରେ ଭାରତ ଗ୍ରୁପ୍ ବି’ରେ ତୃତୀୟ ସ୍ଥାନ ହାସଲ କରିଥିବା​‌ ଦଳକୁ ଭେଟିବ।

ସେମିଫାଇନାଲରେ ପିଭି ସିନ୍ଧୁ

Photo : Social media

ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହ ବ୍ୟାଡମିଣ୍ଟନରେ ଭାରତର ପଦକ ଜିତିବା ନିଶ୍ଚିତ ହୋଇଛି। ପ୍ରଥମ ସେଟରେ ଜାପାନର ଆକାନେ ୟାମାଗୁଚି ଶକ୍ତିଶାଳୀ ଲଢେଇ କରିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ବହୁତ ଦମଦାର ଲଢେଇ ହୋଇଥିଲା। ପିଭି ସିନ୍ଧୁ ପ୍ରଥମ ସେଟ ୨୧-୧୩ରେ ଜିତିଥିଲେ। ଏହି ଖେଳ ୨୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ​​ଦ୍ୱିତୀୟ ଗେମରେ  ସିନ୍ଧୁ ଏବଂ ୟାମାଗୁଚିଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ଦୁହେଁ ପରସ୍ପରକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ଏକ ସମୟରେ ସ୍କୋର ୨୦-୨୦ରେ ସମାନ ସ୍ତରକୁ ଆସିଥିଲା। ଏହାର ଠିକ୍ ପରେ ସିନ୍ଧୁ ୟାମାଗୁଚି ଉପରେ ପ୍ରଭାବ ବିସ୍ତାର କରି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ।

ସେମିଫାଇନାଲରେ ବକ୍ସର ଲୋଭଲିନା

ଭାରତୀୟ ବକ୍ସର ଲୋଭଲିନା ବୋର୍ଗୋହେନ ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ପହଞ୍ଚିବା ପରେ ଭାରତର ଆଉ ଏକ ପଦକ ନିଶ୍ଚିତ ହୋଇଛି। କ୍ୱାର୍ଟର ଫାଇନାଲରେ ଲୋଭଲିନା ମହିଳା ୬୯ କିଲୋଗ୍ରାମ ବର୍ଗରେ ଚାଇନାର ତାଇପେଇ ଖେଳାଳି ନିଏନ୍ ଚିନ୍ ଚେନଙ୍କୁ ୪-୧ରେ ପରାସ୍ତ କରିଛନ୍ତି।

ହକିରେ ଭାରତୀୟ ମହିଳା ଦଳର ପ୍ରଥମ ବିଜୟ

ଭାରତୀୟ ମହିଳା ହକି ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବିଜୟର ଖାତା ଖୋଲିଛି। ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାନୀ ରାମପାଲଙ୍କ ନେତୃତ୍ୱରେ ଦଳ ୧-୦ରେ ଜିତିଛି। ଏହି ବିଜୟ ସହିତ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାର ଭାରତର ଆଶା ଅକ୍ଷୁର୍ଣ୍ଣ ରହିଛି। ମ୍ୟାଚରେ ନବନୀତ କୌର ୫୭ ତମ ମିନିଟରେ ଭାରତ ପାଇଁ ଗୋଲ ଦେଇଥିଲେ।

Comments are closed.