ଆଜି ଓଡ଼ିଶା ପହଞ୍ଚିବ ସହିଦ ରାଣାଙ୍କ ମରଶରୀର

ଗାଁ ମାଟି କୃଷ୍ଣଚନ୍ଦ୍ରପୁରରେ ହେବ ଅନ୍ତିମ ସଂସ୍କାର

ତାଳଚେର : ତାମିଲନାଡୁ କୁନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ତାଳଚେରର ସୁଯୋଗ୍ୟ ସନ୍ତାନ ତଥା ବୀରଯବାନ ରାଣାପ୍ରତାପ ଦାସଙ୍କର ଶେଷକୃତ୍ୟ ପାଇଁ ନିଜ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗ୍ରାମରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ସହିଦଙ୍କର ପାର୍ଥିବ ଶରୀର ଆସନ୍ତାକାଲି ଦିଲ୍ଳୀରୁ ଭୁବନେଶ୍ୱର ଦେଇ ଏଠାରେ ଆସି ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି। ଶୁକ୍ରବାର ଅପରାହ୍ନରେ ସହିଦ ରାଣାଙ୍କ ପତ୍ନୀ ଶିବାଙ୍ଗୀ ଓ ଦେଢ଼ବର୍ଷର ପୁତ୍ର ବିହାରର ଗୟାରୁ ଆସି ତାଳଚେର କୃଷ୍ଣଚନ୍ଦ୍ରପୁର ଗ୍ରାମରେ ପହଞ୍ଚିଛନ୍ତି। ସେ ଏଠାରେ ପହଞ୍ଚିବା ପରେ ପରିବାର ତଥା ଗ୍ରାମରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଣାଙ୍କର ଶବସତ୍କାର ପାଇଁ ନିଜ ପୈତୃକ ଘର ନିକଟରେ ଥିବା ଜମିକୁ ଏସ୍କାଭେଟରଦ୍ୱାରା ସମତଳ କରାଯାଇଥିଲା ବେଳେ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଣାଙ୍କର ମାତା ପୁତ୍ର ବିୟୋଗରେ ଭାଙ୍ଗିପଡ଼ି ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ଆଜି ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାତା ବସନ୍ତମଞ୍ଜରୀ ପ୍ରଧାନ, ଲିଙ୍ଗରାଜ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅଶୋକକୁମାର ଧଳ, ପ୍ରକଳ୍ପ ଅଧିକାରୀ ଅଜୟକୁମାର ଦେହୁରୀ, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟସମ୍ପାଦକ କାଳନ୍ଦୀ ସାମଲ, ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲା ମିଡ଼ିଆ ସେଲ୍‌ ପ୍ରଭାରୀ ପର୍ଶୁରାମ ବାରିକ ପ୍ରମୁଖଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ପରିବାରର ଆତ୍ମୀୟସ୍ୱଜନ, ବିଭିନ୍ନବର୍ଗର ଲୋକ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଅନ୍ତିମ ସଂସ୍କାର ପାଇଁ ଏମ୍‍ସିଏଲ୍‍ର ବରିଷ୍ଠ ପଦାଧିକାରୀମାନେ ଶ୍ମଶାନସ୍ଥଳକୁ ଯାଇ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଛନ୍ତି।

Comments are closed.