ଆଜି ବିଶ୍ୱ ମହିଳା ଦିବସ – ମୂଲ ଲାଗୁଛନ୍ତି ପ୍ରାକ୍ତନ ବ୍ଳକ୍‍ ଅଧ୍ୟକ୍ଷା

ସୋରଡ଼ା: ନିପଟ ଗାଉଁଲି ଗାଁରୁ ନିର୍ବାଚନ ଲଢି ବିଜୟ ହାସଲ ସହ ହୋଇଥିଲେ ବ୍ଲକ ଅଧ୍ୟକ୍ଷା। କେହି କେବେ ଚିହ୍ନି ନଥିବା ବା ଜାଣି ନଥିବା ମହିଳା ଜଣକ ରାତାରାତି ପାଲଟି ଯାଇଥିଲେ ରାଜନେତ୍ରୀ। ଘର ଓ କାର୍ଯ୍ୟାଳୟକୁ ଲାଗିଲା ଲୋକଙ୍କ ସୁଅ। ୫ବର୍ଷ ପୂରା ଭିନ୍ନ ଜୀବନ ଅତିବାହିତ କଲେ। ଗାଁ ମହିଳାରୁ ପାଲଟିଗଲେ ମାଡାମ୍‌। ଖାତିରେ କାହିଁରେ କ’ଣ। ଚାଲି ଚାଲି ଜଙ୍ଗଲରୁ ପତ୍ର ଗୋଟାଉଥିବା ଏହି ମହିଳାଙ୍କ ନିକଟତର ହେବାକୁ ଲାଗିଲା ପ୍ରତିଯୋଗିତା। ପଦପଦବୀ ପାଇଥିଲେ ମଧ୍ୟ ମନରେ ନଥିଲା ଅହଂକାର କି ଗର୍ବ। ଲୋକଙ୍କ ସମସ୍ୟା ବୁଝିଲେ ଓ ସମସ୍ୟାର ସମାଧାନ ମଧ୍ୟ କଲେ। ହେଲେ କ୍ଷମତା ଥିବା ସମୟରେ ନିଜ ଓ ପରିବାର କଥା ସେ ଭୁଲିଗଲେ। ପଦ ଚାଲିଯିବା ପରେ ସେ ହୋଇଗଲେ ଅଲୋଡା। ଏବେ ବଞ୍ଚିବାକୁ ସେ କରୁଛନ୍ତି ସଂଗ୍ରାମ। ଏଭଳି ଜଣେ ଦୁର୍ଦଶାଗ୍ରସ୍ତ ଜୀବନ ଅତିବାହିତ କରୁଥିବା ମହିଳା ଜଣକ ହେଉଛନ୍ତି ସୋରଡା ବ୍ଲକର ପୂର୍ବତନ ଅଧ୍ୟକ୍ଷା ଅଞ୍ଜନା ମଳିକ।

ନିର୍ବାଚନ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗି ସଂସଦରେ ବିଲ୍‌ ଆଗତ କରିବାକୁ ବିଭିନ୍ନ ରାଜନୀତିକ ଦଳ ପକ୍ଷରୁ ଦାବି ଉଠୁଛି। ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ରାଜନୈତିକ ଭାଗୀଦାରି ଲାଗି ୫୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଅନେକ ମହିଳା ରାଜନୀତିକୁ ଯାଇ ସଫଳତାର ସ୍ୱାଦ ଚାଖିଥିବା ବେଳେ କିଛି ମହିଳା ପ୍ରଥମେ ରାଜନୀତି କରି ସଫଳତା ପାଇଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ଦୁର୍ଦଶାଗ୍ରସ୍ତ ଜୀବନ ଜୀଉଁଛନ୍ତି। ସେମିତି ଉଦାହରଣ ଦେଖିବାକୁ ମିଳିଛି ସୋରଡ଼ା ବ୍ଳକ୍‍ର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜନା ମଳିକଙ୍କ କ୍ଷେତ୍ରରେ। ସମ୍ପ୍ରତି ମୂଲ ଲାଗି ପରିବାରର ଗୁଜରାଣ ମେଣ୍ଟାଇବା ବିଶ୍ୱ ମହିଳା ଦିବସରେ ସଭ୍ୟସମାଜ ପ୍ରତି ଗଭୀର ରେଖାପାତ କରିଛି। ୨୦୦୨ ପଞ୍ଚାୟତ ନିର୍ବାଚନରେ ସୋରଡ଼ା ବ୍ଳକ୍‍ ଅଧ୍ୟକ୍ଷ ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ସେହି ସମୟରେ ଖୋଜା ପଡ଼ିଥିଲେ ଅଞ୍ଜନା। ଏହି ବ୍ଳକ୍‍ ଅନ୍ତର୍ଗତ ପାଲକାଟୁ ପଞ୍ଚାୟତରୁ ସେ ସମିତିସଭ୍ୟ ରୂପେ ନିର୍ଦ୍ୱନ୍ଦ୍ବରେ ବିଜୟଲାଭ କରିଥିଲେ। ପରେ ପରେ ଅଧ୍ୟକ୍ଷା ପଦ ପାଇଥିଲେ ଅଞ୍ଜନା। ଚାହୁଁ ଚାହୁଁ ସତେ ଯେମିତି ବଦଳି ଯାଇଥିଲା ତାଙ୍କ ଜୀବନଶୈଳୀ। ବାଦୁଆ ଗ୍ରାମର ଆଦିବାସୀ ମହିଳା ରାତାରାତି ପାଲଟି ଯାଇଥିଲେ ଅଞ୍ଜନା ମାଡାମ ‍।

ଗାଁର ଚାଳଛପର ଘର ଛାଡ଼ି ରହିଥିଲେ ସୋରଡ଼ା ସହରରେ ଥିବା ସରକାରୀ ବାସଭବନରେ। ବୁଲି ବୁଲି କାଠ ଓ ପତ୍ର ସଂଗ୍ରହ କରୁଥିବା ଅଞ୍ଜନା ଯାତାୟତ କରିବାକୁ ଲାଗିଲେ ସରକାରୀ ଗାଡ଼ିରେ। ସଭାସମିତି ସବୁଥିରେ ନିମନ୍ତ୍ରଣ ମିଳୁଥିଲା ଅଞ୍ଜନାଙ୍କୁ। ତାଙ୍କୁ ନିମନ୍ତ୍ରଣ କରୁଥିବା ତତ୍କାଳୀନ କଂଗ୍ରେସ ନେତାଙ୍କଠାରୁ ସବୁ ସମୟରେ ମିଳୁଥିଲା ସାହାଯ୍ୟ, ସହାନୁଭୂତି ଓ ଅନୁକମ୍ପା। ଏଭଳିସ୍ଥିତିରେ ଅଞ୍ଜନା ଭାବୁଥିଲେ ସତରେ ବଦଳି ଯାଇଛିକି ତାଙ୍କରି ଭାଗ୍ୟ। ଆଶା ରଖିଥିଲେ ସାରା ଜୀବନ ସୁଖ ଓ ସମ୍ମାନରେ ବଞ୍ଚିପାରିବେ। କିନ୍ତୁ ସେମିତି କିଛି ନ ଥିଲା। ଅଧ୍ୟକ୍ଷ କାର୍ଯ୍ୟକାଳ ସରିବା ପରେ ସବୁକିଛି ଓଲଟପାଲଟ। ସବୁ ଆଶା ମଉଳି ଯାଇଥିଲା। ଜୀବନରେ ଦେଖିଥିବା ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା। ସବୁକିଛି ଛାଡ଼ି ପୁଣିଯିବାକୁ ପଡ଼ିଥିଲା ଗ୍ରାମକୁ। ଆରମ୍ଭ ହୋଇଥିଲା ପୁଣି ସଂଘର୍ଷର କାହାଣୀ। ପ୍ରଥମେ ପ୍ରଥମେ ପୁଣି ଥରେ କାଠ ଓ ପତ୍ର ସଂଗ୍ରହ କରିବାକୁ ମନରେ ସଂକୋଚ ଆସୁଥିଲା। ମନ ଭିତରୁ ଯାଉ ନଥିଲା ଅଧ୍ୟକ୍ଷା ସମୟର ଅନୁଭୂତି। କିନ୍ତୁ ନିଜର ଅଭାବୀ ଦୁନିଆ ବାଧ୍ୟ କରିଥିଲା ଜଙ୍ଗଲକୁ ପାଦ ବାହାର କରିବା ପାଇଁ। ସେହିଦିନଠାରୁ ମୂଲ କାମ କରି ଚଳି ଆସୁଛନ୍ତି ଅଞ୍ଜନା। ୧୪ ବର୍ଷ ହେଲା ନିଜେ କାମ କରି ଜାରି ରଖିଛନ୍ତି ନିଜର ଜୀବନ ସଂଘର୍ଷ। ସେହି ସମୟରେ ସ୍ୱାମୀଙ୍କ ନାମରେ ମିଳିଥିବା ଇନ୍ଦିରା ଆବାସ ଘରଟିଏ ହିଁ ସ୍ମୃତି ହୋଇ ରହିଛି। ଏକଦା ସଭାସମିତିରେ ଭଳିକି ଭଳି ଦାମୀ ଶାଢୀ ପିନ୍ଧୁଥିବା ଅଞ୍ଜନାଙ୍କୁ ପୁଣି ଥରେ ଟାଣି ନେଇଛି ସେହିପୂର୍ବର ତେଲ ଲୁଣ ସଂସାରକୁ। ଅଭାବରେ ଥାଇ ମଧ୍ୟ ବେଶ୍‍ ସ୍ୱାଭିମାନର ସହ ବଞ୍ଚିଛନ୍ତି ସେ। ସରକାର ଆମ ଭଳି ପୂର୍ବତନ ଅଧ୍ୟକ୍ଷାମାନଙ୍କୁ କିଛି ସହାୟତା ଯୋଗାଇଦେଲେ ଉପକୃତ ହୋଇପାରିଥାନ୍ତୁ ବୋଲି କହିଛନ୍ତି ଅଞ୍ଜନା। ରାଜ୍ୟ ସରକାରଙ୍କ ତରଫରୁ ଦୁର୍ଦ୍ଦିନରେ ଥିବା ପୂର୍ବତନ ଜନପ୍ରତିନିଧିମାନଙ୍କୁ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଥଇଥାନ କରାଗଲେ ବେଶ୍‍ ଉପକୃତ ହୋଇପାରିଥାନ୍ତେ ବୋଲି କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।

Comments are closed.