ଆଜି ବିଶ୍ୱ ଜଳ ଦିବସ, ୨୦୫୦ ବେଳକୁ ଘୋର ଜଳ ସଙ୍କଟ

ଭୁବନେଶ୍ୱର: ଜଳ ଜୀବନର ସତ୍ତା। ଜୀବନ ପାଇଁ ରକ୍ତ ଯେପରି ଆବଶ୍ୟକ ଠିକ୍‌ ସେହିପରି ଜଳ ମଧ୍ୟ ଅପରିହାର୍ୟ୍ୟ। ଜଳକୁ ସର୍ବଦା ଜୀବନ ଓ ରକ୍ତ ସହିତ ତୁଳନା କରାଯାଏ। ଜଳ ସମସ୍ତ ବିକାଶର ପ୍ରମୁଖ। ଅଦ୍ୱିତୀୟ ଆଧାର। ଜଳ ପାଇଁ ଜୀବନ, ଭୂମି, ପାହାଡ, ବଣ ଓ ଜଙ୍ଗଲ ତିଷ୍ଠି ରହିଛି। ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ହିଁ ଲୋଡା। କ୍ରମବର୍ଦ୍ଧିଷ୍ଟ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ବ, ଦେଶ ଓ ରାଜ୍ୟରେ ଜଳ ସଙ୍କଟ ଦେଖାଦେଲାଣି। ପାନୀୟ ଜଳ ବ୍ୟବହାର ଉପଲବ୍ଧିକୁ ଦେଖିଲେ ୨୦୫୦ ବେଳକୁ ଦେଶ ତଥା ରାଜ୍ୟରେ ଜଳ ସଙ୍କଟ ଦେଖାଦେବ। ରାଜ୍ୟର କିଛି ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା କଥା କୁହାଯାଉଛି। ହେଲେ ଜାତୀୟସ୍ତରକୁ ଦେଖିଲେ ଓଡ଼ିଶା ବର୍ତ୍ତମାନ ଭଲ ସ୍ଥିତିରେ ରହିଛି।

ହସ୍ତଗତ ତଥ୍ୟାନୁଯାୟୀ, ସହରାଞ୍ଚଳରେ ପାନୀୟ ଜଳ ବ୍ୟବହାରିକ ଆକଳନ କଲେ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହରରେ ମୁଣ୍ଡପିଛା ଦୈନିକ ୭୦ଲିଟର ପାନୀୟ ଜଳ ଆବଶ୍ୟକ। ୫୦ହଜାରରୁ ୨ଲକ୍ଷ ଜନସଂଖ୍ୟା ବସତି ସହରରେ ମୁଣ୍ଡପିଛା ଦୈନିକ ୧୩୫ ଲିଟର ଏବଂ ୨ ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ବସବାସ କରୁଥିବା ସହରରେ ମୁଣ୍ଡପିଛା ଦୈନିକ ୧୫୦ ଲିଟର ଜଳ ଆବଶ୍ୟ। ଗ୍ରାମାଞ୍ଚଳରେ ମୁଣ୍ଡପିଛା ପାନୀୟ ଜଳ ବ୍ୟବହାର ପ୍ରାୟ ୫୦ ଲିଟର। ବର୍ଷାରୁ ମଧୁର ଜଳ ଆସିଥାଏ। ଜଳ ସଂରକ୍ଷଣ ହୋଇ ନପାରିବାରୁ ନଦୀ, ନାଳ ଓ ଝରଣା ଦେଇ ସମୁଦ୍ରକୁ ଚାଲିଯାଉଛି। ମୋଟ ୧୨୦ ବିଲିୟନ ଘନ ମିଟର ଜଳରୁ ୯୧ ବିଲିୟନ ଘନ ମିଟର ଜଳ ବ୍ୟବହାରକ୍ଷମ। ଏହାକୁ ଦେଖିଲେ ଓଡ଼ିଶାରେ ପାନୀୟ ବ୍ୟବହାର ପାଇଁ ମଧୁଳ ଜଳ ପର୍ୟ୍ୟାପ୍ତ ରହିଛି।

ବର୍ତ୍ତମାନ ସ୍ଥିତିରେ ଦେଖିଲେ ରାଜ୍ୟରେ ମୁଣ୍ଡପିଛା ଜଳ ଉପଲବ୍ଧି ୩୫୧୧ ଘନ ମିଟର। ୨୦୫୦ ବେଳକୁ ଏହା ଖସି ଆସି ମୁଣ୍ଡପିଛା ୨୪୮୧ ଘନ ମିଟରକୁ ଖସି ଆସିବ। ସେତେବେଳେ ରାଜ୍ୟରେ ଜଳ ସଙ୍କଟ ଦେଖାଦେବ। ୨୦୫୦କୁ ଲକ୍ଷ୍ୟକରି ଜଳ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି। ଜାତୀୟସ୍ତରରେ ମୁଣ୍ଡପିଛା ଜଳ ଉପଲବ୍ଧି ୧୮୨୦ ଘନ ମିଟର ଥିବାବେଳେ ୨୦୫୦ ବେଳକୁ ୧୨୦୦ ଘନ ମିଟରକୁ ଖସି ଆସିବ। ଫଳରେ ଭାରତରେ ଘୋର ଜଳ ସଙ୍କଟ ଦେଖାଦେବ। ଗୋଟିଏ ପଟରେ ଜଳ ଉତ୍ସ ସଙ୍କୋଚନ ହେଉଥିବା ବେଳେ ଆଉ ଗୋଟିଏ ପଟେ ଜଳ ଦୂଷିତ ହେବା ସହ ମିଳୁଥିବା ଜଳ ହିତାଧିକାରୀଙ୍କ ପାଖରେ ନପହଞ୍ଚି ପାରି ଅପଚୟ ହେଉଛି।

ଯାହାକି ଚିନ୍ତା କାରଣ ପାଲଟିଛି। ଶକ୍ତି ଉତ୍ପନ, ଖଣି ଖନନ, ଭାରି ଧାତୁ ଉତ୍ପାଦନ, ସିମେଣ୍ଟ ତିଆରି, ଲୁଗାକଳ, ଇସ୍ପାତ, ତାପଜ ବିଦ୍ୟୁତ୍‌ ଏବଂ ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ଘଣ୍ଟାକୁ ନିୟୁତ ନିୟୁତ ଗ୍ୟାଲନ ଜଳ ବ୍ୟବହାର ହେଉଛି। ଏ ସମସ୍ତ କ୍ଷେତ୍ରରେ ସନ୍ତୁଳିତ, ସମନ୍ୱିତ ତଥା ଉତ୍ପାଦନ ଭିତିକ ବ୍ୟବହାର କରିବା ଉପଯୋଗୀ। ଓଡ଼ିଶାରେ ୧୦ ଲକ୍ଷ ହେକ୍ଟର ଚାଷ ଜମି ରହିଛି। ଏଥିରୁ ପ୍ରାୟ ୫୦ ପ୍ରତିଶତ ଜମିକୁ ଜଳସେଚନ କରାଯାଇ ପାରିଛି। ଯଦି ସମସ୍ତ ଜମିକୁ ଜଳସେଚନ କରାଯାଏ ତେବେ ଆହୁରି ଜଳ ଖର୍ଚ୍ଚ ହେବ। ବିଶ୍ବରେ ଲୁଣାଜଳ ୯୬ ଶତାଂଶ ଥିବାବେଳେ ଏହାକୁ ମଧୁର ଜଳରେ ପରିଣତ କରାଯାଇ ପାରିଲେ ଆଗକୁ ଜଳକଷ୍ଟ ଦୂର ହୋଇପାରିବ। ପ୍ରାୟ ୮୦ ଶତାଂଶ ବ୍ୟବହୃତ ଅନୁପୋଯୋଗୀ ଜଳ ପୁନଃଚକ୍ରଣ ନହୋଇ ପାରି ଅପବ୍ୟୟ ହୋଇ ଧରାପୃଷ୍ଠକୁ ଚାଲିଯାଉଛି। ବିଶ୍ୱରେ ମାତ୍ର ୨.୫ ଶତାଂଶ ମଧୁଳ ଜଳ ଓ ୯୭.୫ ଶତାଂଶ ଲବଣ ଜଳ ରହିଛି। ଏନେଇ ଇଂ ମାୟାଧର ସ୍ବାଇଁ କହିଛନ୍ତି, ଗ୍ରାମାଞ୍ଚଳ ଜନସାଧାରଣ ପୋଖରୀ ଓ ଗାଡିଆ ମାଧ୍ୟମରେ ଜଳ ସଂରକ୍ଷଣ କରିବାକୁ ଗୁରୁତ୍ବ ଦିଅନ୍ତୁ। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ବର୍ଷା ଋତୁରେ ସମୁଦ୍ରକୁ ଚାଲି ଯାଉଥିବା ଜଳ ସଞ୍ଚୟ କରନ୍ତୁ। ତେବେ ଯାଇ ୨୦୫୦ ବେଳକୁ ଦେଖାଦେବାକୁ ଥିବା ସମ୍ଭାବ୍ୟ ଜଳ ସଙ୍କଟ ପରିସ୍ଥିତକୁ ରକ୍ଷା କରାଯାଇ ପାରିବ।

Comments are closed.