ଆଜି ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ : ଆଗକୁ ଅନେକ ଆହ୍ବାନ, ରଣନୀତି ଶାଣିତ କରୁଛନ୍ତି ନବୀନ

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ବିଜେଡ଼ିକୁ ୨୩ ପୂରି ୨୪ ଚାଲିଛି। ୧୯୯୭ରେ ଦଳ ଗଠନ ହେବାର ୩ବର୍ଷ ପରେ ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିବା ଦଳ ଏ ପର୍ଯ୍ୟନ୍ତ ପରାଜୟର ସ୍ବାଦ ଚାଖିନି। କ୍ରମାଗତ ଭାବେ ପାଞ୍ଚ ଥର କ୍ଷମତାକୁ ଆସି ଇତିମଧ୍ୟରେ ୨୦ ବର୍ଷ ଓଡ଼ିଶାକୁ ଶାସନ କଲାଣି। ତଥାପି ଏ ଦଳ ଓ ଦଳର ନେତା ଏବେ ବି ଅପରାଜେୟ। ନବୀନ କ୍ରମାଗତ ଭାବେ କ୍ଷମତାକୁ ଆସିବା ପଛରେ ତାଙ୍କର କେଉଁ କୁହୁକ ରାଜ୍ୟବାସୀଙ୍କୁ ବାନ୍ଧି ଧରିଛି ତାହା କାହାରିକୁ ଅଛପା ନାହିଁ। ମାତ୍ର ବିଜେଡ଼ି ବିରୋଧରେ ଏ ପର୍ଯ୍ୟନ୍ତ ବିକଳ୍ପ ଦାନା ବାନ୍ଧିପାରୁନି।

୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ୪ଟି ନିର୍ବାଚନରେ ବିଜେଡ଼ି ପଛକୁ ଦ୍ବିତୀୟ ଦଳ ଭାବେ ପ୍ରମୁଖ ବିରୋଧୀ ଥିଲା କଂଗ୍ରେସ। ବିଜେଡ଼ି-ବିଜେପି ମେଣ୍ଟ ହେଉ କି ଏକା ବିଜେଡ଼ି ୨୦୧୪ପର୍ଯ୍ୟନ୍ତ ଅନୁଷ୍ଠିତ ସବୁ ନିର୍ବାଚନରେ ସରକାର ବିରୋଧରେ କଂଗ୍ରେସ ଥିଲା ଶକ୍ତିଶାଳୀ ଦଳ। ମାତ୍ର ସାଙ୍ଗଠନିକ ଶକ୍ତି ହରାଇବା ପରେ କଂଗ୍ରେସ ୨୦୧୯ରେ କୋଣଠେସା ହୋଇଗଲା। ୨୦୦୯ରେ ବିଜେଡ଼ିର ହାତ ଛାଡ଼ି ରାଜ୍ୟରେ ଦୁର୍ବଳ ହୋଇପଡ଼ିଥିବା ବିଜେପିକୁ ଆଗକୁ ବଢ଼ିବା ପାଇଁ ୨୦୧୯ରେ କଂଗ୍ରେସ ଏକ ରକମ ବାଟ ଛାଡ଼ିଦେଇଥିଲା।
ଖଣିଠାରୁ ପାଣି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଦୁର୍ନୀତି ଭଳି ପ୍ରସଙ୍ଗ ଉଠିଥିଲେ ବି ତାହା ସମୟ କ୍ରମେ ଚପିଯାଇଛି ଏବଂ ବିଜେଡ଼ି ଓ ଏହାର ମୁଖିଆଙ୍କ ପତିଆରା ବର୍ଷ ବର୍ଷ ଧରି ଅକ୍ଷୁଣ୍ଣ ରହିଛି।

ଘମାଘୋଟ ପ୍ରତିଦ୍ବନ୍ଦ୍ବିତା ଭିତରେ ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ନବୀନ ଓ ବିଜେଡ଼ି ଆଶ୍ବସ୍ତ ହୋଇଥିଲେ ହେଁ ଆଗକୁ ଅନେକ ଆହ୍ବାନର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। କାରଣ ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ବିଜେଡ଼ି ପଛେ ପଛେ ବିଜେପିର ଅଭ୍ୟୁଦୟ ଘଟିଛି। ୨୦୧୯ ସାଧାରଣ ନିର୍ବାଚନରେ ନବୀନ ଆଉ ସେ ପ୍ରକାର ତ୍ରୁଟିର ପୁନରାବୃତ୍ତି କରି ନଥିଲେ। ମାତ୍ର ୨୦୧୯ ନିର୍ବାଚନ ସମୟରେ ବିଜେପି ଅଧିକ କ୍ରିୟାଶୀଳ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବର୍ତ୍ତମାନର ଗୃହ ମନ୍ତ୍ରୀ ତଥା ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କଠାରୁ ଆରମ୍ଭ କରି କେନ୍ଦ୍ର ବହୁ ଟାଣୁଆ ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସି ବିଜେଡ଼ି ଓ ନବୀନ ସରକାରକୁ ଟାର୍ଗେଟ କରିବା ସହିତ ୧୨୦ ପ୍ଲସ ମିଶନ ନେଇ ଆକ୍ରମଣାତ୍ମକ ଭଙ୍ଗୀରେ ପ୍ରଚାର ଚଳାଇଲେ। ଓଡ଼ିଶାରେ ଦଳୀୟ ନେତୃତ୍ବର ପୁରୋଭାଗରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ପ୍ରତାପ ଷଡ଼ଙ୍ଗୀ, ଜୁଏଲ ଓରାମ ଓ ଅନ୍ୟମାନେ ବିଜେପିକୁ କ୍ଷମତାସୀନ କରାଇବାର ଆପ୍ରାଣ ଉଦ୍ୟମ ଚଳାଇବା ଫଳରେ ୨୦୧୯ ନିର୍ବାଚନରେ ଜୋରଦାର ଲଢ଼େଇ ହେଲା। ନିର୍ବାଚନରେ ବିଜେଡ଼ି ପୁଣି କ୍ଷମତାକୁ ଆସିଲା । ହେଲେ ଏ ନିର୍ବାଚନ ବିଜେପିର ଢ଼ାଞ୍ଚା ବଦଳାଇଦେବା ସହିତ ବିରୋଧୀ ଦଳର ଆସନଟିକୁ ବି ଦଳ ଅକ୍ତିଆର କରିନେଲା।

ଲକ୍ଷ୍ୟକରାଯାଉଛି ଗତ ନିର୍ବାଚନ ପରଠୁ ବିଜେପି ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ସହିତ ବୁଥ ସ୍ତରରେ ନିଜକୁ ମଜଭୁତ ପାଇଁ ସକ୍ରିୟ ହେଉଛି। ରାଜ୍ୟରେ ଏବେ ପରୀଠାରୁ ଆରମ୍ଭ କରି ପାଠକ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗକୁ ଅତି ଶକ୍ତିଶାଳୀ ଢ଼ଙ୍ଗରେ ଆଗକୁ ନେଇ ଜନତାଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏବେଠୁ ସବୁ ଦଳରେ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତିନି ଦଳରେ ସବୁ ଛାମୁଆ ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ କରାଯାଉଛି। ବିଜେପି ଆଗାମୀ ଦିନ ପାଇଁ ଲୋକଙ୍କ ନିକଟତର ହେଉଥିବାବେଳେ ମାନ୍ଦା ସ୍ଥିତିରେ ଥିବା କଂଗ୍ରେସର ନୂଆ ପ୍ରଭାରୀ ଭାବେ ଡ.ଚେଲାକୁମାର ଯୋଗଦେବା ପରେ ଏ ଦଳ ଏବେ ଅପେକ୍ଷାକୃତ ସକ୍ରିୟ ହୋଇଛି।

ଏସବୁ ଭିତରେ ବିଜେଡ଼ି ଆଗକୁ ଆଉ ଦୁର୍ବଳ ନୁହେଁ ବରଂ ଶକ୍ତିଶାଳୀ ବିରୋଧୀଙ୍କ ଆହ୍ବାନର ସମ୍ମୁଖୀନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଜେଡ଼ି ଏହାର ରଣନୀତିକୁ ଅଧିକ ଶାଣିତ କରୁଛି। ନିକଟରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ, ରାଜ୍ୟ ପରିଷଦ, ଯୁବ ଓ ଛାତ୍ର ବିଜେଡ଼ି ସଙ୍ଗଠନର ଏକାଧିକ ବୈଠକରେ ଦଳର ସୁପ୍ରିମୋ ସମସ୍ତଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି। ଏହା ଭିତରେ ସବୁଠୁ ଟାଣ ମନ୍ତ୍ର ହେଲା ଦୁର୍ନୀତି ହଟାଇବାର ଆହ୍ବାନ ଆଉ କେନ୍ଦ୍ର ବିରୋଧୀ ରଣନୀତି। ୨୦୧୯ ନିର୍ବାଚନ ପରଠୁ ନବୀନ କେନ୍ଦ୍ର ବିରୋଧରେ ପ୍ରାୟ ଚୁପ ରହୁଥିବା ଲକ୍ଷ୍ୟ କରାଯାଉଥିଲା। ସାଧାରଣରେ ଧାରଣା ଜନ୍ମିଥିଲା ଯେ ବିଜେଡ଼ି ଓ ବିଜେପି ଭିତରେ କିଛି ବୁଝାମଣା ରହିଛି। କେନ୍ଦ୍ରରେ ଏକାଧିକ ବିଲକୁ ସମର୍ଥନ ଏହା ପଛର କାରଣ ହୋଇପାରେ। କିନ୍ତୁ ନିକଟ ଅତୀତରେ ବିଜେପି ଏହାର ଓଡ଼ିଶା ପ୍ରଭାରୀ ଭାବେ ଡି.ପୁରନ୍ଦେଶ୍ବରୀଙ୍କୁ ଦାୟିତ୍ବ ଦେବା ପରେ ସେ ଓଡ଼ିଶା ଆସି ବିଜେଡ଼ି ସରକାର ବିରୋଧରେ ଯେଭଳି ଆକ୍ରମଣାତ୍ମକ ମୁଦ୍ରାରେ ବକ୍ତବ୍ୟ ରଖିଲେ ତାହାକୁ ବିଜେଡ଼ି ହଜମ କରିପାରିନି। ସେଥିପାଇଁ ନବୀନ ନିରବତା ଭାଙ୍ଗି କେନ୍ଦ୍ର ବିରୋଧୀ ସ୍ବର ଶାଣିତ କରିଛନ୍ତି। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ହେଉ କିମ୍ବା ଅନୁଦାନ, ରେଳବାଇ ହେଉ ବା ରୟାଲଟି ସବୁ କ୍ଷେତ୍ରରେ କେନ୍ଦ୍ରରେ ନେତୃତ୍ବ ନେଉଥିବା ବିଜେପି ଏବଂ କଂଗ୍ରେସ କାହାରିକୁ ଛାଡ଼ି ନାହାନ୍ତି। ସମସ୍ତେ ଓଡ଼ିଶା ବିରୋଧୀ ବୋଲି ବକ୍ତବ୍ୟ ରଖିବା ସହିତ ଆଗକୁ ଲଢ଼େଇ ଜୋରଦାର ହେବ ବୋଲି ସବୁଜ ସଙ୍କେତ ଦେଇଛନ୍ତି।

ଆଜି ପ୍ରତିଷ୍ଠା ଦିବସ ପରେ ବିଜେଡ଼ିର ସବୁ ସାଙ୍ଗଠନକି ଶକ୍ତି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ଜୋସ ନେଇ ଆଗକୁ ବଢ଼ିବେ। ରାଜ୍ୟର ଦୁଇ ବିରୋଧୀ ରାଜନୈତିକ ଦଳର ଯୁଦ୍ଧଂଦେହି ଡ଼କରା ଭିତରେ ବିଜେଡ଼ି ଏହାର ରଣନୀତିକୁ କେଉଁ ଢ଼ଙ୍ଗରେ ଆଗକୁ ବଢ଼ାଇବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

Comments are closed.