ଆଜି କ୍ବାଲିଫାୟର-୨ : ଫାଇନାଲ ଲକ୍ଷ୍ୟରେ ଦିଲ୍ଲୀ ଓ ହାଇଦରାବାଦ

ଆବୁଧାବି : ଆଇପିଏଲ-୧୩ର ୨ୟ କ୍ବାଲିଫାୟାର ରବିବାର ଖେଳାଯିବ। ଫାଇନାଲ ଖେଳିବା ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ଡେଭିଡ୍‌ ୱାର୍ଣ୍ଣର ନେତୃତ୍ବାଧୀନ ସନ୍‌ରାଇଜର୍ସ ହାଇଦରାବାଦ୍ ଓ ଶ୍ରେୟାସ ଆୟର ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ମୁହାଁମୁହିଁ ହେବେ। ପୂର୍ବତନ ଚମ୍ପିଆନ୍ ହାଇଦରାବାଦ୍‌ ୩ୟ ଥର ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଥିବା ବେଳେ ଦିଲ୍ଲୀ ପ୍ରଥମଥର ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି। ପ୍ଲେଅଫ୍‌ରେ ପହଞ୍ଚିବା ଲାଗି ସନ୍‌ରାଇଜର୍ସକୁ ତା’ର ଶେଷ ୩ଟିଯାକ ମ୍ୟାଚ୍ ଜିତିବାର ଥିଲେ ହେଁ ଏଥିରେ ସଫଳ ହୋଇଥିଲା। ପୁଣି ଏଲିମିନେଟରରେ ଏହା ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ବିଦାକରି ଏଠାରେ ପହଞ୍ଚିଛି।

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସନ୍‌ରାଇଜର୍ସ ସେତେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ୨ୟ ଚରଣରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। କ୍ରମାଗତ ୩ଟି ମ୍ୟାଚରେ ଏହା ପ୍ଲେଅଫ୍‌ରେ ପହଞ୍ଚିଥିବା ଅନ୍ୟ ୩ଟି ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି କ୍ବାଲିଫାୟାର-୨ରେ ପହଞ୍ଚିଛି। ଋଦ୍ଧିମାନ ଶାହା ଓ ​‌େ​‌ଜସନ ହୋଲ୍‌ଡର ସାମିଲ ହେବା ପରେ ଦଳ ଶକ୍ତିଶାଳୀ ହୋଇଛି। ଡେଭିଡ୍‌ ୱାର୍ଣ୍ଣର, ଋଦ୍ଧିମାନ, ମନୀଷ ପାଣ୍ଡେ, କେନ୍ ୱିଲିୟମସନ୍‌ ଭଲ ଫର୍ମରେ ରହିଛନ୍ତି। ଅଲ୍‌ରାଉଣ୍ଡର ଭାବେ ଜେସନ୍ ହୋଲ୍‌ଡର ମ୍ୟାଚ୍ ବିଜେତା ପ୍ରମାଣିତ ହୋଇଛନ୍ତି। ଲେଗ୍‌ସ୍ପିନର ରସିଦ୍ ଖଁା ଅଦ୍ୟାବଧି ଓଭର ପିଛା ୬ରୁ କମ୍ ରନ୍ ଦେଇଛନ୍ତି। ନୂଆ ବଲ୍‌ରେ ସନ୍ଦୀପ ଶର୍ମା ଓ ଟି. ନଟରାଜନ ଭଲ ବୋଲିଂ କରୁଛନ୍ତି। ବାମହାତି ସ୍ପିନର ଶାହାବାଜ୍‌ ନଦ୍ଦିମ୍‌ ଉନ୍ନତ ପ୍ରଦର୍ଶନ କରି ଚାଲିଛନ୍ତି। ଏଲିମିନେଟରରେ ଋଦ୍ଧିମାନ ଆହତ ହେବା ଦଳର ବ୍ୟାଟିଂ ଉପରେ ପ୍ରଭାବ ପଡ଼ିନଥିଲା। କେନ୍ ୱିଲିୟମ୍‌ସନ ଯେପରି ଦାୟିତ୍ବବାନ୍ ହୋଇ ମଧ୍ୟକ୍ରମ ସମ୍ଭାଳୁଛନ୍ତି; ତାହା ଦଳକୁ ଉତ୍ସାହିତ କରିଛି। ସନ୍‌ରାଇଜର୍ସର ସବୁଠାରୁ ବଡ଼ ଶକ୍ତି ହେଲା କ୍ରମାଗତ ୪ଟି ମ୍ୟାଚ୍‌ ଜିତିବା ପରେ ଆତ୍ମବିଶ୍ବାସ।

ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ୨ୟ ଚରଣରେ ଆତ୍ମବିଶ୍ବାସ ହରାଇଛି। ଦିଲ୍ଲୀ ଶେଷ ୬ ଲିଗ୍‌ ମ୍ୟାଚରୁ ମାତ୍ର ଗୋଟିଏ ଜିତିଥିବା ବେଳେ ୫ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଶିଖର ଧାୱନ ୫୨୫, ପୃଥ୍ବୀ ସ’ ୨୨୮, ଅଜିଙ୍କ୍ୟ ରାହାଣେ ୧୧୧ ରନ କରିଛନ୍ତି। ପୃଥ୍ବୀଙ୍କ ବିଫଳତା ଓ ମଧ୍ୟକ୍ରମରେ ଶ୍ରେୟସ ଆୟାର ଓ ମାର୍କସ ଷ୍ଟୋଇନିସ୍‌ ଫର୍ମ ହରାଇବା ଦଳକୁ ଚିନ୍ତାରେ ପକାଇଛି। ସିମ୍ରନ ହେତ୍‌ମେୟରଙ୍କ ସ୍ଥାନରେ ମୁମ୍ବଇ ବିପକ୍ଷରେ ଖେଳିଥିବା ଡାନିଏଲ ସାମ୍‌ସ ଉପଯୋଗୀ ସାବ୍ୟସ୍ତ ହୋଇ ପାରିନାହାନ୍ତି। ତେବେ ହେତ୍‌ମେୟାର ଫେରିପାରନ୍ତି। ଋଷଭ ପନ୍ତ୍‌ଙ୍କ ପରି ମ୍ୟାଚ୍ ବିଜେତା ବ୍ୟାଟ୍‌ସମ୍ୟାନ୍ ଥିଲେ ହେଁ ସେ ବଡ଼ ସ୍କୋର୍ କରି ପାରିନାହାନ୍ତି। କାଗିସୋ ରାବଡା ୨୫ଟି, ଅନରିଚ୍‌ ନ୍ୟୋର୍ଜ ୨୦ଟି, ରବିଚନ୍ଦ୍ରନ ଅଶ୍ବିନ ୧୯ଟି ୱିକେଟ ନେଇଛନ୍ତି। ଦଳ ନିକଟରେ ମ୍ୟାଚ ବିଜେତା ବ୍ୟାଟ୍‌ସମ୍ୟାନ ଓ ବୋଲର ରହିଥିଲେ ମଧ୍ୟ ଆତ୍ମବିଶ୍ବାସର ଅଭାବ ଦଳକୁ ବିଜୟଠାରୁ ଦୂରେଇ ନେଇଛି। ଉଭୟ ଦଳ ଚଳିତ ସଂସ୍କରଣରେ ଦୁଇଥର ମୁହାଁମୁହିଁ ହୋଇଛନ୍ତି। ଉଭୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ପରାସ୍ତ ହୋଇଛି।

Comments are closed.