ବିପର୍ଯ୍ୟସ୍ତ କୃଷି ଯୋଜନା, ଚାଷ ଜମି ସହ ବିକ୍ରି ହେଉଛି କେନାଲ!

ଟିଟିଲାଗଡ଼:  ସରକାରୀ ସ୍ତରରେ କୃଷିର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନାର ପେଡ଼ି ଖୋଲି ଦିଆଯାଇଛି। ହେଲେ ପ୍ରକୃତରେ ଯୋଜନା ଦିଗହରା ହେବା ସହ କୃଷିର ବିପର୍ଯ୍ୟସ୍ତ ଅବସ୍ଥା ସହ କୃଷକଙ୍କ ଦୁର୍ଗତି ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ଅଞ୍ଚଳରେ ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା ନେଇ କୃଷକଙ୍କ ଚାଷ ଜମି ସହ ଏପରିକି କେନାଲ ମଧ୍ୟ ବିକ୍ରି ଚାଲିଥିବା ଆଲୋଚନାର ବିଷୟ ହୋଇଛି। ପ୍ରାୟ ୨୦ ବର୍ଷ ତଲେ ଟିଟିଲାଗଡ ସହର ଉପକଣ୍ଠରେ ଜଳସମ୍ପଦ ବିଭାଗ ପକ୍ଷରୁ ଜମୁନା ଯୋରକୁ ବନ୍ଧା ଯାଇ ତଳ ଅଞ୍ଚଳରେ ଥିବା ବ୍ଲକ ଅନ୍ତର୍ଗତ ଗ୍ରାମାଞ୍ଚଳର ଚାଷ ଜମିକୁ କେନାଲ ଯୋଗେ ଜଳସେଚନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ ମୂଳରୁ ଠିକଣା ଭାବରେ କେନାଲର ଲେଭେଲିଂ କରା ନ ଯିବା, ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ କେବଲ ଥରୁଟିଏ ପାଇଁ ଉକ୍ତ କେନାଲରେ ପାଣି ଆସିଥିବା ଦେଖିଥିବା ଲାଭାନ୍ୱିତ ହେବାକୁ ଥିବା ତଳି ଅଞ୍ଚଳ ଗାଁ କତରକେଲାର ଚାଷୀ କହନ୍ତି।

ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି କେବଲ କାଗଜପତ୍ରରେ କେନାଲ ମରାମତି କାର୍ଯ୍ୟ ନେଇ କତରକେଲା ଗ୍ରାମପଞ୍ଚାୟତ ଅଞ୍ଚଳରେ କେନାଲ ସତା ହରାଇବାକୁ ବସିଲାଣି। ବୃହତ ବାଙ୍କେଲ ଜଳସେଚନ ପ୍ରକଲ୍ପକୁ ଯମୁନା ଜୋର ସହ ସଂଲଗ୍ନ କରିବାକୁ ସରକାରି ଯୋଜନା ମଧ୍ୟ କ୍ରୀୟାନ୍ୱିତ କରାଗଲା ନାହିଁ। ଚାଷୀଙ୍କ ବାରମ୍ବାର ଦାବି ସତ୍ୱେ ଅଣଜଳସେଚିତ କତରକେଲା ଏବଂ ଘନ୍ଟବାହାଲି ପଞ୍ଚାୟତ ଅଞ୍ଚଳରେ ଲମ୍ବିଥିବା କେନାଲକୁ କଂକ୍ରିଟ ସହ ଲାଇନିଂ ମଧ୍ୟ କରାଗଲା ନାହିଁ। ଅପରପକ୍ଷରେ ବର୍ଷକୁ ବର୍ଷ ମରୁଡି ନେଇ ଚାଷୀଙ୍କ ପ୍ରଭୁତ କ୍ଷତି ହୋଇଚାଲିଛି। ୨୦୧୭ରେ ମରୁଡି କ୍ଷୟକ୍ଷତି ନେଇ ବିମା କମ୍ପାନୀଙ୍କ ମ୍ୟାପରେ କତରକେଲା ଗ୍ରାମପଞ୍ଚାୟତକୁ ସିହିନି ଗ୍ରାମପଞ୍ଚାୟତ ଅଧିନସ୍ତ ଦେଖାଇ କୌଣସି କ୍ଷତିପୁରଣ ପ୍ରଦାନ କରାଗଲା ନାହିଁ। ୨୦୧୮ରେ କିଛି ଅଣଋଣୀ ଚାଷୀ ସହାୟତା ପାଇଥିବା ବେଳେ ଅନେକ ଋଣୀ ଚାଷୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ୨୦୧୯ରେ କ୍ଷତିଗ୍ରସ୍ତ ଚାଷୀ କେବେ ସହାୟତା ପାଇବେ ସେ ନେଇ ବିମା କମ୍ପାନୀ ଅଦ୍ୟାବଧି ଟାଳଟୁଳ ନୀତ ଜାରି ରଖିଛି। ଏନେଇ କତରକେଲା ଅଞ୍ଚଳର ଅନେକ ଚାଷୀ ବିମୁଖ ହୋଇ ଚାଷ ବୃତି ଛାଡି ସାରିଥିବା କେନାଲ ନିର୍ମାଣ ନେଇ ନିଜ ଚାଷ ଜମି ହରାଇଥିବା ଚାଷୀ ହେମସାଗର ବେହେରା, କେତୁ ନାଗ, କୁଲମଣୀ ମହାନନ୍ଦ, ରାଜିବ ବାରିକ ପ୍ରମୁଖ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଚାଷୀ ଭାବରେ ପୁରସ୍କୃତ ପିତାମ୍ବର ବେହେରାଙ୍କ ଅଭିଯୋଗ ମୁତାବକ କେନାଲ ପାଇଁ ସେ ସମୟରେ ଜଳସମ୍ପଦ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ନେଇ ଡିସମିଲକୁ ୫୦ରୁ ୧୫୦ ଟଙ୍କା ପ୍ରଦାନ କରାଯାଇଥିଲା। ଏବେ ଜମି ମୁଲ୍ୟ ଡିସମିଲକୁ ୫୦ ହଜାର ଟଙ୍କାକୁ ପହଞ୍ଚିଛି। ଟିଟିଲାଗଡ କେସିଙ୍ଗା ରାସ୍ତାରେ ତେଲନଦୀରେ ବ୍ରିଜ ନିର୍ମାଣ ପରେ ସଂଯୋଗ ନେଇ ଏଅଞ୍ଚଳରେ ଜମିର ଦର ଦିନକୁ ଦିନ ହୁହୁ ହୋଇ ବୃଦ୍ଧି ପାଇବାକୁ ଲାଗିଛି। ଜମି ମାଫିଆ, ଦଲାଲ ଚାଷ ଜମି ମାଡି ବାସିବାକୁ ଆତୁର ହୋଇପଡ଼ିଛନ୍ତି। ପୋତି ହୋଇଯାଇଥିବା କେନାଲକୁ ଆଶ୍ରା କରି ମୂଳ ବୁଡାଇ ଚାଲିଥିବା ଚାଷୀ ନିଜ ଜୀବିକା ଉପାର୍ଜନ ନେଇ ଅନ୍ୟ ପନ୍ଥା ଧରିଲେଣି। ନାମକୁ ମାତ୍ର ରହିଥିବା କେନାଲର ଦିକଡରେ ଥିବା ଜମି ଚଢା ଦରରେ ବିକ୍ରି ହୋଇଚାଲିଛି। କେନାଲ କଡ ଚାଷ ଜମି ସହରିଆ ଅଣଚାଷୀଙ୍କ କବଜା କରି କେତେକ ସ୍ଥାନରେ ଅଟ୍ଟାଲିକା ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ଜଣାଯାଇଛି। ଚାଷ ବୁଡିବା ସହ ଚାଷ ଜମି ମଧ୍ୟ ହାତରୁ ଯାଇ ଏବେ କେନାଲର ଆବଶ୍ୟକତା ମଧ୍ୟ ନ ଥିବା ବେଳେ ଯାହା ସ୍ଥିତି ଥିଲା ତାହା ମଧ୍ୟ ବିଲୋପ ହୋଇଚାଲିଥିବା ଚାଷୀ କହିଛନ୍ତି। ଯେଉଁ ଅଞ୍ଚଳରେ କେନାଲର ଅସ୍ତିତ୍ୱ କିଛି ଅଛି ଚାଷୀ କାଗଜପତ୍ରରେ ବର୍ଷକୁ ବର୍ଷ ଅର୍ଥ ଆତ୍ମସାତ କରିବାକୁ ସରକାରି ବାବୁଙ୍କୁ ଆଉ ପାଖ ମଡାଇଦେବେ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସରକାରି ଅଧିକାରୀଙ୍କ ବେପରୁଆ ନୀତି ନେଇ କ୍ଷତିରେ ପଡ଼ି ଚାଷୀ ନିଜ କୌଳିକ ଜୀବିକା ପରିତ୍ୟାଗ ସହ ନିଜ ପୈତୃକ ଜମିକୁ ମଧ୍ୟ ବିକ୍ରୟ କରିଚାଲିଥିବା ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଟିଟିଲାଗଡ ସହରରେ ବିରାଟ ବିଲଡିଂ, ବଙ୍ଗଲା ଛାଡି ଜଳସେଚନ ବିଭାଗ କାର୍ଯ୍ୟାଳୟ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇସାରିଛି। ଏଭଳିକ୍ଷେତ୍ରରେ କୃଷି ବିକାଶ ଯୋଜନାର ଅଧୋଗତି ନେଇ ରାଜ୍ୟ ସରକାର ଉତରଦାୟିତ୍ୱ ନିର୍ଦ୍ଧାରଣ କରି ଦୋଷୀ ଅଧିକାରୀ, ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Comments are closed.