ରେଳ ଧାରଣା କଡରେ ବେଆଇନ ବ୍ଲାଷ୍ଟିଂ ଘଟଣା; ଠିକା ସଂସ୍ଥାର ଦୁଇ କର୍ମଚାରୀ କୋର୍ଟ ଚାଲାଣ

ଟିଟିଲାଗଡ଼: ଗତକାଲି ବଲାଙ୍ଗୀର ଟିଟିଲାଗଡ଼ ରେଳ ରାସ୍ତାରେ ଟିଟିଲାଗଡ଼ ନିକଟରେ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ ଆସୁଥିବା ସମୟରେ ବେଆଇନ ବ୍ଲାଷ୍ଟିଂ ଘଟଣାରେ ରେଳ ଠିକା ସଂସ୍ଥାର ଦୁଇ କର୍ମଚାରୀ ଗିରଫ ସହ କୋର୍ଟ ଚାଲାଣ ହୋଇଛନ୍ତି। ବଲାଙ୍ଗୀର ଆରପିଏଫ ନିଜ ପକ୍ଷରୁ ମାମଲା ଦାୟର ସହ ଠିକା ସଂସ୍ଥା ଜୟ ହନୁମାନ ଇଣ୍ଟରପ୍ରାଇଜର୍ସର ଦୁଇ କର୍ମଚାରୀ କଲିସେଟି ନାଗା ବିଘ୍ନେଶ ଏବଂ ଡାଡ଼ଲା ରାଜେଶଙ୍କୁ ରେଳ ଅଧିନିୟମ ଅନ୍ତର୍ଗତ ବିଭିନ୍ନ ଦଫାରେ ଗିରଫ ପରେ ବଲାଙ୍ଗୀର ଏସଡିଜେଏମଙ୍କ କୋର୍ଟ ଚାଲାଣ କରିଛି। ସେମାନଙ୍କୁ ଅଦାଲତ ଜେଲକୁ ପଠାଇ ଦେଇଥିବା ବଲାଙ୍ଗୀର ଆରପିଏଫ ଥାନା ଅଧିକାରୀ ଅମରେଶ ବେହେରା ସୂଚନା ଦେଇଛନ୍ତି।

ଗତକାଲି ଟିଟିଲାଗଡ଼ ଅଭିମୁଖେ ୯.୧୦ରେ ବଡ଼ମାଳ ରେଳ ଷ୍ଟେସନରୁ ସମ୍ବଲପୁର ରାୟଗଡା ଏକ୍ସପ୍ରେସ ଟ୍ରେନ ଛାଡ଼ିଥିଲା। ୧୦ କିଲୋମିଟର ଦୂରରେ ରହିଥିବା ପରବର୍ତୀ ଷ୍ଟେସନ ସିକେର ମଧ୍ୟରେ ସେହି ସମୟରେ ରେଳ ଲାଇନ କଡରେ ଦ୍ଵିତୀୟ ଲାଇନ ନିର୍ମାଣ ପାଇଁ ପାହାଡ଼ ଫଟାଇବା ଠିକା ନେଇଥିବା ସଂସ୍ଥା ବଡ ଧରଣର ବ୍ଲାଷ୍ଟିଂ କରିଥିଲା। ଏନେଇ ବଡ଼ ବଡ଼ ପଥର ସବୁ ଆସି ରେଳ ଧାରଣାରେ ପଡିବା ସହ ରେଳ ଶିଳପଟି ଉପରେ ଯାଇଥିବା ବିଦ୍ୟୁତ ଖୁଣ୍ଟ ତାରର ଅଶେଷ କ୍ଷତି କରିଥିଲା। ଏ ସମ୍ପର୍କରେ ଟ୍ରେନ  ଡ୍ରାଇଭରଙ୍କ ପାଖରେ କୌଣସି ସୂଚନା ନଥିଲା। ଭାଗ୍ୟକୁ ବିଦ୍ୟୁତ ତାର ଅନ୍ୟ ପଟରେ ଓହଳି ପଡିଥିବାରୁ ବିଦ୍ୟୁତ ଚାଳିତ ଇଂଜିନରୁ ସଂଯୋଗ ବିଛିନ୍ନ ହୋଇ ଟ୍ରେନଟି ଆପେ ଅଟକି ଯାଇଥିଲା। ବିଦ୍ୟୁତ ତାର ଛିଣ୍ଡି ଟ୍ରେନ ଉପରେ ପଡ଼ିଥିଲେ ଆହୁରି ବିପଦ ହୋଇଥାନ୍ତା ବୋଲି ଆଲୋଚନା ହୋଇଛି। ତେବେ ବଡ଼ ଧରଣର ଜନଜୀବନ ହାନି ହେବା ସମ୍ଭାବନା ରହିଥିଲା। ଏନେଇ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏକ ଟିମ ଟିଟିଲାଗଡ଼ ଆସି ତଦନ୍ତ ଜାରି ରଖିଥିବା ଜଣାଯାଇଛି।

Comments are closed.