ଟିଟିଲାଗଡ଼ ସହରରେ ୧୭ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ବର : ଟିଟିଲାଗଡ଼ ସହରରେ ଆସନ୍ତାକାଲି(ରବିବାର) ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଟିଟିଲାଗଡ଼ ଉପଜିଲାପାଳ ସୁଧାକର ନାୟକ ଏଠାରେ ୧୭ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି। କର୍ଫ୍ୟୁ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ ଏବଂ ଘରୁ କେହି ବାହାରକୁ ନ ବାହାରିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ବାହାରକୁ ଆସନ୍ତି ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ କଡ଼ା ନିର୍ଦେଶ ଦେଇଛନ୍ତି।

ପ୍ରବାସୀ ଓଡ଼ିଆଙ୍କୁ ନେଇ ୨ଟି ସ୍ବତନ୍ତ୍ର ଟ୍ରେନ୍‌ ଟିଟିଲାଗଡ଼ ଦେଇ ଯିବାକୁ ଥିବାରୁ ସହରରେ ଟିଟିଲାଗଡ଼ ଉପଜିଲାପାଳ ସୁଧାକର ନାୟକ କର୍ଫ୍ୟୁ ଜାରି କରିଛନ୍ତି। ଆନ୍ଧ୍ର ପ୍ରଦେଶ ଓ ମୁମ୍ବାଇରୁ ୨ଟି ଟ୍ରେନ୍‌ ପ୍ରାୟ ୧୨ଶହ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସୁଛି। କେବଳ ବଲାଙ୍ଗୀର ଜିଲାର ୨୦୮ ଶ୍ରମିକ ଏହି ଟ୍ରେନ୍‌ରେ ଆସୁଛନ୍ତି। ତେବେ ଟିଟିଲାଗଡ଼ ସହରରେ ୩୦୦ରୁ ଅଧିକ ଶ୍ରମିକ ଓହ୍ଲାଇବା ସମ୍ଭାବନା ରହିଛି। ଆନ୍ଧ୍ର ପ୍ରଦେଶ ଓ ମୁମ୍ବଇରୁ ଆସି ଟିଟଲାଗଡ଼ରେ ଓହ୍ଲାଇବାକୁ ଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚାଇବା ପାଇଁ ଟିଟିଲାଗଡ଼ ସହରରେ କର୍ଫ୍ୟୁ ଜାରି ହୋଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.