ସବୁଜ ହେବ ତତଲାଗଡ, ୪ ଲକ୍ଷ ଚାରାରୋପଣ ଯୋଜନା

ଟିଟିଲାଗଡ଼ : ତତଲାଗଡ ରୂପେ ପରିଚିତ ଟିଟିଲାଗଡ ବନାଂଚଳରେ ଚଳିତ ବର୍ଷ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ନେଇ ବନ ବିଭାଗ ପ୍ରସ୍ତୁତି ଜୋରଦାର ହୋଇଛି। ଏନେଇ ବିଭିନ୍ନ ଯୋଜନାରେ ୪ ଲକ୍ଷରୁ ଊର୍ଦ୍ଧ୍ବ ଚାରା ପ୍ରସ୍ତୁତ ହୋଇଛି। ସବୁଜ ଭାରତ ମିଶନ, ସବୁଜ ମହାନଦୀ ମିଶନ, ଜାତୀୟ ବନୀକରଣ କାର୍ଯ୍ୟକ୍ରମ, କାମ୍ପା ଆଦି ଯୋଜନାରେ ଚାରା ପ୍ରସ୍ତୁତ ସହ ଟିଟିଲାଗଡ ରେଞ୍ଜ ଅଂଚଳରେ ବ୍ୟାପକ ବନୀକରଣ କରାଯିବ। ସୂଚନା ଯେ ଟିଟିଲାଗଡ ଅଂଚଳରେ ବିଶେଷ କରି ଗ୍ରୀଷ୍ମ ଋତୁରେ ପ୍ରାୟ ତିନି ମାସ ଧରି ପାରଦ ୪୦ ଡିଗ୍ରୀ ଉପରେ ରହି ଜନଜୀବନ ଅସ୍ତବ୍ୟସ୍ତ କରିଛି। ଏନେଇ ଶ୍ରମିକବର୍ଗଙ୍କ ନିତିଦିନଆ ଖଟଣୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ତରରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଆସିଛି। ଅପରପକ୍ଷରେ ୧୯୯୨ରେ ରାଜ୍ୟ ସରକାରଙ୍କ ପକ୍ଷରୁ ହିଟୱେଭ ପ୍ରତିହତ ପାଇଁ କିଛିଟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପରେ ତାହା ବନ୍ଦ ପଡିଥିଲା। ଏନେଇ ଦୀର୍ଘ ବର୍ଷ ପରେ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ଆଲୋଚନାର ବିଷୟ ହୋଇଛି। ଚଳିତ ବର୍ଷ ନୂତନ ଜଙ୍ଗଲ ସୃଷ୍ଟି ନେଇ ବନ ବିଭାଗ ବିଭିନ୍ନ ଯୋଜନାରେ ୧୫ରୁ ଊର୍ଦ୍ଧ୍ବ୍ର କିସମର ଚାରାରୋପଣ ପାଇଁ ଅଣ୍ଟା ଭିଡିଛି। ରେଞ୍ଜ ଅଂଚଳର ଗୋଏଲଭାଡି, ଘୁଗୁରପଲା, ଖାସମୁଣ୍ଡା, ସିକେର, ଝାରଦେବନ୍ଧ, ଭିକାବାହାଲି, ବଡମାଲ, ସିଆଲଝୁଡୁଙ୍ଗି ଆଦି ଗ୍ରାମରେ ଏନେଇ ଚାରା ପ୍ରସ୍ତୁତି ଚାଲିଛି। ଅନ୍ୟପକ୍ଷରେ ପ୍ରାୟ ୫୦ ହଜାର ଚାରା ବିଭିନ୍ନ ସଂଗଠନ, ଶିକ୍ଷାନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କୁ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ବନବିଭାଗ ପକ୍ଷରୁ ୩୭ଟି ବନ ସୁରକ୍ଷା ସମିତିର ଶତାଧିକ ସଦସ୍ୟ ବନୀକରଣ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ରେଞ୍ଜ ଅଧିକାରୀ ଜିତେନ୍ଦ୍ରୀୟ ନନ୍ଦ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବନୀକରଣ ତଥା ବନସମ୍ପଦ ସୁରକ୍ଷା ନେଇ ବିଭିନ୍ନ ଗ୍ରାମାଂଚଳ ତଥା ସହରର ସମସ୍ତ ସଂଗଠନ, ବୁଦ୍ଧିଜୀବୀ, ଯୁବବର୍ଗ ସାମିଲ ହେବାକୁ ପ୍ରକୃତି ମିତ୍ର ଉପେନ୍ଦ୍ର ବାଗ ଆହ୍ୱାନ ଦେଇଛନ୍ତି।

Comments are closed.