ଚାଳ ଛପର ଘରେ ବିତୁଛି ଜୀବନ, ସହାୟତାର ହାତ ବଢ଼ାଇବକୁ ନିବେଦନ

ଟିଟିଲାଗଡ଼: ପରିଣତ ବୟସରେ ଚାଳ ଛପର ଘରେ ବିତୁଛି ଜୀବନ। ନିଜର ବୋଲି କେହି ନାହିଁ। ମାଟି ଛପର ଘରଟିଏ ପାଲଟିଛି ଆଶ୍ରା। ଅସରାଏ ବର୍ଷାରେ ଘରେ ପାଣି ପଶି ଯାଉଛି। ଛପର କରିବାକୁ ସମ୍ବଳ ନାହିଁ। ବହୁ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ସର୍ଗିଗୁଡାର ଜଣେ ବୃଦ୍ଧା। ତାଙ୍କ ନାମ ଚନ୍ଦ୍ରା ସୁନା। ଚନ୍ଦ୍ରାଙ୍କ ଦୁଃଖ ଦେଖିଲେ ଦିହ ସହୁନାହିଁ। ମାଟି ଛପର ଘର ବର୍ଷାରେ ପାଣି ଗଳି ଘର ସାରା ପାଣି ଆଣ୍ଠୁଏ ଭରି ହୋଇଯାଉଛି। ଚୁଳିରେ ପାଣି ଭର୍ତ୍ତି ହୋଇଯାଉଥିବାରୁ ଦୁଇ ଓଳି ରାନ୍ଧି ଖାଇବା ମଧ୍ୟ ମୁସ୍କିଲ ହୋଇପଡିଛି। ବୃଦ୍ଧାଙ୍କ ନିଜର ବୋଲି କେହି ନାହାନ୍ତି। ଏପରିକି ଘର ଢାଙ୍କିବାକୁ ପଲିଥିନଟିଏ ପ୍ରଦାନ ପାଇଁ ମଧ୍ୟ ପ୍ରଶାସନର ନଜର ପଡୁନି।

 

ତେବେ ବୃଦ୍ଧାଙ୍କ ଦୁଃଖ ଖବର ଶୁଣି ସ୍ଥାନୀୟ ରାଏମନ ଫାଉଣ୍ଡେସନ ଅଧ୍ୟକ୍ଷା ରଞ୍ଜୁ ରାଏମନ ବୃଦ୍ଧାଙ୍କ ଘରକୁ ଯାଇ ଏକ ପଲିଥିନ ସହ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ମହାମାରି ଭଳି ଦୁର୍ଦ୍ଦିନରେ ଅସହାୟଙ୍କ ପ୍ରତି ପ୍ରଶାସନର ନଜର ନପଡିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ପୌର ନିର୍ବାହି ଅଧିକାରୀ ଦାୟିତ୍ୱରେ ରହିଥିବା ଟିଟିଲାଗଡ ଉପଜିଲାପାଳ ବୃଦ୍ଧାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଜନସାଧାରଣ ନିବେଦନ କରିଛନ୍ତି।

Comments are closed.