ପଥର କ୍ୱାରି ବ୍ଲାଷ୍ଟିଂରେ ଥରୁଛି ୮ଟି ଗାଁ

ଟିଟିଲାଗଡ଼ : ଟିଟିଲାଗଡ ତହସିଲ ଅନ୍ତର୍ଗତ ଦିଗସିରା ପଞ୍ଚାୟତ ନିମୁର୍ଲା ଚାଣ୍ଡିଲି ପାହାଡ ତଥା ଆଖପାଖ ଅଞ୍ଚଳରେ ସମ୍ପ୍ରତି ପଥର ମାଫିଆଙ୍କ ଦ୍ୱାରା ଲୁଟତରାଜ ଜୋରଦାର ହୋଇଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ଏକ ଘରୋଇ କମ୍ପାନୀ ପଥର ବ୍ଲାଷ୍ଟିଂ କାମ ଆରମ୍ଭ କରିଥିବା ଜଣାଯାଇଛି। ଫଳରେ ପଥର କ୍ବାରୀ ବ୍ଲାଷ୍ଟିଂରେ ଥରୁଛି ୮ଟି ଗାଁ ଥରୁଛି। ଏହାର ପ୍ରତିକାର ପାଇଁ ଦାବି କରାଯାଇଛି। କମ୍ପାନୀ ବେଆଇନ ଭାବରେ ବଡ ଧରଣର ବ୍ଲାଷ୍ଟିଂ କରୁଥିବାରୁ ଆଖପାଖ ଗୌଡତୁଲା, କୁର୍ସୁଡ, ବେନ୍ଦୁଲପଡା, ସର୍ଗିଗୁଡା, ବୁର୍ଡା, ଗୋଇକେଲା, ଫପସି, ସିଲୁଅାଁ ଆଦି ଗ୍ରାମ ଥରିଉଠୁଥିବା ଅଭିଯୋଗ ହୋଇଛି। ଏଭଳି ପ୍ରଚଣ୍ଡ ବ୍ଲାଷ୍ଟିଂ ଶବ୍ଦ ହେଉଛି ଯେ ତାହା ପ୍ରାୟ ୨୦ କିଲୋମିଟର ଦୂର ଟିଟିଲାଗଡ ସହରକୁ ମଧ୍ୟ ଶୁଣାଯାଉଥିବା ଆଲୋଚନା ହୋଇଛି। ବ୍ଲାଷ୍ଟିଂ ସମୟରେ ସତର୍କତା ନେଇ ପୂର୍ବ ସୂଚନା, ସାଇରନ ଭଳି କୌଣସି ସଙ୍କେତ ଦିଆଯାଉନାହିଁ। ଫଳରେ ଗାଈଗୋରୁ, ପାଖଆଖରେ ଖେଳୁଥିବା ଶିଶୁଙ୍କ ଜୀବନ ପ୍ରତି ଭୟ ରହିଛି। ଅପରପକ୍ଷରେ ପଥର କ୍ବାରି ବ୍ଲାଷ୍ଟିଂ ନେଇ ତଦନ୍ତ କରାଯିବ ବୋଲି ତହସିଲତାର କହିଛନ୍ତି।
ଏନେଇ ୨୦୧୦ରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସମ୍ପୃକ୍ତ ଘରୋଇ କମ୍ପାନୀ ପକ୍ଷରୁ ଥାନାରେ ମିଥ୍ୟା ମାମଲା ଦାଖଲ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ଏନେଇ ସେହି ସମୟରେ ଗାଁର ପ୍ରାୟ ୫୪ ଜଣ ଲୋକଙ୍କ ନାମରେ ବିଭିନ୍ନ ମାମଲା ରୁଜୁ ସହ ଗିରଫଦାରୀ ପାଇଁ ସିଲୁଅାଁ ସମେତ ବିଭିନ୍ନ ଗ୍ରାମରେ ଲଗାତାର ଚଢଉ କରାଯାଇଥିଲା। ଫଳରେ ଭୟରେ ଗାଁ ଗୁଡିକ ପୁରୁଷ ଶୂନ୍ୟ ହୋଇପଡିଥିଲା। ସ୍ଥାନୀୟ ଲୋକେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜି ବସିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୨୨ ଜଣ ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିଲେ।
ସବୁଜ ବନାନୀରେ ପରିପୂର୍ଣ୍ଣ ଚାଣ୍ଡିଲି ପାହାଡ ତଥା ପାହାଡରେ ରହିଥିବା ଆଦିବାସୀ ଦେବାଦେବୀଙ୍କ ଗୁଡିର ସୁରକ୍ଷା ପାଇଁ ସେ ସମୟରେ ସଂଗ୍ରାମକୁ ଓହ୍ଲାଇଥିବା ବର୍ତ୍ତମାନର ସରପଞ୍ଚ ଗୋଲକବିହାରୀ ସିଂଭୋଇ ଗାଁରେ ଉଦ୍ୟମ କ୍ରମେ କମ୍ପାନୀ କେସ ପ୍ରତ୍ୟାହାର କରିନେଇଥିବା ଜଣାଯାଇଛି। ତେବେ ପ୍ରଶାସନ ପକ୍ଷରୁ ପଥର ଉତ୍ତୋଳନ, ବ୍ଲାଷ୍ଟିଂ ଆଦି ନେଇ ସ୍ଥାନୀୟ ପଞ୍ଚାୟତକୁ କୌଣସି ସୂଚନା ପ୍ରଦାନ, ଆବଶ୍ୟକ ଅନୁମତି କିମ୍ବା ନୋ ଅବଜେକ୍ସନ ପ୍ରମାଣ ପତ୍ର ମଧ୍ୟ ଲୋଡାଯାଉନଥିବା ସରପଂଚ ଶ୍ରୀ ସିଂଭୋଇ କହିଛନ୍ତି। ବଡବଡିଆଙ୍କୁ ହାତ କରି ବ୍ୟବସାୟ ବେଧଡକ ଚଳାଇଥିବା କମ୍ପାନୀ ସରକାରଙ୍କ ସିଏସଆର ଆଇନ ମୁତାବକ ନିଜ ଲାଭାଂଶରୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ମଧ୍ୟ ଅଦ୍ୟାବଧି ଅଣିଟାଏ ମଧ୍ୟ ଖର୍ଚ୍ଚ କରିନଥିବା ଅଭିଯୋଗ ହୋଇଛି। ଏନେଇ ଟିଟିଲାଗଡ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ୫ ବର୍ଷ ପାଇଁ କମ୍ପାନୀକୁ ପଥର କ୍ୱାରି ପାଇଁ ଲିଜ ଦିଆଯାଇଥିଲା। ବ୍ଲାଷ୍ଟିଂ ପାଇଁ ଜିଲାପାଳ ଅନୁମତି ପ୍ରଦାନ କରିଥାନ୍ତି। ତେବେ ସେ ନେଇ ଆମ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ ବୋଲି ଶ୍ରୀ ମଲ୍ଲିକ କହିବା ବିସ୍ମିତ କରିଛି। ଏନେଇ ତହସିଲଦାର ଆନନ୍ଦ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ କମ୍ପାନୀକୁ ବ୍ଲାଷ୍ଟିଂ ଲାଇସେନ୍ସ ମିଳିଛି କି ନାହିଁ ଏବଂ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି।

Comments are closed.