କମୁନି ତାତି, ଟିଟିଲାଗଡ଼ର ତାପମାତ୍ରା ପୁଣି ୪୩.୮ ଡିଗ୍ରୀ ସେଲସିୟସ

ଟିଟିଲାଗଡ଼ : ତତଲାଗଡ ରୁପେ ପରିଚିତ ଟିଟିଲାଗଡ ଅଂଚଳରେ ପାରା କମିବାର ନାଁ ନେଉନାହିଁ । ଗତ ମାର୍ଚ୍ଚ ମାସରୁ ୪୦ ଡିଗ୍ରୀ ଉପରେ ରହି ଲୋକଙ୍କୁ କଳବଳ କରିଥିବା ତାପମାତ୍ରା ଜୁନରେ ମଧ୍ୟ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । ରବିବାର ସହରରେ ତାପମାତ୍ରା ୪୩.୮ ଡିଗ୍ରୀ ସେଲସିୟସ ସହ ପୁଣି ରାଜ୍ୟରେ ସର୍ବାଧିକ ତାପମାତ୍ରାର ରେକର୍ଡ ସୃଷ୍ଟି କରିଚାଲିଛି । ଦୀର୍ଘ ତିନି ମାସ ଧରି ତତଲାକଡେଇରେ ସିଝିଚାଲିଥିବା ଅଂଚଳବାସୀଙ୍କ ଏନେଇ ଧୈର୍ଯ୍ୟଚ୍ୟୁତି ଘଟିଲାଣି । ଗ୍ରୀଷ୍ମଋତୁରେ ଶେଷ ଆଡକୁ କୁଅ ପୋଖରି ଶୁଖିଲା ପଡିଛି। ଟ୍ୟାଙ୍କର ଯୋଗେ ଲୋକଙ୍କୁ ପାଣି ମୁନ୍ଦାଏ ପହଞ୍ଚାଇବା ପାଇଁ ପ୍ରଶାସନ ଦିନରାତି ଏକ କରିଦେଇଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ ପରି ହୋଇଛି । ଅପରପକ୍ଷରେ ଅଘୋଷିତ ବିଦ୍ୟୁତ କାଟ ଅସହ୍ୟ ହୋଇପଡିଛି । ଏପରିକି ରାତି ସାରା ମଧ୍ୟ ଲାଇନ ଗାୟବ ରହୁଛି । ସହର ଠାରୁ ଗ୍ରାମାଞ୍ଚଳରେ ବିଦ୍ୟୁତ ସରାବରାହ ଅଧିକ ମାତ୍ରାରେ ବ୍ୟାହତ ହୋଇଛି । ଦିନରେ ପ୍ରଚଣ୍ଡ ରୌଦ୍ର ତାପ ସହ ଝାଞ୍ଜି ପବନ ଲୋକଙ୍କୁ ଅତିଷ୍ଠ କରିଛି ।

Comments are closed.