କରୋନାରେ ବଢିଛି ସମସ୍ୟା, ବଢୁଛି ଭିଡ

ଟିଟିଲାଗଡ଼ : ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଏହା ବିଶାଳ ସଂକଟର ଘଡି ଭାବରେ ଉଭା ହୋଇଛି। ସକ୍ଷମ ଲୋକେ ପ୍ରତିକୂଳ ପରିସ୍ଥିତିକୁ ସମ୍ଭାଳି ନେଇଥିବା ବେଳେ ଗରିବ ବାପୁଡା ନ୍ୟାୟ ପାଇଁ ସର୍ବଦା ବାରଦ୍ୱାର ଶୁଣ୍ଢିପିଣ୍ଡା ହୋଇ ଆସିଥିବା ବେଳେ ମହାମାରୀ ସମୟରେ ସମସ୍ୟା ବୃଦ୍ଧି ଲୋକଙ୍କୁ ଘରୁ ପଦାକୁ ବାହାରିବାକୁ ବାଧ୍ୟ କରିଛି। ଏନେଇ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଲୋକେ ନ୍ୟାୟ ପାଇଁ ପ୍ରତ୍ୟେହ ଛୁଟି ଆସୁଥିବା ଦେଖାଯାଇଛି। ସମ୍ପ୍ରତି ନୂଆ ଉପଜିଲାପାଳ ଯୋଗଦେଇଥିବା ପୀଡିତ ଅଧିକ ଆଶାନ୍ୱିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ସୁଦୂର ତୁରେକେଲା ବ୍ଲକର ଝରନି ପଞ୍ଚାୟତର ଗୁପି ତାଣ୍ଡି ତାଙ୍କ ଘର ଭାଙ୍ଗିଥିବା ବେଳେ ସରକାରୀ ଆବାସ ଯୋଜନାରେ ସାମିଲ କରାଯାଇନଥିବା ଉପଜିଲାପାଳଙ୍କ ନିକଟକୁ ଧାଇଁ ଆସିଥିବା ଦେଖାଯାଇଥିଲା। ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଘନ୍ଟବାହାଲି ପଞ୍ଚାୟତ ସେରକୋ ଗାଁର ସାନନ୍ଦ ଛତର ପଞ୍ଚାୟତ କାନ୍ଥରେ ଲେଖାଯାଇଥିବା ତାଲିକାରେ ତାଙ୍କ ନାଁ ତଳକୁ ତିନି ଜଣ ଘର ପାଇଲେଣି ତାଙ୍କୁ ଦିଆଗଲା ନାହିଁ ବୋଲି ଅଭିଯୋଗ ଧରି ପହଞ୍ଚିଥିଲେ। ଅନେକ ଶ୍ରମିକ ସେମାନଙ୍କ ମନରେଗା ଯୋଜନା ବାବଦକୁ ପାଉଣା ପାଇନଥିବା ଅଭିଯୋଗ ଧରି ପହଞ୍ଚିଥିଲେ। ଅନେକ ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ବିଡିଓ ତଥା ଗ୍ରାମପଞ୍ଚାୟତ ନିର୍ବାହି ଅଧିକାରୀଙ୍କ ଜରିଆରେ ସମାଧାନ ସହ ଲୋକେ ନ୍ୟାୟ ପାଇପାରନ୍ତେ। ତେବେ କ୍ରମାଗତ ଭାବରେ ଅବହେଲା ନେଇ ଏପରିକି କରୋନାର କାୟା ବିସ୍ତାର ସମୟରେ ମହିଳାମାନେ ମଧ୍ୟ ଦୂର ଦୂରାନ୍ତରୁ ଧାଇଁବା ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଏନେଇ ଉପଜିଲାପାଳ ଧ୍ୟାନ ଦେବାକୁ ଦାବି ହୋଇଛି।

Comments are closed.