ବହୁ ପରିମାଣର ଚୋରି ଅଳଙ୍କାର ସହିତ ୯ ଲୁଟେରା ଗିରଫ

ଚୌଦ୍ୱାର: ବିଭିନ୍ନ ଘର ଓ ଗହଣା ଦୋକାନରେ ପଶି ସର୍ବସ୍ୱ ଲୁଟକରୁଥିବା ୬ଜଣ କୁଖ୍ୟାତ ଲୁଟେରାଙ୍କୁ ଚୌଦ୍ୱାର ପୁଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ଚୋରି ଗହଣା କିଣୁଥିବା ୩ ଜଣ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଦା ଜିଲ୍ଲା ଗୁଣ୍ଡୁରପୁର ସାହିର ସୁରେଶ ଗଜେନ୍ଦ୍ର,ଚୌଦ୍ୱାର ଓଟିଏମ କଲୋନୀ ଜୟନ୍ତୀନଗରର ସୁକାନ୍ତ ସ୍ୱାଇଁ ଓରଫ ସୁକା, ଜଗତସିଂପୁର ଜିଲ୍ଲା ଜଗନ୍ନାଥପୁର ଗ୍ରାମର ରାଜେଶ ଖଟୁଆ, ଜଗତପୁର ଥାନା ବାରବାଟିଆ ଗ୍ରାମର ଧର୍ମେନ୍ଦ୍ର ସ୍ୱାଇଁ, ଖୋର୍ଦ୍ଧା ଜିଲା ଧଉଳି ଥାନା ଲିଙ୍ଗିପୁର ଗ୍ରାମର ଅସିତ୍‌‌ କର, ଭୁବନେଶ୍ୱର ଲିଙ୍ଗରାଜ ଥାନା ଓଲଡ ଟାଉନ୍‌‌ର ହେମନ୍ତ ଦାସ ଏବଂ ଦୋକାନୀ କଟକ ମଙ୍ଗଳାବାଗ ଥାନା ନୂଆପାଟଣାର ମହେଶ ପୃଷ୍ଟି, ମଙ୍ଗଳାବାଗର ସରୋଜକାନ୍ତ ସାହୁ ଏବଂ ପୁରୀଘାଟ ଥାନା ଦୋଳମୁଣ୍ଡେଇର ସନ୍ତୋଷ ଭୋସଲେ।

ସେମାନଙ୍କ ନିକଟରୁ ୬ଟି ସୁନା ନେକଲେସ୍‌‌, ୯ଟି ସୁନାଚେନ୍‌‌, ୩୯ଟି ସୁନା ମୁଦି, ୧୩ହଳ କାନଫୁଲ, ପାଉଁଜି ୪ହଳ, ଗୋଟିଏ ବ୍ରୋଞ୍ଜ ଚୂଡ଼ି, ଗୋଟିଏ ହୋଣ୍ଡାଇ ସାଣ୍ଟ୍ରୋ କାର, ୨ଟି ଲାପଟପ୍‌‌, ଗୋଟିଏ ଏଲ୍‌‌ଇଡ଼ି ଟିଭି ସହିତ ଚୋରି ପାଇଁ ବ୍ୟବହାର କରୁଥିବା ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ଏ ସମ୍ପର୍କରେ ଚୌଦ୍ୱାର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଥିଲେ ଯେ ଚୌଦ୍ୱାର ଶିବାଜୀ ନଗର ବାସିନ୍ଦା ସୁଶାନ୍ତ କୁମାର ସାହୁ ଗତ ଜାନୁୟାରୀ ୨୪ ତାରିଖରେ ଚୌଦ୍ୱାର ଥାନାରେ ଏକ ଲିଖିତ ଏତାଲା ଦାଖଲ କରିଥିଲେ ଯେ ସେ ଓ ତାଙ୍କ ପରିବାର ଘରେ ନ ଥିବା ବେଳେ ୨୩ ତାରିଖ ରାତିରେ ଦୁର୍ବୁତ୍ତମାନେ ତାଙ୍କ ଘରେ ପଣି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ପାଇ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ଡିସିପିଙ୍କ ନିର୍ଦ୍ଦେଶରେ ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ଏକ ଟିମ୍‌‌ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଅଞ୍ଚଳର କୁଖ୍ୟାତ ଲୁଟେରା ସୁକାନ୍ତ ଓରଫ ସୁକା ଓ ତାଙ୍କ ସହଯୋଗୀ ମାନେ କଜଳଖଣା ଛକରେ ଏକ ନମ୍ବର ବିହୀନ ସାଣ୍ଟ୍ରୋ କାରରେ ସଂଦିଗ୍ଧ ଅବସ୍ଥାରେ ବୁଲୁଥିବା ତଦନ୍ତକାରୀ ଅଧିକାରୀ ନିରଞ୍ଜନ ଭୋଇ ଖବରପାଇ ସଦଳବଳେ ଚଢ଼ଉ କରି ସୁକା ସହିତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ସେମାନଙ୍କୁ ପଚରା ଉଚରା କରିବାରେ ସେମାନେ କଳିଙ୍ଗ ଛକସ୍ଥିତ କାଞ୍ଚନ ଜୁଏଲର ଓ ଶିବାଜୀ ନଗରର ଜଣକ ଘରୁ ଲୁଟ କରିଥିବା ସ୍ୱୀକାର କରିଥିଲେ। ଏଥି ସହିତ କଟକ ଓ ଜଗତପୁର ଅଞ୍ଚଳରେ ୬ଟି, ସଦର, ମଧୁପାଟଣା ଓ ୪୨ମୌଜା ଅଞ୍ଚଳରେ ୫ଟି ସ୍ଥାନରୁ ଚୋରି କରିବା ସହିତ ଓଡ଼ିଶାର ବିଭିନ୍ନ ଜିଲାରେ ମଧ୍ୟ ବହୁ ଅପରାଧିକ ଘଟଣା ଘଟାଇଥିବା ସ୍ୱିକାର କରିଥିଲେ। ସେମାନଙ୍କ ନାମରେ ରାଜ୍ୟର ବହୁ ଥାନାରେ ବହୁ ମାତ୍ରାରେ ଅପରାଧିକ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି। ଏସଂକ୍ରାନ୍ତରେ ଅଧିକ ତଦନ୍ତ ଜାରୀ ରହିଥିବା ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Comments are closed.