ଶାନ୍ତି, ବିଶ୍ୱାସ ଓ ସହନଶୀଳତାର ନୂଆ ଯୁଗ ଆରମ୍ଭ କରିବା ସମୟ ଆସିଛି- ଜାତିସଂଘ ମୁଖ୍ୟ

ପବିତ୍ର ଗାନ୍ଧୀ ଜୟନ୍ତୀରେ ଆନ୍ତର୍ଜାତିକ ଅହିଂସା ଦିବସ ପାଳିତ

ନ୍ୟୁୟର୍କ: ଅକ୍ଟୋବର ୨ ତାରିଖ, ମହାତ୍ମା ଗାନ୍ଧୀର ଜନ୍ୱିଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବରେ ପାଳନ କରାଯାଉଥିବାବେଳେ ସମଗ୍ର ବିଶ୍ୱରେ ସେ ନାଗରିକ ଅଧିକାର ହାସଲ ଓ ସାମାଜିକ ପରିବର୍ତ୍ତନ ପାଇଁ ଅହିଂସା ଆନ୍ଦୋଳନର ଏକ ପ୍ରତୀକ ଭାବରେ ଉଭା ହୋଇଛନ୍ତି । ଗାନ୍ଧୀଜୀଙ୍କ ପାଇଁ ଅହିଂସା, ଶାନ୍ତିପୂର୍ଣ୍ଣ ବିକ୍ଷୋଭ, ଇଜ୍ଜତ ଏବଂ ସମାନତା କେବଳ ଶବ୍ଦ ନୁହେଁ, ତାହାଠାରୁ ଯଥେଷ୍ଟ ଅଧିକ ଗୁରୁତ୍ୱ ବହନ କରୁଥିଲା । ସେଗୁଡିକ ତାଙ୍କ ପାଇଁ ମାନବିକତା ସକାଶେ ଏକ ମାର୍ଗଦର୍ଶନକାରୀ ଆଲୋକବର୍ତ୍ତିକା, ଉତ୍ତମ ଭବିଷ୍ୟତ ଗଠନ ଦିଗରେ ଏକ ରେଖାଚିତ୍ର ହୋଇଥିଲା ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି ।
ଆନ୍ତର୍ଜାତିକ ଅହିଂସା ଦିବସ ପାଳନ ଅବସରରେ ସେ କହିଛନ୍ତି, ଗାନ୍ଧୀଜୀଙ୍କର ନୈତିକତା ଏବଂ ଅହିଂସା ମାର୍ଗ ବର୍ତ୍ତମାନର ସମସ୍ୟାବହୁଳ ସମୟରେ ସମାଧାନର ଏକ ପଥ ପ୍ରଦର୍ଶନ କରୁଛି । ବିଦ୍ୱେଷ ଏବଂ ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଓ ଅସମାନତା, ଅବିଶ୍ୱାସଭାବ ଏବଂ ବିଭାଜନ ଆଦି ସହିତ କୋଭିଡ-୧୯ ମହାମାରୀ, ସବୁକିଛି ଜନଜୀବନ ଓ ଅର୍ଥନୀତିକୁ ବିପର୍ଯ୍ୟସ୍ତ ବିଧ୍ୱସ୍ତ କରିଦେଇଛି । ଏହି ଆହ୍ୱାନଗୁଡିକର ସମାଧାନ ଆମ ହାତରେ ରହିଛି ଏବଂ ତାହା ହେଉଛି ଏକତା । ଗାନ୍ଧୀଜୀ ଯେଉଁଭଳି ଭାବରେ କରିଥିଲେ ଆମେ ତାହା ହୃଦବୋଧ କରିବାକୁ ହେବ ଯେ, ଆମେ ଯେଉଁଥି ପାଇଁ ପରସ୍ପର ମଧ୍ୟରେ ବିଭାଜନ ରେଖା ଟାଣୁଛେ ତାହାଠାରୁ ଅଧିକ ଭଲ କାରଣ ରହିଛି ଯେଉଁଥିପାଇଁ ଆମେ ଏକତ୍ର ହୋଇପାରିବା । ସମସ୍ତଙ୍କ ନିମନ୍ତେ ଏକ ଉତ୍ତମ ଭବିଷ୍ୟତ ଗଢିତୋଳିବାକୁ ଶାନ୍ତି ଏକମାତ୍ର ରାହା ହୋଇଛି ।
ଗୁଟେରସ କହିଛନ୍ତି, ଆମ ଦୁନିଆଁର ଚାଲେଞ୍ଜଗୁଡିକର ମୁକାବିଲା କରିବା ଉପାୟ ଗୋଟିଏ ମଣିଷ ପରିବାର ଭଳି ସମ୍ମିଳିତ ଭାବରେ ଆସୁଛି ଏବଂ ଶାନ୍ତିର ମାର୍ଗକୁ ଏହା ଏଭଳି ଗ୍ରହଣ କରୁଛି, ଯାହା ପୂର୍ବରୁ କେବେ ପରିଲକ୍ଷିତ ହୋଇନଥିଲା । କୋଭିଡ-୧୯ ଏହାର ଏକ ଉଦାହରଣ ହୋଇଛି । ସମସ୍ତେ ଜରୁରୀକାଳୀନ ଭିତ୍ତିରେ ଜୀବନ ରକ୍ଷାକାରୀ ଟିକା ଓ ଚିକିତ୍ସା ସାମଗ୍ରୀ, ସମର୍ଥନ ଅନ୍ୟ ରାଷ୍ଟ୍ରଗୁଡିକୁ ଯୋଗାଇ ଦେଉଛନ୍ତି । ବିଶ୍ୱରୁ ଅସମାନତା ହ୍ରାସ ଦିଗରେ ଆମ ଉଦ୍ୟମକୁ ବ୍ୟାପକ କରିବାକୁ ହେବ ଏବଂ ଦାରିଦ୍ର୍ୟରେ ଅନ୍ତ ଘଟାଇବାକୁ ପଡିବ । ଆମ ଉପଗ୍ରହକୁ ସୁରକ୍ଷିତ ଓ ସୁସ୍ଥ ରଖିବାକୁ ଆମେ ଏକ ମଜଭୁତ ବିଶ୍ୱସ୍ତରୀୟ ଯୋଜନା ଆବଶ୍ୟ କରୁଛୁ । ଆମ ମଧ୍ୟରୁ ଅନେକଙ୍କୁ ପାରସ୍ପରିକ ବିଶ୍ୱାସ ପୁନଃ ପ୍ରକଟ କରିବାର ଆବଶ୍ୟକତା ରହିଛି । ଘୃଣା, ବିଭାଜନ, ବିଦ୍ୱେଷ ଏବଂ ଅବିଶ୍ୱାସ ଭାବର ଦିନ ସରିଯାଇଛି । ସଂପ୍ରତି ଶାନ୍ତି, ବିଶ୍ୱାସ ଓ ସହନଶୀଳତାର ଏକ ନୂଆ ଯୁଗ ଆରମ୍ଭ କରିବା ସମୟ ଆସିଛି । ଏହି ଦିବସରେ ସମସ୍ତେ ଗାନ୍ଧୀଜୀଙ୍କର ଶାନ୍ତିର ବାର୍ତ୍ତା ପାଠ କରିବା ସହିତ ଏକ ଉତ୍ତମ ଏବଂ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ନିର୍ମାଣ ଦିଗରେ ଉଦ୍ୟମ କରିବା ଉଚିତ ବୋଲି ଗୁଟେରସ କହିଛନ୍ତି ।

Comments are closed.