ସମାନ ନାଗରିକ ସଂହିତା ପ୍ରଣୟନର ସମୟ ଆସିଛି

ବିଧି ଓ ନ୍ୟାୟ ମନ୍ତ୍ରଣାଳୟକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋଡ୍) ପ୍ରଣୟନ ସପକ୍ଷରେ ମତ ଦେଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ। ବିଭିନ୍ନ ଧର୍ମ ମଧ୍ୟରେ ରହିଥିବା ପାରମ୍ପରିକ ବାଧାବିଘ୍ନ ସମୟକ୍ରମେ ଉଭେଇଯିବାରେ ଲାଗିଥିବାରୁ ସମାନ ନାଗରିକ ସଂହିତା ପ୍ରଣୟନ ହେବାରେ ଅସୁବିଧା ନାହିଁ। ଦେଶର ବିଧି ଓ ନ୍ୟାୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ଅଧିକ ବିଚାରବିମର୍ଶ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ବିଚାରପତି ପ୍ରତିଭା ଏମ୍‌. ସିଂହ। ଶୁକ୍ରବାର ତଲାକ ସମ୍ପର୍କିତ ଏକ ମାମଲାର ଶୁଣାଣିବେଳେ ବିଚାରପତି କହିଛନ୍ତି ଯେ ଆଧୁନିକ ଭାରତୀୟ ସମାଜ ଅନେକ ପରିମାଣରେ ‘ସଜାତୀୟ’ ହୋଇଗଲାଣି। ଏଥିରୁ ଧାର୍ମିକ, ଜାତିଭିତ୍ତିକ ଓ ସାମ୍ପ୍ରଦାୟିକ ବାଛବିଚାର କ୍ରମଶଃ ଦୂର ହେଲାଣି। ଏଥିଯୋଗୁଁ ବିବାହ ଓ ଛାଡ଼ପତ୍ର (ତଲାକ) ଭଳି ମାମଲାରେ ସମସ୍ୟା ସୃଷ୍ଟି ହେଉଛି। ଧର୍ମ ଓ ସମ୍ପ୍ରଦାୟ ଆଧାରରେ ଏଭଳି ମାମଲାର ବିଚାର ଅନେକ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ଆଜିର ଯୁବପିଢ଼ି ନୁହନ୍ତି; ଅଦାଲତ ମଧ୍ୟ ଏକାଧିକ ବିବାହ ଓ ଛାଡ଼ପତ୍ର ଆଇନକୁ ନେଇ ଦ୍ବନ୍ଦ୍ବର ସମ୍ମୁଖୀନ ହେଉଛନ୍ତି। ଏବେ ସମସ୍ତେ ଏଭଳି ଦ୍ବନ୍ଦ୍ବରୁ ଦୂରେଇ ରହିବା ସହ ସମାନ ଆଇନ ପ୍ରଣୟନ ଚାହୁଁଛନ୍ତି। ଏଭଳି ସମୟରେ ଦେଶରେ ସମାନ ନାଗରିକ ସଂହିତା ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି। ସମ୍ବିଧାନର ଧାରା-୪୪ରେ ଏଭଳି ସଂହିତା ପ୍ରଣୟନ ନେଇ ଯେଉଁ ବ୍ୟବସ୍ଥା​‌ ରହିଛି ତାହାକୁ ଏବେ ବାସ୍ତବ ରୂପ
ଦେବାର ସମୟ ଆସିଛି। ଏହି ପରିପ୍ରେକ୍ଷୀରେ ବିଚାରପତି ପ୍ରସଙ୍ଗ ଉପରେ ପଦକ୍ଷେପ ନେବା ପାଇଁ ବିଧି ଓ ନ୍ୟାୟ ମନ୍ତ୍ରଣାଳୟକୁ ଦାୟିତ୍ବ ଦେଇଛନ୍ତି। ଏଥିପାଇଁ ୧୯୮୫ରେ ସର୍ବୋଚ୍ଚ ନ୍ୟାୟାଳୟ ଜର୍ଡନ୍‌ ସୁଶ୍ରୀ ଡିଙ୍ଗଡେ ମାମଲାରେ ଦେଇଥିବା ରାୟକୁ ମନ୍ତ୍ରଣାଳୟ ଅଧ୍ୟୟନ କରିବା ଉଚିତ। ଗତ ତିନି ଦଶନ୍ଧି ମଧ୍ୟରେ ମନ୍ତ୍ରଣାଳୟ ଏ ସମ୍ପର୍କରେ କି ପଦକ୍ଷେପ ନେଇଛି ତାହା ସ୍ପଷ୍ଟ ନୁହେଁ ବୋଲି ବିଚାରପତି ସିଂହ କହିଛନ୍ତି।

Comments are closed.