ବାଘୁଣୀ ଖୋଜୁଛି ସୁନ୍ଦରୀ

ଅନୁଗୋଳ/ବନ୍ତଳା: ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟକୁ ନିଆଯିବା ପରେ ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀ ତାକୁ ଖୋଜୁଛି। ସୁନ୍ଦରୀ ରହୁଥିବା ଏନ୍‌କ୍ଲୋଜର୍‌ ପାଖକୁ ଆସି ଗର୍ଜନ କରିବା ସହ ଏଣେତେଣେ ଚାହୁଁଛି। କିଛି ସମୟ ଖୋଜିବା ପରେ ନିରାଶ ହୋଇ ଜଙ୍ଗଲକୁ ଦୌଡ଼ି ପଳାଉଛି। ଏପରି ଘଟଣା ଦେଖିବାକୁ ମିଳିଛି ସାତକୋଶିଆର ରାଇଗୁଡାଠାରେ।

ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ରାଇଗୁଡ଼ାଠାରେ ନିର୍ମିତ ହୋଇଥିବା ଏନ୍‌କ୍ଲୋଜର୍‌ରେ ସୁନ୍ଦରୀ ପ୍ରାୟ ଅଢେଇ ବର୍ଷରୁ ଅଧିକ ସମୟ ବିତାଇଥିଲା। ଏହି ସମୟରେ ସାତକୋଶିଆର ପ୍ରକୃତିକୋଳରେ ଜନ୍ମ ନେଇଥିବା ବାଘବଂଶର ଶେଷ ବାଘୁଣୀ ସହ ତାର ବନ୍ଧୁତା ହୋଇଥିଲା। ଉଭୟ ମାଈ ବାଘୁଣୀ ହୋଇଥିଲେ ହେଁ ବେଳେବେଳେ ସେମାନଙ୍କ ମଧ୍ୟରେ ଝଗଡା ଲାଗୁଥିଲା ତ କେତେବେଳେ ଦୁହେଁ ଉତ୍ତମ ବନ୍ଧୁ ଭାବେ ଚଳପ୍ରଚଳ କରୁଥିବା ବନ ବିଭାଗ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।

ସୁନ୍ଦରୀ ଥିବା ସମୟରେ ଅନେକ ସମୟରେ ଏହି ବୟସ୍କା ବାଘୁଣୀଟି ଏନ୍‌କ୍ଲୋଜର୍‌ ପାଖରେ ବିଚରଣ କରୁଥିବା ବନବିଭାଗ ପ୍ରକାଶ କରିଛି। ଏହି ବୟସ୍କା ବାଘୁଣୀଟି ଖୁଆଡ଼ ବାହାର ପାଖରେ ବୁଲାବୁଲି କରୁଥିବା ବେଳେ ଖୁଆଡ଼ର ଭିତରପାର୍ଶ୍ୱରେ ସୁନ୍ଦରୀ ତା’ସହ ପାଦ ମିଶାଇ ଖୁଆଡ଼କୁ ଲାଗି ଚଲାବୁଲା କରୁଥିଲା। ବେଳେ ବେଳେ ଦୁହେଁ ଏନକ୍ଲୋଜରରେ ଲାଗିଥିବା ଲୁହା ତାର ଜାଲି ଉପରକୁ ଚଢି ଗର୍ଜନ କରିବା ସହ ଆକ୍ରମଣାତ୍ମକ ଭଙ୍ଗୀରେ ନିଜର ଭାବ ଆଦାନ ପ୍ରଦାନ କରୁଥିଲେ। ଏହି ସମୟ ମଧ୍ୟରେ ବହୁ ଥର ସାତକୋଶିଆର ଏହି ବୟସ୍କା ବାଘୁଣୀ ପଞ୍ଜାର ଚିହ୍ନକୁ ଠାବ କରିଛି ବନ ବିଭାଗ।

ଏବେ ସେସବୁ ଚିତ୍ର ବଦଳିଛି। ସୁନ୍ଦରୀର ଘରବାହୁଡା ପରେ ସାତକୋଶିଆରେ ଏକା ହୋଇଯାଇଛି ବାଘୁଣୀ। ପୂର୍ବରୁ ମହାବୀର ସହ ଏହି ବାଘୁଣୀ ଚଳପ୍ରଚଳ କରୁଥିଲା। ମହାବୀରର ମୃତ୍ୟୁ ପରେ ଏକାକୀ ହୋଇଯାଇଥିଲା। ଆଉ ଏବେ ପୁଣି ଥରେ ସୁନ୍ଦରୀ ଫେରିଯିବା ପରେ ସେ ଏକୁଟିଆ ହୋଇଯାଇଛି।

ବାଘୁଣୀଟି ପ୍ରତି ଏବେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ଜଣାପଡିଛି। ସୁନ୍ଦରୀ ଥିବା ସମୟରେ ବାଘୁଣୀଟି ରାଇଗୁଡ଼ାର ଏନକ୍ଲୋଜର ପାଖାପାଖି ଅଞ୍ଚଳ ତଥା ରାଇଗୁଡା ଓ ରସଣ୍ଡା ଅଞ୍ଚଳରେ ବୁଲାବୁଲି କରୁଥିଲା। ଏହି ସବୁ ଜାଗାରେ ଲାଗିଥିବା ସିସିଟିଭି ଓ ଟ୍ରାପ୍‌ କ୍ୟାମେରାଦ୍ୱାରା ତାର ଗତିବିଧି ଉପରେ ବନବିଭାଗ ସହଜରେ ନଜର ରଖିପାରୁଥିଲା। ସୁନ୍ଦରୀ ଫେରିବା ପରେ କିଛି ଦିନ ଏନକ୍ଲୋଜର ପାଖକୁ ଆସି ନିରାଶ ହେବା ପରେ ବାଘୁଣୀ କୋର୍‌ ଜଙ୍ଗଲ ମଧ୍ୟକୁ ଚାଲିଯାଉଛି। ତାକୁ ଟ୍ରାକିଂ କରିବା ଏବେ ବନବିଭାଗ ପାଇଁ କାଠିକର ପାଠ ପାଲଟିବ। ବାଘୁଣୀ ଦେହରେ ଜିପିଏସ କିମ୍ବା ରେଡ଼ିଓକୋଲାର ଖଞ୍ଜା ଯାଇ ନଥିବାରୁ ଏହା କୁହାଯାଇଛି। ସାତକୋଶିଆର ପ୍ରକୃତିକୋଳର ଜନ୍ମ ନେଇଥିବା ବାଘୁଣୀ ଯଦି କୌଣସି ସମୟରେ ଶିକାରୀଙ୍କ ହାବୁଡ଼ରେ ପଡ଼ିଯାଏ ତେବେ ସାତକୋଶିଆରୁ ବାଘବଂଶ ଲୋପ ପାଇଯିବା ଆଶଙ୍କା ରହିଛି।

Comments are closed.