ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟ ନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ଛୁଟିରେ ପିଲାମାନେ ଗୃହକାର୍ଯ୍ୟ କରିବେ, ସେଥିପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଗୃହକାର୍ଯ୍ୟ ଦେବା ଓ ତାକୁ ତଦାରଖ କରିବା, ସମସ୍ତ ପିଲାଙ୍କୁ ପାଠ୍ୟ ପୁସ୍ତକ ଯୋଗାଇବା, ଆଜିଠୁ ଆରମ୍ଭ ହୋଇଥିବା ପଛୁଆ ବର୍ଗ ଗଣନା କାର୍ଯ୍ୟରେ ସହଯୋଗ କରିବା, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପାଇଁ ମନୋନୀତ ହୋଇଥିବା ପିଲାଙ୍କର ନାମ ଲେଖାଇବା, ନୂତନ ଭାବରେ ଖୋଲାଯାଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାଧୁଚରଣ ହାଇସ୍କୁଲ ବୀରନରସିଂପୁର ଓ ବ୍ରାହ୍ମଣୀ ପାଲି ହାଇସ୍କୁଲ ଠାରେ +୨ ପିଲାଙ୍କ ନାମଲେଖାଇବା, ୟୁ ଡାଏସ ପ୍ଲସରେ ସଠିକ ତଥ୍ୟ ଦେବା, ମଧ୍ୟାହ୍ନ ଭୋଜନ ସୁପରିଚାଳନା ଆଦି ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାଝୀ ଆଲୋଚନା କରିଥିଲେ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ବୃନ୍ଦାବନ ସାହୁ ଆସନ୍ତା ଜୁନ ମାସର ଗ୍ରୀଷ୍ମ ଛୁଟି ପରେ ଜିଲ୍ଲାର ତିନୋଟି ବ୍ଲକରେ ଦୁଇଟି ପର୍ଯ୍ୟାୟରେ ୧୮୧୧ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାରମ୍ଭ ପ୍ରଶିକ୍ଷଣ ନେବେ ବୋଲି ସୂଚନା ଦେଇଥିଲେ। ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରି ମୋ ସ୍କୁଲ ଅଭିଯାନର ପରିବର୍ତ୍ତିତ ନିୟମର ସୂଚନା ଦେଇଥିଲେ। ଶୈକ୍ଷିକ ସଂଯୋଜକ ଶିବ ଶଙ୍କର ଶତପଥୀ ଓ ଶିକ୍ଷକ ପ୍ରଶିକ୍ଷିକା ଅନୁପମା ମେହେର ନିଜ ନିଜର ଶୈକ୍ଷିକ ଯୋଜନାର ସୂଚନା ଦେଇଥିଲେ। ଜିଲ୍ଲାର ସମସ୍ତ ସିଆର ସି ସି, ଏବିଇଓ ଓ ବିଭାଗୀୟ ସଂଯୋଜକ ମାନେ ଉପସ୍ଥିତ ଥିଲେ । ବୌଦ୍ଧ ବ୍ଲକ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି କମଳ କାନ୍ତ ଦଳବେହେରା ଧନ୍ୟବାଦ ଦେଇଥିଲେ ।

Comments are closed.