ବଡ଼ନାଉପୁଟ ପଞ୍ଚାୟତରେ ବ୍ୟାପକ ପନିପରିବା ଚାଷ ନଷ୍ଟ

ତିଗିରିଆ: ଲଘୁଚାପ ଜନିତ ଲଗାଣ ବର୍ଷାରେ ତିଗିରିଆ ଅଞ୍ଚଳରେ ବ୍ୟାପକ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ଠାରୁ ଜଣାପଡ଼ିଛି। ବିଶେଷ କରି ବ୍ଲକରେ ବହୁଳଭାବେ ପନିପରିବା ଚାଷ କରାଯାଉଥିବା ମହାନଦୀ ବନ୍ଧବାଡ଼ ତଳେ ରହିଥିବା ବଡ଼ନାଉପୁଟ ପଞ୍ଚାୟତରେ ବିଭିନ୍ନ ପରିବା କ୍ଷେତରେ ବର୍ଷାଜଳ ଜମି ରହିବା କାରଣରୁ ପନିପରିବା ଗଛଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବାରୁ ସ୍ଥାନୀୟ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡ଼ିବ।
ପଞ୍ଚାୟତରେ ଚାଷ କରାଯାଇଥିବା କଲରା, ଲଙ୍କା, ଜହ୍ନି, ବାଇଗଣ, ପୋଟଳ ଆଦି କ୍ଷେତରେ ଗତ ପ୍ରାୟ ୪ଦିନ ହେଲା ପାଣି ଜମି ରହିଛି। ଫଳରେ ପରିବାଗଛ ଗୁଡ଼ିକର ମୂଳ ସଢ଼ିବା ଆରମ୍ଭ ହୋଇଥିବା ଯୋଗୁଁ ଗଛଗୁଡ଼ିକର ପତ୍ର ହଳଦିଆ ମଧ୍ୟ ପଡ଼ିଗଲାଣି। ଖରା ପଡୁନଥିବାରୁ ଗଛଗୁଡ଼ିକ ବିଭିନ୍ନ ରୋଗପୋକର ଶୀକାର ହୋଇଛନ୍ତି। ଯେଉଁଭଳି ଦୈନିକ ପରିବା ଉତ୍ପାଦନ ହେଉଥିବା ତାହା ବହୁ ପରିମାଣରେ ହ୍ରାସ ପାଇବା ସହିତ ପରିବା ରୋଗୀଣା ହେଉଥିବା ଚାଷୀମାନେ କହିଛନ୍ତି। ଚାଷୀଙ୍କ କହିବା ମୁତାବକ ଏବେ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ପନିପରିବା କ୍ଷେତରୁ ଆହୁରି ଦୁଇମାସ ପର୍ଯ୍ୟନ୍ତ ଉତ୍ପାଦନ ହୋଇପାରିଥାନ୍ତା। ବର୍ତ୍ତମାନ ସ୍ଥାନୀୟ ବଜାରରେ ଏବଂ ବଡ଼ବଡ଼ ବ୍ୟବସାୟୀମାନଙ୍କୁ ଚାଷୀମାନେ ବେଶ ଭଲ ଦରରେ ପନିପରିବା ବିକ୍ରିକରି ଭଲ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହେଉଥିଲେ। ପନିପରିବା ଉତ୍ପାଦନର ମଧ୍ୟବର୍ତ୍ତୀ ସମୟରେ ଲଗାଣ ବର୍ଷା ସେମାନଙ୍କ ଅର୍ଥ ରୋଜଗାରର ଆଶା ଛଡ଼ାଇ ନେଇଛି। ପାଣିପାଗ ବିଭାଗର ସୂଚନା ମୁତାବକ ଆଗକୁ ଆହୁରି ବର୍ଷା ଆସୁଥିବାରୁ ପଞ୍ଚାୟତର ପରିବାଚାଷୀମାନଙ୍କର ଚିନ୍ତା ବଢ଼ିଯାଇଛି। ଅପରପକ୍ଷେ ମହାନଦୀ କୂଳରେ ଏବଂ ଖାଲୁଆ ଅଞ୍ଚଳରେ ପଞ୍ଚାୟତର ସର୍ବାଧିକ ଜମି ରହିଛି। ବର୍ଷାର ପରିମାଣ ବଢ଼ିଲେ ମହାନଦୀ ବନ୍ୟାଜଳ ଉକ୍ତ ପଞ୍ଚାୟତର ଚାଷଜମିକୁ ଆଗ କ୍ଷତିଗ୍ରସ୍ତ କରିଆସୁଥିବାରୁ ଚାଷୀମାନେ ନିକଟରେ ବେଉଷଣ କରିଥିବା ଧାନଚାଷକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

Comments are closed.