ମେଧାବୀଙ୍କୁ ସମ୍ବର୍ଦ୍ଧିତ କଲା ଯୁବ ବୌଦ୍ଧ ସଂଗଠନ

ତିଗିରିଆ: ଯୁବ ବୌଦ୍ଧ ସଂଗଠନ ଓଡ଼ିଶା ପକ୍ଷରୁ +୨ କଳା ପରୀକ୍ଷାରେ ୫୩୫ ନମ୍ବର ରଖି ତିଗିରିଆ ବ୍ଲକରେ ଟପ୍ପର ହୋଇଥିବା ନୂଆପାଟଣା ଚୈତନ୍ୟସାହୁ କଳା ଓ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ ପୁଷ୍ପଲତା ବର୍ଦ୍ଧନଙ୍କୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି।
ନୂଆପାଟଣା ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ଯୁବ ବୌଦ୍ଧ ସଂଗଠନର ସଭାପତି ବିକାଶ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେମାଦେଇପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମହେବୁବ ଅହେମ୍ମଦ ଖାଁ ଏବଂ ସମ୍ମାନୀତ ଅତିଥି ଭାବେ ନୂଆପାଟଣା ଚୈତନ୍ୟସାହୁ ମହାବିଦ୍ୟାଳୟର ଅଧ୍ୟାପିକା ସୁଦେସ୍ନା ନନ୍ଦ ଯୋଗଦେଇଥିଲେ। ମେଧାବୀ ଛାତ୍ରୀ ପୁଷ୍ପଲତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୌଦ୍ଧାଚାର୍ଯ୍ୟ ମୈତ୍ରୀପ୍ରିୟ ଓ ଅତିଥିମାନଙ୍କ ଦ୍ୱାରା ତଥାଗତ ବୁଦ୍ଧଙ୍କ ନିକଟରେ ଅଗରବତୀ ଓ ମହମବତୀ ପ୍ରଜ୍ୱଳନ କରି ତ୍ରିଶରଣ ଓ ପଞ୍ଚଶୀଳ ପାଠ କରାଯାଇଥିଲା। ପୁଷ୍ପଲତାଙ୍କ ସହିତ ତାଙ୍କର ପରିବାରକୁ ବୌଦ୍ଧ ସଂଗଠନ ପକ୍ଷରୁ ପଞ୍ଚଶୀଳ ଉତ୍ତରୀୟ ଓ ଏକ ବୁଦ୍ଧମୂର୍ତ୍ତି ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୁବ ବୌଦ୍ଧ ସଂଗଠନ ସମ୍ପାଦକ ପ୍ରୀତମ କୁମାର, ଉପସଭାପତି ନିରାକାର ମହାପାତ୍ର, ସହସମ୍ପାଦକ ବିକାଶ ରଞ୍ଜନ ପାତ୍ର, ଅରୁଣ କୁମାର ଦତ୍ତ, ସଦାନନ୍ଦ ପାତ୍ର, ସୁଦାମ ଚରଣ ବର୍ଦ୍ଧନଙ୍କ ସମେତ ବହୁ ବୌଦ୍ଧ ଉପାସକ ଓ ଉପାସିକା ଉପସ୍ଥିତ ଥିଲେ।

Comments are closed.