ବାଘ, ସିଂହ ଡିଜାଇନ୍ କରୁଛନ୍ତି ଜିନ୍ସ !

ଶୀର୍ଷକଟି ପଢ଼ି ପାଠକ ଅନୁମାନ କରୁଥିବେ ଏହା ଏକ ମଜାଦାର ଖବର ହୋଇଥିବ। ହଁ, ରୋଚକ ହେବା ସହ ଏଥିରେ ସତ୍ୟତା ମଧ୍ୟ ରହିଛି। ସେଲିବ୍ରିଟିମାନେ ଅଧିକାଂଶ ସମୟରେ ଡିସ୍‌ଟ୍ରେସ୍‌, ରିପ୍ପଡ ଜିନ୍ସ ପ୍ୟାଣ୍ଟ ପିନ୍ଧନ୍ତି, ଯାହାକୁ ଆମେ ସାଧାରଣ ବର୍ଗର ଲୋକ ଚିରା, ଫଟା ଜିନ୍ସ କହିଥାଉ। ଷ୍ଟାଇଲିଶ୍‌ ଚିରା, ଫଟା ଜିନ୍ସର ଦର ମଧ୍ୟ ବେଶ୍ ଚଢ଼ା, ଆଜିକାଲି ଯୁବପିଢ଼ି ଏଇଭଳି ଡିଜାଇନର ଜିନ୍ସ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଅନ୍ୟ ରାଷ୍ଟ୍ର ପରି ଜାପାନରେ ମଧ୍ୟ ଏହି ଡିସ୍‌ଟ୍ରେସ୍‌ ଜିନ୍ସ ପ୍ୟାଣ୍ଟର ଲୋକପ୍ରିୟତା କିଛି କମ୍ ନୁହେଁ। ସେଠିକାର ଏକ ନାମୀ ବ୍ରାଣ୍ଡ ଭାବେ ‘ଜୁ ଜିନ୍ସ’ ଜଣାଯାଏ, ଏହି କମ୍ପାନୀର ଗୋଟିଏ ଜିନ୍ସର ମୂଲ୍ୟ ୧୦ହଜାର ଟଙ୍କାରୁ ଆରମ୍ଭ। କେବଳ ଜାପାନ ଲୋକ ନୁହେଁ, ବିଶ୍ବର ଅନ୍ୟ ଦେଶର ଲୋକ ମଧ୍ୟ ଏଇ କମ୍ପାନୀର ଜିନ୍ସ ପିନ୍ଧିବାକୁ ବେଶ୍ ଆଗ୍ରହ ପ୍ରକାଶ କରନ୍ତି। କାରଣ ହେଲା ଏଇ କମ୍ପାନୀର ଜିନ୍ସକୁ ବାଘ, ସିଂହ, ଭାଲୁ ପରି ପ୍ରାଣୀ ଡିଜାଇନ୍ କରନ୍ତି, ଜାପାନର ଦକ୍ଷିଣ ପ୍ରାନ୍ତରେ ଥିବା କାମିନି ଜୁ’ରେ ଏସବୁ ଜିନ୍ସ ପ୍ରାଣୀଙ୍କ ସହାୟତାରେ ଡିଜାଇନ୍ କରାଯାଏ।

ପୁରୁଣା ଟାୟାରରେ ଜିନ୍ସ ପ୍ୟାଣ୍ଟକୁ ଗୁଡ଼ାଇ ସିଂହ ସଫାରି, ଭାଲୁ ପିଞ୍ଜରା ଭିତରକୁ ଫିଙ୍ଗାଯାଏ, ହିଂସ୍ର ପ୍ରାଣୀମାନେ ଗୋଟିଏ-ଦୁଇଦିନରେ ଏସବୁ ଜିନ୍ସକୁ ଦାନ୍ତରେ, ନଖରେ ଟଣାଓଟରା କରି ଚିରିପକାନ୍ତି, ତହିଁ ଆରଦିନ ଡ୍ରୋନ୍ ସହାୟତାରେ ଜିନ୍ସକୁ ବାହାରକୁ ଅଣାଯାଇ କମ୍ପାନୀର କର୍ମଚାରୀଙ୍କୁ ହସ୍ତାନ୍ତର ହୁଏ। ପରେ ଏହାକୁ ପରିଷ୍କାର କରାଯାଇ ଗ୍ରାହକଙ୍କ ବ୍ୟବହାର ଉପଯୋଗୀ କରାଯାଉଥିବାର ପ୍ରକାଶ।

Comments are closed.