ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ : ନନ୍ଦନକାନନର ଆକର୍ଷଣ ‘ଧଳାବାଘ’

ନନ୍ଦନକାନନ : ଜାତୀୟ ପ୍ରାଣୀ ବାଘର ରାଜକୀୟ ଠାଣି, ଚାଲି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ। ବଳଶାଳୀର ପ୍ରତୀକ ତଥା ସର୍ବ ଶକ୍ତିମୟୀ ଦେବୀ ଦୁର୍ଗାଙ୍କ ବାହନ ହେଉଛି ବାଘ। ପ୍ରାକୃତିକ ପରିବେଶରେ ଏମାନଙ୍କ ଖୋଲା ବିଚରଣ, କ୍ରୀଡ଼ା ବାସ୍ତବିକ ବିମୁଗ୍ଧକର। ସାଧାରଣ ବାଘ ଅପେକ୍ଷା ଧଳାବାଘ ପ୍ରକୃତିର ଏକ ବୈଚିତ୍ର୍ୟ। ଧଳା ବାଘକୁ ନେଇ ବିଶ୍ୱଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ।
ମଧ୍ୟପ୍ରଦେଶର ମହାରାଜ ସ୍ୱର୍ଗତ ମାର୍ତଣ୍ଡ ସିଂହ ୯ମାସର ଏକ ଧଳାବାଘ ଶାବକକୁ ରେୱା ଜଙ୍ଗଲରୁ ଆଣି ପାଖରେ ରଖିଥିଲେ ଏବଂ ତା’ର ନାମ ଦେଇଥିଲେ ‘ମୋହନ’। ହେଲେ ମୋହନ ଓ ପୂର୍ବରୁ ଥିବା ବାଘୁଣୀ ବେଗମର ମିଳନରୁ ଧଳାବାଘ ପରିବର୍ତ୍ତେ ୩ଟି ସାଧାରଣ ବାଘଛୁଆ ଜନ୍ମ ନେଇଥିଲେ। ପରବର୍ତ୍ତୀ ସମୟରେ ମୋହନ ଓ ଜନ୍ମିତ ଏକ ବାଘୁଣୀର ଔରସରୁ ଧଳାବାଘ ଶାବକ ଜନ୍ମ ହେଲା। ରେୱାରୁ ଆସିଥିବା ଧଳାବାଘର ବଂଶ ବିସ୍ତାର ପରେ ଧଳାବାଘଙ୍କୁ ବିଭିନ୍ନ ଚିଡ଼ିଆଖାନାକୁ ପଠାଗଲା। ଏପଟେ ଦିଲ୍ଲୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଥିବା ରେୱାର ପ୍ରଥମ ବଂଶୋଦ୍ଭବ ଧଳାବାଘୁଣୀ ‘ଡାଏନା’କୁ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ୧୯୭୯ ଡିସେମ୍ବର ପ୍ରଥମ ସପ୍ତାହରେ ନନ୍ଦନକାନନକୁ ଅଣାଯାଇଥିଲା। ଏଠାରେ ତା’ର ନାମ ପରିବର୍ତ୍ତନ କରାଯାଇ ‘ଶୁଭ୍ରା’ ରଖାଗଲା। ଶୁଭ୍ରାଠାରୁ ନନ୍ଦନକାନନରେ ଧଳାବାଘ ବଂଶ ବିସ୍ତାର ପ୍ରକ୍ରିୟା ଆରମ୍ଭ ହୋଇନଥିଲେ ମଧ୍ୟ ଏହା ହିଁ ନନ୍ଦନକାନନ ପାଇଁ ଶୁଭଙ୍କରୀ ସାଜିଲା।
ଶୁଭ୍ରା ଆସିବାର ମାସକ ପରେ କଲକାତା ଚିଡ଼ିଆଖାନାରୁ ଆସିଥିବା ଜଙ୍ଗଲୀ ବାଘ ଦୀପକ ଓ ବାଘୁଣୀ ଗଙ୍ଗାର ମିଳନରୁ ୧୯୮୦ ଜାନୁଆରୀରେ ୩ଟି ଧଳାବାଘ ଶାବକ ଜନ୍ମ ହୋଇଥିଲେ। ଏହି ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚକିତ କରିଥିବାବେଳେ ଏକପ୍ରକାର ଖୁସି ଭରିଦେଇଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ଧଳାବାଘ ଜନ୍ମ କାହାଣୀ। ଏହାର ଠିକ୍‍ ବର୍ଷକ ପରେ ଅର୍ଥାତ୍‍ ୧୯୮୧ ଡିସେମ୍ବରରେ ଦୀପକ ଓ ଗଙ୍ଗା ଔରସରୁ ପୁଣି ୨ଟି ଧଳାବାଘ ଶାବକ ଜନ୍ମନେଲେ। କର୍ତ୍ତୃପକ୍ଷ ପରୀକ୍ଷା ନିରୀକ୍ଷା ପରେ ‘ରେୱା’ ବାଘ ସହ ଉକ୍ତ ୨ଶାବକଙ୍କ କୌଣସି ସମ୍ପର୍କ ନଥିବାରୁ ନନ୍ଦନକାନନର ବଂଶୋଦ୍ଭବ ବୋଲି କହିଥିଲେ। ୧୯୬୭ରେ ଦୀପକ ଓ ସାଧାରଣ ବାଘୁଣୀ ରାଣୀର ମିଳନରୁ ଗଙ୍ଗା ଜନ୍ମ ନେଇଥିଲା। ପରେ ଶୁଭ୍ରା ଓ ଗଙ୍ଗାର ପୁତ୍ର ଦେବବ୍ରତ ଔରସରୁ ୩ଟି ପର୍ଯ୍ୟାୟରେ ୯ଟି ଧଳାବାଘ ଶାବକ ଜନ୍ମ ହୋଇଥିଲେ। ସେହିପରି ଦୀପକ ଓ ଶୁଭ୍ରା ଔରସରୁ ୨ଟି ପର୍ଯ୍ୟାୟରେ ଜନ୍ମଗ୍ରହଣ କରିଥିଲେ ୪ଟି ଶାବକ। ସେମାନଙ୍କ ମଧ୍ୟରୁ ଗୋଟିଏ ଧଳାବାଘ ଶାବକ ଥିଲା। ତା’ର ନାମ ‘ଅଶ୍ୱିନୀ’ ରଖାଗଲା। ୧୯୮୩ ଡିସେମ୍ବର ୨୯ରେ ଶୁଭ୍ରା ଓ ଦେବବ୍ରତ ମିଳନରୁ ପୁଣି ୫ଟି ଧଳାବାଘ ଶାବକ ଜନ୍ମ ହୋଇଥିଲା। ସମୟାନୁକ୍ରମେ ଧଳାବାଘ ବଂଶ ଏହିପରି ଆଶାତୀତ ଭାବେ ବୃଦ୍ଧି ପାଇଲା।
ଦୁଇଟି ସାଧାରଣ ବାଘ ଓ ବାଘୁଣୀଙ୍କ ମିଳନରୁ ଧଳାବାଘର ଜନ୍ମ କାହାଣୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪୧ବର୍ଷର ଇତିହାସ ସୃଷ୍ଟି କଲା। ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଜାତୀୟ ଧଳା ବାଘ ଉଦ୍ୟାନ ଭାବେ ପରିଚିତ ହେଲା। ଶୁଭ୍ରା ରେୱା ବଂଶୋଦ୍ଭବ ହୋଇଥିବାବେଳେ ଗଙ୍ଗା ନନ୍ଦନକାନନ ବଂଶୋଦ୍ଭବ ସାଜିଲା। ଧୀରେ ଧୀରେ ଦେଶ ବିଦେଶର ପ୍ରମୁଖ ଚିଡ଼ିଆଖାନାକୁ ଧଳାବାଘ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲା। ୧୯୮୮ ଅଗଷ୍ଟ ୧୦ରେ ରାଜସ୍ଥାନର ଜୟପୁର ଚିଡ଼ିଆଖାନାକୁ ପ୍ରଥମେ ଗୋଟିଏ ଧଳାବାଘୁଣୀ ଓ ସେହିବର୍ଷ ନଭେମ୍ବର ୬ରେ ଭୋପାଳର ଏକ ଚିଡ଼ିଆଖାନାକୁ ଗୋଟିଏ ଧଳା ବାଘୁଣୀ ପ୍ରଦାନ କରାଯାଇଥିଲା। ଶେଷରେ ନନ୍ଦନକାନନରେ ଉଦ୍‍ଘାଟିତ ହେଲା ପୃଥିବୀର ପ୍ରଥମ ଧଳାବାଘ ସଫାରୀ। ୧୯୯୧ରେ ୧୨ହେକ୍ଟର ପରିମିତ ଜାଗାରେ ୪୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏହା ନିର୍ମିତ ହେଲା। ବର୍ତ୍ତମାନ ନନ୍ଦନକାନନରେ ୮ଟି ଧଳାବାଘ (ଅଣ୍ଡିରା ୩, ମାଈ ୫) ଅଛନ୍ତି। ଏମାନେ ଖୁଆଡ଼ ଓ ସଫାରୀ ମଧ୍ୟରେ ରହି ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବାବେଳେ ଏବେ କରୋନା ପାଇଁ ନିଜନିଜ ବାସସ୍ଥଳୀରେ ଗୁମ୍‍ସୁମ୍‍ ହୋଇ ରହିଛନ୍ତି। ପ୍ରତିବର୍ଷ ଜୁଲାଇ ୨୯ରେ ନନ୍ଦନକାନନରେ ବ୍ୟାଘ୍ର ଦିବସ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ କରୋନା କଟକଣା ପାଇଁ ଏହି ଦିବସ ବିନା ସମାଗମରେ ପାଳିତ ହେବ ବୋଲି ନିର୍ଦେଶକ ଶଶି ପଲ ସୂଚନା ଦେଇଛନ୍ତି।

Comments
Loading...