ବାଗୀ-୩ର କାହାଣୀକୁ ନେଇ ଦର୍ଶକ ନିରାଶ : ଟାଇଗରଙ୍କ ମାଆ କହିଲେ ଫିଲ୍ମକୁ ନେଇ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି

ମୁମ୍ବଇ : ଗତକାଲି ଟାଇଗର ଶ୍ରଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ବାଗୀ -୩” ମୁକ୍ତିଲାଭ କରିଛି। ଫିଲ୍ମଟି ବକ୍ସ ଅଫିସରେ ଧୂଆଁଧାର ଆରମ୍ଭ କରିଛି। ବାଗି-୩ ପ୍ରଥମ ଦିନରେ ଦୁଇ ଅଙ୍କ ଅର୍ଜନ କରିଛି। ମାତ୍ର ସିନେମାର କାହାଣୀ ଦର୍ଶକଙ୍କୁ ସେତେଟା ପସନ୍ଦ ଆସିନାହିଁ। ଫିଲ୍ମର କାହାଣୀକୁ ନେଇ ଅନେକ ଦର୍ଶକ ନିରାଶ ହୋଇଥିବା ଦେଖାଯାଇଛି।
ତେବେ ଏତେସବୁ ସତ୍ତ୍ବେ ମଧ୍ୟ ଟାଇଗରଙ୍କ ମାଆ ଆୟେଶା ଶ୍ରଫ ପୁଅ ଟାଇଗରଙ୍କ ଫିଲ୍ମ ପାଇଁ ଖୁସି ମନେ କରିଛନ୍ତି। ତାଙ୍କ କହିବାନୁସାରେ, ସିନେମାଟି ଜନସାଧାରଣଙ୍କଠାରୁ ବହୁତ ଭଲପାଇବା ପାଇଛି। ଦର୍ଶକମାନେ ମଧ୍ୟ ଏହାକୁ ଅତ୍ୟନ୍ତ ପସନ୍ଦ କରୁଛନ୍ତି।
ଉଲ୍ଲେଖ ଯୋଗ୍ୟ, ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‍ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଭିନୀତ ଚଳଚ୍ଚିତ୍ର ‘ବାଗୀ-୩’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ଆୟ ଭିତ୍ତିରେ ଚଳଚ୍ଚିତ୍ର ଅନେକ ରେକର୍ଡ଼ ସୃଷ୍ଟି କରିଛି। କରୋନା ଭୟ, ହୋଲି ପୂର୍ବର ବକ୍ସ ଅଫିସ ମାନ୍ଦାବସ୍ଥା ଓ ପିଲାଙ୍କ ପରୀକ୍ଷା ସମୟ ହୋଇଥିବା ସତ୍ତ୍ବେ ପ୍ରଥମ ଦିନରେ ଚଳଚ୍ଚିତ୍ର ୧୭ କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ‘ବାଗୀ-୩’ ଚଳିତ ବର୍ଷର ବର୍ତ୍ତମାନ ସୁଦ୍ଧା ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ପାଲଟିଛି। ଅହମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟାଇଗର ଓ ଶ୍ରଦ୍ଧାଙ୍କ ବ୍ୟତୀତ ରିତେଶ ଦେଶମୁଖ ଓ ଅଙ୍କିତା ଲୋଖଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.