ବାଘୁଣୀର ଘୁଷୁରିଛୁଆ

ମା’ର ମାତୃତ୍ବ ଆଗରେ ଅନ୍ୟ ସବୁ ସମ୍ପର୍କ ଫିକା, ପିଲା ଦୂରେଇଗଲେ ମା’ ଅସହାୟ ହୋଇପଡ଼େ, ଯେଉଁଠି ଥିଲେ ମଧ୍ୟ ନିଜ ପିଲାଙ୍କ ପାଇଁ ସବୁବେଳେ ଶୁଭମନାସିବାରେ ସେ ଆଦୌ କାର୍ପଣ୍ୟତା କରିନଥାଏ। ଆମେ ମଣିଷମାନେ ଯେ ପିଲାଙ୍କ ଦୁଃଖକଷ୍ଟରେ ଭାଙ୍ଗିପଡ଼ୁ, ତା’ ନୁହେଁ, ପଶୁ-ପକ୍ଷୀଙ୍କର ମଧ୍ୟ ହୃଦୟ ଅଛି ଓ ସେମାନେ ମଧ୍ୟ ତାଙ୍କ ସନ୍ତାନଙ୍କ ପାଇଁ ବିଳପି ଉଠନ୍ତି। ୨୦୦୭ ନଭେମ୍ବର ମାସର ଏଇ ଘଟଣାଟି, ଥାଇଲାଣ୍ଡର ଶ୍ରୀରଚା ବ୍ୟାଘ୍ର ସଂରକ୍ଷଣରେ ବାଘୁଣୀଟେ ୫ଟି ଶାବକଙ୍କୁ ଜନ୍ମ ଦେଲା; କିନ୍ତୁ ରୁଗ୍‌ଣ ସ୍ବାସ୍ଥ୍ୟ କାରଣରୁ ୨ଦିନ ମଧ୍ୟରେ ସମସ୍ତ ଶାବକ ପ୍ରାଣ ହରାଇଲେ। ପିଲାଙ୍କୁ ନିଜ ଆଖିଆଗରେ ମରିବା ଦେଖି ବାଘୁଣୀ ମା’ଟି ଛଟପଟ ହେଲା, କିଛି ଖାଇଲାନି କି ପିଇଲାନି। ନିସ୍ତେଜ ହୋଇ ଗୋଟିଏ ଜାଗାରେ ପଡ଼ିରହିଲା, ଚିଡ଼ିଆଖାନା କର୍ତ୍ତୃପକ୍ଷ ବିଶେଷଜ୍ଞ ଦଳଙ୍କୁ ଡକାଇ ବାଘୁଣୀର ସ୍ବାସ୍ଥ୍ୟ ପରୀକ୍ଷା କଲେ। ଡାକ୍ତର ଦଳଙ୍କ ମତ ଥିଲା, ପିଲାଙ୍କ ମୃତ୍ୟୁ ଦେଖି ବାଘୁଣୀଟି ମାନସିକ ଅବସାଦଗ୍ରସ୍ତରେ ଆକ୍ରାନ୍ତ। ନବଜାତ ଶାବକ ଆଣି ବାଘୁଣୀ ମା’ ପାଖେ କିଛିଦିନ ଛଡ଼ାଗଲେ, ବାଘୁଣୀଟିର ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ​‌େ​‌ହବାର ସମ୍ଭାବନା ଥିବାର ଡାକ୍ତର କହିଲେ। ସଙ୍ଗେସଙ୍ଗେ ବାଘ ଛୁଆ କେଉଁଠାରୁ ଯୋଗାଡ଼ କରିବାରେ କର୍ତ୍ତୃପକ୍ଷ ଅସମର୍ଥ ହୋଇଥିଲେ, କିନ୍ତୁ ସେମାନେ ଏକ ଉପାୟ ପାଞ୍ଚି ଯୋଜନାରେ ସଫଳ ହେଲେ। ଅନ୍ୟ ଏକ ଚିଡ଼ିଆଖାନାରୁ ନବଜାତ ଘୁଷୁରି ଛୁଆଙ୍କୁ ଆଣି ସେମାନଙ୍କୁ ବାଘ ଛାଲର ପୋଷାକ ପିନ୍ଧାଇ ବାଘୁଣୀ ମା’ ପାଖରେ ଛଡ଼ାଗଲା। ଘୁଷୁରି ଛୁଆଙ୍କୁ ନିଜ ପିଲା ମନେ କରି ରୂପ ଦେଖି ବାଘୁଣୀ ମା’ଟି ସେମାନଙ୍କୁ ସ୍ନେହ ଆଦର କଲା, ଦିନ କେଇଟାରେ ପୁଣି ସୁସ୍ଥସବଳ ହୋଇ ଛିଡ଼ାହେଲା ବାଘୁଣୀଟି। ଖିଆପିଆ ଠିକ୍ କରିବା ପରେ କର୍ତ୍ତୃପକ୍ଷ ଘୁଷୁରି ଛୁଆଙ୍କୁ ସମୟକ୍ରମେ ବାଘ ଚିଡ଼ିଆଖାନାରୁ ବାହାର କରିଥିଲେ। ମା-ପିଲାର ସମ୍ପର୍କର ନିବିଡ଼ତା, ଏଇ ଘଟଣାଟି ସୁନ୍ଦର ଭାବେ ମାନବଜାତିକୁ ଶିକ୍ଷା ଦେଇଛି।

Comments
Loading...