ବଜ୍ରାଘାତରେ ଜଣେ ଶ୍ରମିକ ମୃତ, ୧୦ରୁ ଅଧିକ ଗୁରୁତର

କଲମପୁର :  କଳାହାଣ୍ଡି ଜିଲା ଥୁାମୁଳ ରାମପୁର ଅଞ୍ଚଲରେ ରବିବାର ସଂଧ୍ୟାରେ ବଜ୍ରପାତ ହେବା ଦ୍ୱାରା ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି ।

ପ୍ରାପ୍ତ ସୁଚନା ଅନୁସାରେ,  କିଛି ଶ୍ରମିକ ରବିବାର ଅପରାହ୍ନରେ ଜନୈକ ସଂସ୍ଥାର ଅଧିନରେ ଥିବା ବିରିକୋଟର ଏକ ପଡିଆ ଜମିରେ ଲାଗିଥିବା ନିଳଗିରୀ ଗଛକୁ ସାର ଓ ମାଟି ପକାଉଥିବା ବେଳେ ହଠାତ୍‍ ବଜ୍ରପାତ ହେଇଥିଲା। ଫଳରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ବିରିକୋଟ ପଞ୍ଚାୟତ ଗୋଦ୍ରାମସ୍କା ଗ୍ରାମର ୪୫ ବର୍ଷିୟା ମହିଳା ଶ୍ରମିକ ରୋହିଣୀ ମାଝୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଏହାସହ ପଡିଆରେ କାମ କରୁଥିବା ଜାମୁ ମାଝୀ, ଫୁଲମତୀ ମାଝୀ, ରଞ୍ଜିତା ମାଝୀ, ପିରିନ୍ଦ୍ରି ନାଏକ, କାହ୍ନୁ ନାଏକ, ସୀତୟା ନାଏକ, ଗୁରୁବାରୀ ମାଝୀ, ପ୍ରମୁଖ ଗୁରୁତର ଆହତ ହେଇ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହେଇଛନ୍ତି। ଅନ୍ୟପଟେ ମୃତକ ରୋହିଣୀର ଶବକୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଅନ୍ୟପଟେ ଅନ୍ୟ ଏକ ବଜ୍ରପାତ ଘଟଣାରେ ତଲଝାପି ପଞ୍ଚାୟତ ଅଧିନସ୍ଥ ଉପରଝାପି ଗ୍ରାମର କୁମାରୀ ନାଏକ ଆହତ ହେଇଛନ୍ତି। ଏହାସହ ତାଙ୍କ ଘର ମଧ୍ୟ ପ୍ରଭାବିତ ହେଇଛି। ଘରର ଅନେକ ଅଂଶ ଭାଙ୍ଗିଯାଇଥିବା ବେଳେ ଘରର ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି।

Comments are closed.