ବଜ୍ରପାତରେ ୧୦ ବର୍ଷରେ ଗଲାଣି ୩୪୭୫ ଜୀବନ

-ମୃତକଙ୍କ ମଧ୍ୟରେ ଚାଷୀ, ଶ୍ରମିକ ସର୍ବାଧିକ
-କାଳବୈଶାଖୀ ଓ ଦୁର୍ବଳ ମୌସୁମି ଘାତକ ସାଜୁଛି
-କେନ୍ଦୁଝର ଓ ମୟୂରଭଞ୍ଜ ବଜ୍ରପାତ ପ୍ରବଣ ଅଞ୍ଚଳ
-ବଜ୍ରପାତକୁ ସୁହାଉଛି ପ୍ରଦୂଷଣ ବୃଦ୍ଧି
-ଦୂରଭାଷରେ ସତର୍କ ସୂଚନା ଦେଲେ ମୃତ୍ୟୁହାର କମିିବ
ଭୁବନେଶ୍ୱର : ବଜ୍ରାଘାତରେ ଗତ ଦଶବର୍ଷରେ ରାଜ୍ୟରେ ୩୪୭୫ ଜୀବନ ଗଲାଣି। ଅର୍ଥାତ ବାର୍ଷିକ ମୃତ୍ୟୁହାର ୩୪୮ ରହୁଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅଧିକ ବଜ୍ରପାତ ପ୍ରବଣ। ଏଥିରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହେଉଥିବାବେଳେ ଅଧିକ ଚାଷୀ ଏବଂ ଶ୍ରମିକ ଶ୍ରେଣୀଙ୍କ ଜୀବନ ଯାଉଛି। କାଳବୈଶାଖୀ ଏବଂ ଦୁର୍ବଳ ମୌସୁମି ଯୋଗୁଁ ଅଧିକ ବଜ୍ରପାତ ସୃଷ୍ଟି ହେଉଛି। ବଜ୍ରପାତ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଉଛି ସତ ହେଲେ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସାର କରାଯାଇ ପାରୁ ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା କୁହାଯାଉଛି। ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି)ଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୦-୧୧ ତୁଳନାରେ ୨୦୧୯-୨୦୨୦ରେ ବିଜୁଳି ଘଡ଼ଘଡ଼ି ଜନିତ ମୃତ୍ୟୁହାର ବଢ଼ି ଦୁଇଗୁଣା ହେଲାଣି। ସତର୍କତା ଅଭାବ ଯୋଗୁଁ ମୂଲ୍ୟବାନ ଜୀବନ ଚାଲିଯାଉଛି। ସରକାର ମୃତକଙ୍କ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇ ବସି ପଡୁଛନ୍ତି; କିନ୍ତୁ କିପରି ମୃତ୍ୟୁହାରକୁ କମ୍‌ କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଯାହାଦ୍ୱାରା ବର୍ଷକୁ ବର୍ଷ ମୃତ୍ୟୁହାର ବଢ଼ୁଛି। ସୁତରାଂ ବଜ୍ରପାତ ଉପରେ ଗବେଷଣା ପାଇଁ ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ବାଲେଶ୍ବର ଜିଲାର ଚାନ୍ଦିପୁରଠାରେ ଏକ ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି।
ଗତବର୍ଷ ଓଡ଼ିଶାରେ ୧୪ ଲକ୍ଷ ୮୩ ହଜାର ୩୪୯ ଥର ବଜ୍ରପାତ ହୋଇଥିଲା। ଯାହାକି ଦେଶରେ ସର୍ବାଧିକ। ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଶର ସବୁଠାରୁ ଅଧିକ ବଜ୍ରପାତ ପ୍ରବଣ ଅଞ୍ଚଳ। ତଥ୍ୟାନୁଯାୟୀ ଓଡ଼ିଶାରେ ୨୦୧୯-୨୦୨୦ରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ୩୫୧ ଥିବାବେଳେ ୨୦୧୮-୧୯ରେ ୩୩୨, ୨୦୧୭-୧୮ରେ ୪୬୫, ୨୦୧୬-୧୭ରେ ୩୯୮, ୨୦୧୫-୧୬ରେ ୪୦୦, ୨୦୧୪-୧୫ରେ ୩୦୯, ୨୦୧୩-୧୪ରେ ୩୭୫, ୨୦୧୨-୧୩ରେ ୨୬୫, ୨୦୧୧-୧୨ରେ ୩୫୩ ଏବଂ ୨୦୧୦-୧୧ରେ ୨୨୭ ଜଣଙ୍କ ମୃତ୍ୟୁ ହୋଇଛି। ଭୂପୃଷ୍ଠ ତାପମାତ୍ରା ସଂସ୍ପର୍ଶରେ ଜଳୀୟବାଷ୍ପ ଆସି ତାହା ବାୟୁମଣ୍ଡଳରେ ଊର୍ଦ୍ଧ୍ବଗାମୀ ହୋଇଥାଏ। ଏହି ଜଳୀୟବାଷ୍ପ ୧୦ରୁ ୧୨ କିମି ଉଚ୍ଚତାକୁ ଉଠି ବରଫ ଖଣ୍ଡରେ ପରିଣତ ହୋଇ ପରସ୍ପର ମଧ୍ୟରେ ଘର୍ଷଣ ହେବା ଯୋଗୁଁ ବୈଦ୍ୟୁତିକ ଚାର୍ଜ ସୃଷ୍ଟି କରିଥାଏ। ଏହି ବୈଦ୍ୟୁତିକ ଚାର୍ଜ ପ୍ରବାହକୁ ବଜ୍ରପାତ କୁହାଯାଏ। ବଜ୍ରପାତ ତିନି ପ୍ରକାର। ବାଦଲ ବାଦଲ ମଧ୍ୟରେ, ବାଦଲ ଭିତରେ ଏବଂ ବାଦଲରୁ ଭୂ-ପୃଷ୍ଠ ମଧ୍ୟରେ ବଜ୍ରପାତ। ଗ୍ରୀଷ୍ମ, ବର୍ଷା ଏବଂ ଶରତ ଋତୁରେ ବିଶେଷକରି ବଜ୍ରପାତ ହୋଇଥାଏ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି,ବାୟୁମଣ୍ଡଳ ପ୍ରଦୂଷଣ ବୃଦ୍ଧି ପାଇବା ଯୋଗୁଁ ବଜ୍ରପାତର ତୀବ୍ରତା ଅଧିକ ରହୁଛି। ସହରାଞ୍ଚଳ ଏବଂ ଖଣି ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ ତଥା ତାପମାତ୍ରା ବୃଦ୍ଧିର କାରଣ ହେତୁ ବାୟୁମଣ୍ଡଳ ଅସ୍ଥିରତା ବୃଦ୍ଧି ପାଉଛି। ଉଭୟ ମୌସୁମି ଏବଂ ପ୍ରାକ୍ ମୌସୁମି ସମୟରେ ଉଚ୍ଚଶକ୍ତି ସମ୍ପନ୍ନ ବଜ୍ରପାତ ଦେଖିବାକୁ ମିଳୁଛି। ବିଭିନ୍ନ ଗବେଷଣାରୁ ଦେଖାଯାଇଛି, ଅରଣ୍ୟ ଅଞ୍ଚଳରେ ବଜ୍ରପାତଜନିତ ମୃତ୍ୟୁ କମ ଏବଂ ପ୍ରଦୂଷଣ ଯୁକ୍ତ ଅଞ୍ଚଳରେ ଅଧିକ।
ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବଜ୍ରପାତ ହେଲେ ଚାଷୀ ଓ ଶ୍ରମିକ ବିଲହୁଡାରେ ଦୁଇପାଦ ଟିପ ଉପରେ ମୁଣ୍ଡକୁ ତଳକୁ କରି ବସି ରହିବା ନିରାପଦ; କିନ୍ତୁ ସମ୍ପୂର୍ଣ୍ଣ ନିରାପଦ ବୋଲି କୁହାଯାଇ ପାରିବ ନାହିଁ। ସରକାର ଚାଷୀ ଓ ଶ୍ରମିକଙ୍କ ସୁରକ୍ଷାକୁ ଲକ୍ଷ୍ୟ କରି ଜମି ଅଞ୍ଚଳରେ ଗୋଟିଏ ଲେଖାଏଁ ବଜ୍ରପାତ ଆଶ୍ରୟସ୍ଥଳ ନିର୍ମାଣ କରିବା ଦରକାର। ୩ଘଣ୍ଟା ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି, କିନ୍ତୁ ଚାଷୀ ଓ ଶ୍ରମିକଙ୍କ ପାଖରେ ସୂଚନା ପହଞ୍ଚି ପାରୁନାହିଁ। ସରକାରଙ୍କ ପକ୍ଷରୁ ଦୂରଭାଷରେ ‘ବଜ୍ରପାତ ଶବ୍ଦ’ ସତର୍କ ସୂଚନା ଦିଆଗଲେ ସମସ୍ତ ବର୍ଗର ଲୋକ ଜାଣିପାରିବେ ଯେ ବଜ୍ରପାତ ଆସୁଛି। ଏହାଦ୍ୱାରା ୭୦ରୁ ୮୦ ପ୍ରତିଶତ ବଜ୍ରପାତ ଜନିତ ମୃତ୍ୟୁକୁ କମ କରାଯାଇ ପାରିବ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଜ୍ରପାତ ଜନିତ ମୃତାହତକୁ କମ କରିବାକୁ ହେଲେ ପୂର୍ବାନୁମାନ ଗୁରୁତ୍ୱପୂର୍ଣ୍ଣ। ବିଭାଗ ପକ୍ଷରୁ ୫ ଦିନ ପୂର୍ବରୁ ବଜ୍ରପାତ ଉପରେ ପୂର୍ବାନୁମାନ କରାଯାଇ ପାରୁଛି। ବଜ୍ରପାତ ହେବାର ୬ଘଣ୍ଟା ପୂର୍ବରୁ ସତର୍କ ସୂଚନା ଦିଆଯାଉଛି। କାଳବୈଶାଖୀ ଏବଂ ଦୁର୍ବଳ ମୌସୁମି ଯୋଗୁଁ ଘଟୁଥିବା ବଜ୍ରପାତ ଅଧିକ କ୍ଷତି କରୁଛି। ବଜ୍ରପାତ ସମୟରେ ଲୋକେ ବାହାରେ ଥିଲେ ଗଛମୂଳ, ବିଦ୍ୟୁତ୍ ଏବଂ ଟେଲିଫୋନ ଖୁଣ୍ଟ ତଳେ ରହିବେ ନାହିଁ। ଛତା ଧରିବେ ନାହିଁ। ଯଥା ସମ୍ଭବ ନିରାପଦ ସ୍ଥାନକୁ ଚାଲିଯିବା ଦରକାର।

Comments are closed.