ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ଘର ସାମ୍‌ନାରେ ପିଟିପିଟି ମାରିଦେଲେ

ଭୁବନେଶ୍ବର: ଗାଡ଼ି ସାଇଡ୍‌ ମରାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଥାନା ଅଧୀନ କଦଳୀ ଗୋଦାମ ବସ୍ତିରେ ସୋମବାର ରାତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ବସ୍ତିର ପିଡବ୍ଲ୍ୟୁଡି ସାହି‌ରେ ରହୁଥିବା କାର୍ତ୍ତିକ ସାହୁଙ୍କୁ ରେଡ୍ଡୀସାହିର କିଛି ଯୁବକ ଡାକି ଘର ସାମ୍‌ନାରେ ପିଟିପିଟି ହତ୍ୟା କରିଛନ୍ତି। କଦଳୀ ଗୋଦାମ ବସ୍ତିରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ ମଙ୍ଗଳବାର ଦିନ ତମାମ ଲକ୍ଷ୍ମୀସାଗର ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ହତ୍ୟାକାରୀଙ୍କୁ ଗିରଫ ଦାବିରେ ଥାନା ଘେରାଉ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ତାଙ୍କ ସମର୍ଥକମାନେ ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ। ଉଭୟ ଗୋଷ୍ଠୀ ଥାନା ପରିସରରେ ମୁହାଁମୁହିଁ ହୋଇଥିଲେ। କାର୍ତ୍ତିକଙ୍କ ସହଯୋଗୀମାନେ ସେମାନଙ୍କୁ ଆକ୍ରମଣ କରିଥିବା ନେଇ ପାଲଟା ଅଭିଯୋଗ କରିଥିଲେ। ତେବେ ଏହାକୁ ନେଇ ପୁଲିସ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ୮ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ କଦଳୀଗୋଦାମ ବସ୍ତିର ରେଡ୍ଡୀ ସାହିରେ ରହୁଥିବା ମୁଖ୍ୟ ଅଭିଯୁକ୍ତ ଚିଆଁ ଓରଫ ରାଜୁ ରେଡ୍ଡୀ ଝିଅର ଜନ୍ମଦିନ ଥିଲା। ବସ୍ତି‌ରେ ଏନେଇ ଖାଦ୍ୟପେୟର ଆସର ଜମିଥିଲା। ରାଜୁ ଓ ତା’ର ଶ୍ବଶୁର ବସ୍ତିରୁ କାର୍‌ରେ ଯାଉଥିବା ବେଳେ ସେମାନଙ୍କ କାର୍‌କୁ ଦୀପୁ ବୋଲି ଜଣେ ଯୁବକ ସାଇଡ୍‌ ମାରିଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଦୀପୁ କଦଳୀ ଗୋଦମ ପିଡବ୍ଲ୍ୟୁଡି ବସ୍ତିରେ ରହେ। ସେ କାର୍ତ୍ତିକ ପାଇଁ ଖାଇବା ଆଣି ଫେରିବା ବେଳେ ଗଣ୍ଡଗୋଳ ହୋଇଥିଲା। ଏ ବିଷୟରେ କାର୍ତ୍ତିକ ଜାଣିବା ପରେ ଦୁଇଟି ବାଇକ୍‌ରେ ୩ ସହଯୋଗୀଙ୍କୁ ଧରି ରାଜୁ ଘର ସାମ୍‌ନାରେ ପହଞ୍ଚି ଗାଳିଗୁଲଜ କରିଥିଲା। ପରିବାର ଲୋକେ ପ୍ରତିବାଦ କରିବାରୁ ସେଠାରେ ଗଣ୍ଡଗୋଳ ହୋଇଥିଲା। ପରେ ରାଜୁ ଓ ତା’ର ଶ୍ବଶୁର ପହଞ୍ଚିବା ପରେ ରେଡ୍ଡୀ ବସ୍ତିର ୬ରୁ ୭ ଜଣ ଲୁହାଛଡ଼ ଓ ମାରଣାସ୍ତ୍ର ଧରି କାର୍ତ୍ତିକ ଘରେ ପହଞ୍ଚିଥିଲେ। କାର୍ତ୍ତିକକୁ ସେମାନେ ବାହାରକୁ ଡାକିଥିଲେ। ସେଠାରେ ସଙ୍ଘବଦ୍ଧ ଭାବେ କାର୍ତ୍ତିକକୁ ଆକ୍ରମଣ କରିଥିଲେ। କାର୍ତ୍ତିକ ପରିବାର ଲୋକଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିବାକୁ ପଛାଇ ନ ଥିଲେ। କଦଳୀଗୋଦାମ ବସ୍ତିରେ ଏହାକୁ ନେଇ ଦୁଇ ସାହି ମଧ୍ୟରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଗଣ୍ଡଗୋଳ ଚାଲିଥିଲା। ହେଲେ ପୁଲିସ ପାଖରେ ଖବର ପହଞ୍ଚି ନ ଥିଲା। ଗୁରୁତର ଅବସ୍ଥାରେ କାର୍ତ୍ତିକଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ବାଟରେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଯାଇଥିଲା।

Comments are closed.