ଘରୋଇ ହସ୍ପିଟାଲରେ ଏତିକି ଟଙ୍କାରେ ମିଳିବ କରୋନା ଟିକା, ଏହି ରାଜ୍ୟ ସରକାର କଲେ ଘୋଷଣା

କରୋନା ମହାମାରୀକୁ ପରାସ୍ତ କରିବା ପାଇଁ ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଏହି ପରିସ୍ଥିତିରେ ଗୁଜରାଟ ସରକାର ଟିକାକରଣକୁ ଅଧିକ ବ୍ୟାପକ କରିବା ଲାଗି ଘରୋଇ ହସ୍ପିଟାଲରେ ଟିକା ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଫଳରେ ରାଜ୍ୟବାସୀ ଏଣିକି ଇଚ୍ଛା ମୁତାବକ ଘରୋଇ ହସ୍ପିଟାଲରେ ବି ଟିକା ନେଇପାରିବେ।


ଘରୋଇ ହସ୍ପିଟାଲରେ ଟିକା ନେବା ଲାଗି ଟିକା ମୂଲ୍ୟ ୨୫୦ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ମିଳିବ ବୋଲି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ସୂଚନା ଦେଇଛନ୍ତି। କମ୍‌ ସମୟ ମଧ୍ୟରେ ଅଧିକ ଲୋକଙ୍କୁ କିପରି ଟିକାକରଣ କରାଯାଇ ପାରିବ ତାହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ସାଧାରଣ ଲୋକଙ୍କ ପକେଟକୁ ଯେପରି ନ ବାଧେ, ସେଥିଲାଗି ଟିକା ମୂଲ୍ୟ କମ୍‌ ରଖାଯାଇଛି।

ସୂଚନାଯୋଗ୍ୟ, ଆଗାମୀ ମାର୍ଚ୍ଚ ପହିଲାରୁ ଦେଶରେ ୨ୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହା ଅଧୀନରେ ୧୦ ହଜାର ସରକାର କେନ୍ଦ୍ର ଏବଂ ୨୦ ହଜାର ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବା ଯୋଜନା ରହିଛି। ଏହି ପର୍ଯ୍ୟାୟରେ ୪୦ ବର୍ଷରୁ ଅଧିକ ବୟସ୍କ ଗୁରୁତର ରୋଗୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ସରକାରୀ କେନ୍ଦ୍ରରେ ମାଗଣାରେ ଟିକା ଦିଆଯିବ। କିନ୍ତୁ ଘରୋଇ ହସ୍ପିଟାଲରେ ଏଥିପାଇଁ ଅର୍ଥ ଦେବାକୁ ପଡ଼ିବ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇ ହସ୍ପିଟାଲରେ ଟିକାର ମୂଲ୍ୟ ସ୍ଥିର କରାଯାଇ ନ ଥିବାବେ​‌ଳେ ଗୁଜରାଟ ସରକାର ପ୍ରଥମ କରି ମୂଲ୍ୟ ଧାର୍ଯ୍ୟ କରିଛନ୍ତି।

Comments are closed.