ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆ କ୍ରିକେଟ୍‍ ମ୍ୟାଚ୍‍ ଆଜି କଲମ୍ବୋର ଆର୍‍. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତ ପୂର୍ବର ଦୁଇଟିଯାକ ମ୍ୟାଚ୍‍ ଜିତି ସାରିଥିବାରୁ ଏହି ମ୍ୟାଚ୍‍ ଜିତି ସିରିଜ ମୂଳପୋଛ କରିବା ଲାଗି ଲାଗି ଉଦ୍ୟମ କରିବ ବୋଲି ଆଶା କରାଯାଉଛି।

ତେଣେ ଶ୍ରୀଲଙ୍କା ଦ୍ୱିତୀୟ ମ୍ୟାଚ୍‍କୁ ଶେଷ ମୁହୂର୍ତ୍ତରେ ହାତଛଡ଼ା କରିଥିବାରୁ ଚୂଡ଼ାନ୍ତ ମ୍ୟାଚରେ ନିଶ୍ଚିତ ଜିତିବାକୁ ଜୋରଦାର ଉଦ୍ୟମ କରିବ।ସୂଚନାଯୋଗ୍ୟ, ଭାରତ ପ୍ରଥମ ଦିନିକିଆରେ ୭ ୱିକେଟରେ ଏବଂ ଦ୍ବିତୀୟ ଦିନିକିଆରେ ୩ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।

୧୯୯୭ ପରଠାରୁ ଭାରତ ବିପକ୍ଷରେ ଶ୍ରୀଲଙ୍କା ଦ୍ବିପାକ୍ଷିକ ସିରିଜ୍‌ ଜିତିନାହିଁ। ପୁଣି ତା’ର ଶେଷ ୧୦ଟି ଦିନିକିଆରୁ ଶ୍ରୀଲଙ୍କା ୯ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଭାରତର କିଛି ପ୍ରମୁଖ ଖେଳାଳିଙ୍କ ବିନା ସିରିଜ୍ ଜିତିପାରିଛି। ଈଶାନ୍ କିଷନ୍, ପୃଥ୍ବୀ ସ’ ଓ ସୂର୍ଯ୍ୟକୁମାର ଯାଦବ ସିରିଜ୍‌ରେ ଦର୍ଶନୀୟ ଇନିଂସ ଖେଳିଛନ୍ତି। ରବୀନ୍ଦ୍ର ଜାଡ଼େଜାଙ୍କ ଭୂମିକା କ୍ରୁନାଲ ପାଣ୍ଡ୍ୟା ସଠିକ୍ ଭାବେ ନିର୍ବାହ କରି ପାରିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କାର କିଛି ବ୍ୟାଟ୍‌ସମ୍ୟାନ୍ କ୍ରିଜ୍‌ରେ ସେଟ୍‌ ହେବା ସତ୍ତ୍ବେ ୱିକେଟ ଫିଙ୍ଗିବା ଦଳ ପାଇ ମହଙ୍ଗା ସାବ୍ୟସ୍ତ ହୋଇଛି। ୱାନିନ୍ଦୁ ହସରଙ୍ଗା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଶ୍ରୀଲଙ୍କା ୨ଟି ପରିବର୍ତ୍ତନ କରିପାରେ। ପେସ୍ ବୋଲର କାସୁନ୍ ରଜିଥାଙ୍କ ସ୍ଥାନରେ ଲାହିରୁ କୁମାର ଏବଂ ଲକ୍ଷଣ ସନ୍ଦକନ୍‌ଙ୍କ ସ୍ଥାନରେ ଆକିଲା ଧନଞ୍ଜୟ ଖେଳିପାରନ୍ତି। ଭାରତୀୟ ଦଳରେ ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ମିଳିପାରେ। ଫଳରେ ନବଦୀପ ସୈନି ଖେଳିବେ। ଯଦି ସଞ୍ଜୁ ସାମ୍‌ସନଙ୍କୁ ସୁଯୋଗ ଦେବାକୁ ଭାରତ ଚାହିଁବ; ତେବେ ଈଶନ୍ କିଷନ ବସିପାରନ୍ତି। ପିଚ୍‌ ପ୍ରଥମ ୨ଟି ଦିନିକିଆ ପରି ହେବ।

Comments are closed.