ଚିକିତ୍ସା ପାଇଁ ଅର୍ଥ ନାହିଁ, ଭଗବାନଙ୍କ ଭରସାରେ ରାହାସ

ଖପ୍ରାଖୋଲ : ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ କର୍ଲାକୁଟୁଣା ଗ୍ରାମର ରାହାସ ବରିହା ଦୁରାରୋଗ୍ୟରେ ପୀଡିତ ହୋଇ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି। ଅର୍ଥ ଅଭାବରୁ ସେ ଚିକିତ୍ସା ପାଇବାରୁ ବଂଚିତ ହେଉଥିବା ବେଳେ ଭଗବାନଙ୍କ ଭରସାରେ ସେ କାଳ କାଟୁଛନ୍ତି। ଅନ୍ୟ ପକ୍ଷରେ ଘରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବାରୁ ତାଙ୍କର ପାଞ୍ଚ ପ୍ରାଣୀ କୁଟୁମ୍ବ ମଧ୍ୟ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଜାଣିବାକୁ ମିଳିଛି। ସୂଚନା ଯୋଗ୍ୟକି ରାହାସ ଗତ ଏକ ବର୍ଷ ଧରି ପେଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ତାଙ୍କର ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାକୁ ଯାଇ ତାଙ୍କର ସମସ୍ତ ସମ୍ବଳ ହରାଇଛନ୍ତି। ସେ ଜଣେ ଦିନ ମଜୁରିଆ ଅଟନ୍ତି। ଯାହା ରୋଜଗାର କରି ଆଣନ୍ତି ସେଥିରେ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର ସେ ଅସୁସ୍ଥ ହେବା ଦିନରୁ ତାଙ୍କର ରୋଜଗାର ବନ୍ଦ ହୋଇଯାଇଛି। ତାଙ୍କର ଘରେ ତାଙ୍କ ସ୍ତ୍ରୀ ଏବଂ ଚାରିଟି ସନ୍ତାନ ଅଛନ୍ତି। ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଶଯ୍ୟାଶାୟୀ ଥିବାରୁ ତାଙ୍କ ପରିବାର ଏବେ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛନ୍ତି। ଏପରିକି ଦୁଇବେଳା ଖାଇବା ପରିବାର ପକ୍ଷେ କଷ୍ଟକର ହୋଇପଡିଛି ବୋଲି ତାଙ୍କ ପତ୍ନୀ ଗୌରୀ ବରିହା ପ୍ରକାଶ କରିଛନ୍ତି। ଏବେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ଦରକାର ପଡୁଥିବା ବେଳେ ସେ ଅର୍ଥ ଅଭାବରୁ ଡାକ୍ତରଖାନା ଯାଇପାରୁନାହାନ୍ତି। ତାଙ୍କୁ ଆର୍ଥିକ ସହାୟତା ଯୋଗା ଦେବା ପାଇଁ ଖପ୍ରାଖୋଲ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସହ ସମ୍ପାଦକ ଟିକେଶ୍ୱର ବରିହା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Comments are closed.