ବଢୁଛି ଲୁଟତରାଜ, ଝାମ୍ପି ନେଉଛନ୍ତି ଟଙ୍କା ଓ ସାମଗ୍ରୀ

ବୁର୍ଲା: ବର୍ତ୍ତମାନ କରୋନା ମହାମାରୀରେ ଜନସାଧାରଣ ଜନତା ତ୍ରାହି ତ୍ରାହି କରୁଛନ୍ତି। ଅନ୍ୟପଟେ ଲକଡାଉନ ଏବଂ ସଟ ଡ଼ାଉନରେ ବ୍ୟବସାୟୀ ବ୍ୟବସାୟ ହରେଇ ବସିଲେଣି ତ ଆଉ କିଏ ଦୁଇ ପଇସା ରୋଜଗାର କରି ନିଜ ତଥା ପରିବାରର ଭରଣପୋଷଣ କରିବା ପାଇଁ ଆଣ୍ଠେଇ ପଡ଼ିଲେଣି।

ଏପରି ଏକ ଚିନ୍ତାଜନକ ଘଡିସନ୍ଧି ମୁହୁର୍ତ୍ତରେ ବୁର୍ଲା ସହରରେ ଲୁଟତରାଜ ବୃଦ୍ଧି ପାଇବାକୁ ଲାଗିଲାଣି। ଧାରୁଆ ଅସ୍ତ୍ର ଦେଖାଇ କେଉଁଠି ଧମକ୍‍ ଦେଇ ଟଙ୍କା ଲୁଟ୍‍ କରୁଛନ୍ତି ତ ଆଉ କେଉଁଠାରେ ଆକ୍ରମଣ କରି ଲୁଟ କରୁଛନ୍ତି। ତେବେ ଗତ ୫ ଦିନ ମଧ୍ୟରେ ଏଭଳି ୩ଟି ଘଟଣା ସହର ମଧ୍ୟରେ ଘଟିଯିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ଆଜି ଏକ ପାର୍ସଲ ଡେଲିଭରି ବୟଙ୍କୁ ମାରଣାସ୍ତ୍ର ଦେଖାଇ ଜଣେ ଅଳ୍ପ ବୟସ ଯୁବକ ଟଙ୍କା ଏବଂ ମୋବାଇଲ ଫୋନ ଲୁଟିନେଇ ଫେରାର ମାରିଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ବୁର୍ଲା ଥାନାରେ ଲିଖିତ ଭାବରେ ଏହାକୁ ନେଇ ଅଭିଯୋଗ କରିଛନ୍ତି। ତେବେ ଏହି ସ୍ୱଳ୍ପ ବୟଷ୍କ ଅସାମାଜିକ ତତ୍ୱ ପୁଲିସ ପାଇଁ ମୁଣ୍ଡବଥାର କାରଣ ସାଜିଛି। ବୁର୍ଲା ଏସ୍‍ଡିପିଓ ଶିଶୁରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଖୁବ ଶିଘ୍ର ଅପରାଧୀଙ୍କୁ କାବୁ କରାଯିବ ବୋଲି ସୁଚନା ଦେଇଛନ୍ତି।

ଘଟଣାନୁସାରେ ଆଜି ଦିନ ପ୍ରାୟ ୧୦ ଟା ସମୟରେ କାଳୀ ଚରଣ ପଣ୍ଡା (୨୩) ନାମକ ଜଣେ ଫ୍ଲିପକାର୍ଟ କମ୍ପାନିର ଜଣେ ପାର୍ସଲ ଡେଲିଭରି ବଏ ବୁର୍ଲା ସହରକୁ ପାର୍ସଲ ଦେବାପାଇଁ ଆସିଥିଲେ। ସେଣ୍ଟରଲାଇନରୁ ପାର୍ସଲ ଦେଇ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଲିପ୍ଟ ମାଗିଥିଲା। ଲିପ୍ଟ ଦେବା ପରେ ଫାୟାର ଅଫିସ ନିକଟରେ ତାଙ୍କୁ ଭୁଜାଲି ଦେଖାଇ ଟଙ୍କା ଏବଂ ମୋବାଇ ଛଡାଇ ନେଇ ଫେରାର ହୋଇଯାଇଥିଲା। କାଳୀ ଚରଣଙ୍କ ଠାରୁ ଲୁଟ ହୋଇଥିବା ୨୫ଶହ ଟଙ୍କା ତାଙ୍କ ଅଫିସର ଟଙ୍କା ହୋଇଥିବା ବେଳେ ମୋବାଇଲଟି ନିଜର ବୋଲି କାଳୀ ଚରଣ କହିଛନ୍ତି।

ବୁର୍ଲା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିବା ବେଳେ ପୁଲିସ ଅସାମାଜିକ ତତ୍ୱଙ୍କ ଟେର ପାଇପାରିନାହିଁ। ଗତ ୩୧ ତାରିଖ ଦିନ ମଧ୍ୟ ବଲେର ପଡା ଛକରେ ମଧ୍ୟ ବିଷ୍ଣୁ ମନ୍ଦିର ପଡାର କିଛି ଯୁବକ ଜଣେ ଯୂବକଙ୍କୁ ସ୍ପଷ୍ଟ ଦିବାଲୋକରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। ଗତକାଲି ବୁର୍ଲା ୱାନଆର କଲୋନିର ଜଣେ ଯୁବକଙ୍କୁ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୁଚନା ରହିଛି। ତେବେ ଏଭଳି ଭାବରେ ବୁର୍ଲାରେ ସୁରକ୍ଷା ବ୍ୟବସ୍ତା ଚିନ୍ତାଜନକ ହୋଇ ଉଠିଥିବା ବେଳେ ଖାଲି ରାସ୍ତାର ସୁଯୋଗ ଉଣ୍ଡାଳି ଏହି ଅସାମାଜିକ ତତ୍ୱମାନେ ଏଭଳି ଭାବରେ କାଣ୍ଡ ଭିଆଉଥିବା ସ୍ପଷ୍ଟ ହେଉଛି ଯାହାକି ସହରର ଜନସାଧାରଣଙ୍କ ପାଇଁ ଏକ ଭବିଷ୍ୟତ ବିପଦ। ଏହାପ୍ରତି ଧ୍ୟାନ ଦିଆ ନ ଗଲେ ଆଗାମୀ ଦିନରେ ଏହି ଅସାମାଜିକ ତତ୍ୱ କୌଣସି ବଡ଼ ଧରଣର କାଣ୍ଡ ଭିଆଇବା ନେଇ ସ୍ତାନିୟ ମହଲରେ ଆଶଙ୍କା ପ୍ରକାଶ ପାଉଛି।

Comments are closed.