ଚୋରି ମଟର ସାଇକେଲ ଜବତ, ୨ଗିରଫ

ଚୌଦ୍ୱାର : ଚୌଦ୍ୱାର ସହର ଅଧୀନ ଚାରବାଟିଆସ୍ଥିତ ରାଜ୍ୟ ବୀମା ଚିକିତ୍ସାଳୟ ପରିସରରୁ ଚୋରି ହୋଇଥିବା ଏକ ମଟର ସାଇକେଲକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ଏସଂକ୍ରାନ୍ତରେ ୨ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମଟର ସାଇକେଲ ଚୋରି କରିଥିବା ଜଗତପୁର ଥାନା ଅନ୍ଧେରୀ ଖର୍ଦ୍ଦାସାହିର ବାସୁଦେବ ବେହେରା ଓରଫ ଗୋଲିଆ(୪୫) ଏବଂ ଚୋରି ମଟର ସାଇକେଲ୍ କିଣିଥିବା ଚୌଦ୍ୱାର ହାଉସିଂ ବୋର୍ଡ଼ କାଲୋନୀର ଲୋଟସ ସାମଲ (୪୫) ।

ପୁଲିସ ସୂଚନା ଅନୁଯାୟୀ ଢ଼େଙ୍କାନାଳ ଜିଲା ସଦରଥାନା ତରଭା ନୂଆସାହିର ଚିତ୍ତରଞ୍ଜନ ପରିଡ଼ା ଗତ ୨୨ତାରିଖ ରାତିରେ ସ୍ଥାନୀୟ ବୀମା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ତାଙ୍କ ପତ୍ନୀଙ୍କ ପାଖକୁ ଆସିଥିଲେ । ସେ ୨୨ ତାରିଖ ରାତି ୧୧ଟାରେ ତାଙ୍କ ହିରୋ ଗ୍ଲାମର ମଟର ସାଇକେଲକୁ ଚିକିତ୍ସାଳୟ ପରିସରରେ ଥିବା ମଟର ସାଇକେଲ ଷ୍ଟାଣ୍ଡରେ ରଖି ୱାର୍ଡ଼ରେ ରହୁଥିବା ରୋଗୀଣା ପତ୍ନୀଙ୍କ ପାଖରେ ଥିଲେ। ପରଦିନ ସକାଳେ ସେ ବାହାରକୁ ଆସି ତାଙ୍କ ମଟର ସାଇକେଲ ନଥିବା ଦେଖିବାକୁ ପାଇଥିଲେ। ରଞ୍ଜନଙ୍କ ଠାରୁ ଅଭିଯୋଗପାଇ ଥାନା ଏଏସ୍ଆଇ ଯୋସେଫ ଏକ୍କା ଘଟଣାର ତଦନ୍ତ କରି ମଟର ସାଇକେଲ ଚୋର ଗୋଲିଆକୁ ଜଗତପୁରରୁ ଗିରଫ କରିଥିଲେ। ଚୋରି ମଟର ସାଇକେଲ୍ ଟିକୁ ଚୌଦ୍ୱାରର ଲୋଟସ ସାମଲକୁ ୧୫ ହଜାର ଟଙ୍କାରେ ବିକ୍ରି କରିଥିବା ସେ ପୁଲିସକୁ ସୂଚନା ଦେଇଥିଲେ। ଗୋଲିଆର ସୂଚନା ଆଧରରେ ପୁଲିସ ଲୋଟସକୁ ତା ଘରୁ ଗିରଫ କରିବା ସହିତ ତା ନିକଟରୁ ଚୋରି ମଟର ସାଇକେଲକୁ ଜବତ କରିଛନ୍ତି ।

Comments are closed.